ନୂଆଦିଲ୍ଲୀ: ଆଜି ଗୁଜୁରାଟର ରାଜକୋଟରେ ରାଜ୍ୟର ପ୍ରଥମ ଭାରତୀୟ ଆୟୁର୍ବଜ୍ଞାନ ସଂସ୍ଥାନ(AIIMS) ଉଦଘାଟନ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମେଡିକାଲକୁ ଉଦଘାଟନ କରିଛନ୍ତି । ଏହି ଉଦଘାଟନୀ କାର୍ଯ୍ୟକ୍ରମ ପରେ ରେସଫୋର୍ସ ମଇଦାନରେ ଏକ ରାଲିକୁ ସମ୍ବୋଧିତ କରି ମୋଦୀ କହିଛନ୍ତି ଯେ, ଏହି ଗୋଟିଏ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର ଅନେକ ସହରରେ ବିକାଶମୂଳକ କାର୍ଯ୍ୟର ଲୋକାର୍ପଣ ଏବଂ ଶିଳାନ୍ୟାସ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଏହାର ଏକ ପ୍ରମାଣ ହୋଇ ରହିଛି । ଏହାସହିତ ଏକ ନୂଆ ପରମ୍ପରା ଆଗେଇ ଚାଲିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ମୁଁ ଦେଶବାସୀଙ୍କ ଭରସା ରଖିବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରିଛି । ଆଜି ସାରା ଦେଶ ଏତେ ଭଲ ପାଇବା ଏବଂ ଯେଉଁ ଆର୍ଶୀବାଦ ଦେଇଛି, ଏହି ରାଜକୋଟ ମଧ୍ୟ ତାହାର ଏକ ଅଂଶୀଦାର । ଆଜି ସାରା ଦେଶ ତୃତୀୟ ଥର ଏନଡିଏ ସରକାରକୁ ଆର୍ଶୀବାଦ ଦେଉଛି ଏବଂ ସମଗ୍ର ଦେଶ ଏଥର ୪୦୦ରୁ ଅଧିକ ଆସନ ପାଇବା ନେଇ ବିଶ୍ୱାସ ରଖିଛି । ରାଜକୋଟର ଏକ ଜନସଭାରେ ମୋଦୀ କହିଛନ୍ତି ଯେ, ବିକଶିତ ଭାରତରେ ସ୍ୱାସ୍ଥ୍ୟ ସୁବିଧା ସ୍ତର କିପରି ରହିବ, ଆଜି ରାଜକୋଟରେ ଏହାର ଏକ ଝଲକ ଦେଖାଯାଉଛି । ସ୍ୱାଧୀନତାର ୫୦ ବର୍ଷ ପର୍ଯ୍ୟନ୍ତ ଦିଲ୍ଲୀରେ ଦେଶର ଏକମାତ୍ର ଏମ୍ସ ରହିଥିଲା । ସପ୍ତମ ଶତାବ୍ଦୀରେ ୭ଟି ଏମ୍ସକୁ ମଞ୍ଜୁରୀ ମିଳିଥିଲେ ମଧ୍ୟ ତାହା ପୂରଣ ହୋଇ ପାରିଲା ନାହିଁ ।
କିନ୍ତୁ ଆଜି ୧୦ ଦିନ ମଧ୍ୟରେ ଦେଶରେ ସପ୍ତମ ଏମ୍ସର ଉଦଘାଟନ ହୋଇଯାଇଛି । ଯାହା ୬-୭ ଦଶକ ମଧ୍ୟରେ ସମ୍ଭବ ହୋଇ ପାରି ନଥିଲା, ତା’ଠାରୁ ଅନେକ ଗୁଣ ଦ୍ରୁତ ଗତିରେ ଆମେ ଦେଶକୁ ବିକାଶାଭିମୁଖୀ କରିଜନତାଙ୍କ ପାଇଁ ସମର୍ପଣ କରିପାରିଛୁ । ଆଜି ୨୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୨୦୦ରୁ ଅଧିକ ହେଲ୍ଥକେୟାର ଇନଫ୍ରାଷ୍ଟ୍ରକଚର ପୋଜେକ୍ଟସର ମଧ୍ୟ ଶିଳାନ୍ୟାସ ଏବଂ ଲୋକାର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀ ଦେଶକୁ ୪୮ ହଜାର କୋଟିରୁ ଅଧିକ ଟଙ୍କାରେ ବହୁ ବିକାଶ ପରିଯୋଜନାର ଶିଳାନ୍ୟାସ ହୋଇଛି । ଏଥିରେ ସ୍ୱାସ୍ଥ୍ୟ, ସଡ଼କ, ରେଳ,ଶ୍କତି, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ, ପର୍ଯ୍ୟଟନ ଭଳି ମହତ୍ତ୍ୱପୂର୍ଣ୍ଣ ବିଭାଗ ସାମିଲ ରହିଛି ।