IAS-IPS-IFSଙ୍କ ପାଇଁ କେନ୍ଦ୍ରର କଡ଼ା ନିର୍ଦ୍ଦେଶ: ୬ ମାସର ଦରମାରୁ ଅଧିକ ନିବେଶ କରିଥିଲେ ରିପୋର୍ଟ ଦେବେ

ନୂଆଦିଲ୍ଲୀ: ସର୍ବଭାରତୀୟ ପ୍ରଶାସନିକ ଅଧିକାରୀମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଚୟନ ହେବା ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ କାର୍ଯ୍ୟ କରିଥାନ୍ତି । ତେବେ ଏହା ମଧ୍ୟରେ କେନ୍ଦ୍ର ସରକାର ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ), ସର୍ବଭାରତୀୟ ପୋଲିସ ସେବା (ଆଇପିଏସ) ଓ ସର୍ବଭାରତୀୟ ବନ ସେବା (ଆଇଏଫଏସ) ଅଧିକାରୀଙ୍କ ଏକ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ।

କେନ୍ଦ୍ର କର୍ମଚାରୀ ମନ୍ତ୍ରଣାଳୟର ନିର୍ଦ୍ଦେଶ ମୁତାବକ, ସର୍ବଭାରତୀୟ ପ୍ରଶାସନିକ ଅଧିକାରୀଙ୍କ ଯେ କୌଣସି ଷ୍ଟକ, ଶେୟାର ବା ଅନ୍ୟ ନିବେଶର ନେଣଦେଣ ଉପରେ ନଜର ରଖିବା ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ସକ୍ଷମ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଯେଉଁ ଅଧିକାରୀମାନେ ନିଜର ଛଅ ମାସର ମୂଳ ଦରମାରୁ ଅଧିକ ଶେୟାର, ଷ୍ଟକ ବା ଅନ୍ୟ କେଉଁଠି ନିବେଶ କରିଥିବେ, ସେମାନେ ତା’ର ରିପୋର୍ଟ ଦାଖଲ କରିବେ ।

ତେବେ ଏହି ସୂଚନା ଏଆଇଏସ (ଆଚରଣ) ନିୟମ ୧୯୬୮ର ନିୟମ ୧୬(୪) ଅନୁଯାୟୀ ଜାରି କରାଯାଇଛି । ସରକାରୀ ଅଧିକାରୀଙ୍କଙ୍କ ନିବେଶ ଛଅ ମାସର ମୂଳ ଦରମା ଠାରୁ ଅଧିକ ହେଲେ ସେମାନେ ପ୍ରତ୍ୟେକ ବର୍ଷ ସଂଲଗ୍ନ ପ୍ରୋଫର୍ମାରେ ନିର୍ଦ୍ଦିଷ୍ଟ କର୍ତ୍ତୃପକ୍ଷଙ୍କ ନିକଟରେ ତଥ୍ୟ ଦାଖଲ କରିବେ । ତେବେ ସେବାର କୌଣସି ସଦସ୍ୟ କୌଣସି ଷ୍ଟକ, ଶେୟାର ଅନ୍ୟ କେଉଁଠି ନିବେଶରେ ସଟ୍ଟା ନ ଲଗାଇବା ନେଇ ଆଚରଣ ନିୟମ ୧୪(୧)ରେ ଉଲ୍ଲେଖ ରହିଛି । ମାତ୍ର ଷ୍ଟକ ଦଲାଲ ବା ଅନ୍ୟ ସ୍ୱୀକୃତିପ୍ରାପ୍ତ ବ୍ୟକ୍ତିଙ୍କ ମାଧ୍ୟମରେ ସାମୟିକ ନିବେଶ ପାଇଁ ଏହି ନିୟମ ଲାଗୁ ହେବ ନାହିଁ ।