fbpx

ଟେଷ୍ଟ ମ୍ୟାଚ୍ ସଂଖ୍ୟା ହ୍ରାସ କରି ପାରେ ଆଇସିସି, ଚେତାବନୀ ଦେଲେ ଚେୟାରମ୍ୟାନ

ନୂଆଦିଲ୍ଲୀ: ଘରୋଇ ଟି-୨୦ ଲିଗ୍ କାରଣରୁ ଛୋଟ ହେବାକୁ ଲାଗିଛି ଦ୍ଵିପାକ୍ଷିକ ସିରିଜ୍। ଏହାକୁ ନେଇ ଚିନ୍ତିତ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି)। ତେଣୁ ଆଗାମୀ  ସମୟରେ ଟେଷ୍ଟ ମ୍ୟାଚ୍ ସଂଖ୍ୟାରେ ହ୍ରାସ କରାଯାଇପାରେ। ଏମିତି ଚେତାଇଛନ୍ତି ଆଇସିସି ଅଧ୍ୟକ୍ଷ ଗ୍ରେଗ ବାର୍କଲେ। ୨୦୨୦ ନଭେମ୍ବରରେ ଆଇସିସି ଅଧ୍ୟକ୍ଷ ହୋଇଥିବା ବାର୍କଲେ କହିଛନ୍ତି, ଆସନ୍ତା ବର୍ଷ ଆରମ୍ଭ ହେଉଥିବା ଫ୍ୟୁଚର ଟୁର ପ୍ରୋଗ୍ରାମ ନିର୍ଦ୍ଧାରଣ କରିବା ପାଇଁ ଆଇସିସି ବହୁତ ହଇରାଣ ହୋଇପାରେ।

ବାର୍କଲେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ସମୟରେ ବିବିସିର ଟେଷ୍ଟ ମ୍ୟାଚ୍ ସ୍ପେଶାଲ କାର‌୍ୟ୍ୟକ୍ରମରେ କହିଛନ୍ତି, ପ୍ରତି ବର୍ଷ ମହିଳା ଏବଂ ପୁରୁଷ କ୍ରିକେଟର ଏକ ଆଇସିସି ଟୁର୍ଣ୍ଣାମେଣ୍ଟ ରହିଛି। ଏହା ବାଦ ଘରୋଇ ଲିଗ୍ ବଢିବାରେ ଲାଗିଛି। ପରିଣାମସ୍ଵରୂପ ଦ୍ଵିପାକ୍ଷିକ ସିରିଜ୍ ଛୋଟ ହେବାରେ ଲାଗିଛି। ଭବିଷ୍ୟତରେ ଏହାର ଦୁର୍ଭାଗ୍ୟପୂର୍ଣ୍ଣ ପରିଣାମ ମିଳିବ। ସେହି ଦେଶ କ୍ଷତିଗ୍ରସ୍ତ ହେବେ ଯେଉଁମାନଙ୍କୁ ଭାରତ, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ପରି ଦଳ ବିପକ୍ଷରେ ଖେଳିବାର ସୁଯୋଗ ମିଳୁନାହିଁ। ଆଗାମୀ ୧୦ରୁ ୧୫ ବର୍ଷ ଟେଷ୍ଟ କ୍ରିକେଟ୍ ଖେଳର ଅଭିନ୍ନ ଅଙ୍ଗ ରହିବ ହେଲେ ମ୍ୟାଚ୍ ସଂଖ୍ୟା ହ୍ରାସ ପାଇପାରେ।

ଆଇସିସି ଚେୟାରମ୍ୟାନ ଏହା ମଧ୍ୟ ସଙ୍କେତ ଦେଇଛନ୍ତି ଯେ, ଭାରତ, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ପରି ଦେଶ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ। ବାର୍କଲେ ଏହା ମଧ୍ୟ କହିଛନ୍ତି, ମହିଳା କ୍ରିକେଟରେ ଟେଷ୍ଟ ଫର୍ମାଟର ସେତିକି ବିକାଶ ହେଉନି ଯେତିକି ହେବା ଦରକାର। ଟେଷ୍ଟ କ୍ରିକେଟ୍ ଖେଳିବା ପାଇଁ ଘରୋଇ ଢାଞ୍ଚା ସେହି ପରି ହେବା ଉଚିତ୍ ଯାହା ଏବେ କୌଣସି ଦେଶରେ ଖେଳା ଯାଉ ନାହିଁ।

Get real time updates directly on you device, subscribe now.