fbpx

ଏତେ ଦିନ ପରେ ଫାଇନାଲରେ ହାରିବାର କାରଣ ଜଣାପଡ଼ିଲା? ICCର ରେଟିଂ ରିପୋର୍ଟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଗତ ନଭେମ୍ବର ମାସ ୧୯ ତାରିଖ ଭାରତୀୟ କ୍ରୀଡ଼ା ଇତିହାସ ପାଇଁ ଏକ ଅଶୁଭ ଦିନ କହିଲେ ଚଳେ । ସେହି ଦିନ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପର ଫାଇନାଲ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆଠାରୁ ୬ ୱିକେଟରେ ପରାଜୟ ବରଣ କରିଥିଲା । ସମଗ୍ର ଟୁର୍ଣ୍ଣାମେଣ୍ଟରେ କ୍ରମାଗତ ୧୦ଟି ମ୍ୟାଚରେ ଜିତି ଉଚ୍ଚକୋଟୀର ପ୍ରଦର୍ଶନ କରିଆସିଥିବା ଭାରତର ଏପରି ଦୁର୍ଦ୍ଦଶାକୁ କେହି ସହଜରେ ବିଶ୍ୱାସ କରିପାରିନଥିଲେ । ମାତ୍ର କ୍ଷଣିକ ମଧ୍ୟରେ ଷ୍ଟାଡିୟମରେ ଉପସ୍ଥିତ ଥିବା ଲକ୍ଷାଧିକ ଦର୍ଶକ ଓ ଘରମାନଙ୍କରେ ଖେଳ ଦେଖୁଥିବା ୧୪୦ କୋଟି ଭାରତୀୟ ସ୍ତବ୍ଧ ହୋଇ ରହିଯାଇଥିଲେ ।

ତେବେ ଉକ୍ତ ପରାଜୟର କାରଣକୁ ନେଇ ଅନେକ କ୍ରୀଡ଼ା ବିଶାରଦ, ପୂର୍ବତନ କ୍ରିକେଟର ନାନା ମତ ଦେଉଥିବା ବେଳେ ପିଚ କାରଣରୁ ଭାରତ ହାରିଲା ବୋଲି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ରାହୁଲ ଦ୍ରାବିଡ଼ ନିକଟରେ ବିସିସିଆଇକୁ କହିଥିଲେ । ତେବେ ଏହା ମଧ୍ୟରେ ଅନ୍ତର୍ଜାତୀୟ କିକେଟ ପରିଷଦ (ଆଇସିସି)ର ରିପୋର୍ଟ ଏକ ବଡ଼ ଖୁଲାସା କରିଛି । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପର ଫାଇନାଲ ମ୍ୟାଚ ଯେଉଁ ପିଚରେ ଖେଳାଯାଇଥିଲା ତାହାକୁ ଆଇସିସି ‘ଆଭରେଜ’ ରେଟିଙ୍ଗ ପ୍ରଦାନ କରିଛି । ସେହିପରି ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ପିଚକୁ ‘ଆଭେରେଜ’ ରେଟିଂ ଦିଆଯାଇଥିବା ବେଳେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚକୁ ‘ଭଲ’ ରେଟିଂ ଦିଆଯାଇଛି । ଏହାଛଡ଼ା  ଲକ୍ଷ୍ନୌରେ ଇଂଲଣ୍ଡ ବିପକ୍ଷ ମ୍ୟାଚ, ଅହମଦାବାଦରେ ପାକିସ୍ତାନ ବିପକ୍ଷ ମ୍ୟାଚ, ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ପିଚକୁ ଆଭରେଜ ରେଟିଂ ଦିଆଯାଇଛି ।

ତେବେ ଆଇସିସି ବିଶ୍ୱକପର ୫ଟି ମୁକାବିଲା ପାଇଁ ପିଚକୁ ଆଭରେଜ ରେଟିଂ ଦେଇଛି । ସେଥିରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ଫାଇନାଲ ମ୍ୟାଚ ସାମିଲ ରହିଛି । ଫାଇନାଲରେ ବଲ ଟର୍ଣ୍ଣ ହୋଇନଥିଲା । ପୂର୍ବ ୧୦ଟି ମୁକାବିଲାରେ ଯେଉଁ ରଣନୀତି ଆପଣାଇ ଭାରତ ଜିତିଥିଲା ତାହା ଫାଇନାଲରେ କାମ ଦେଇନଥିଲା ବୋଲି ଦ୍ରାବିଡ଼ କହିଥିଲେ । ତେବେ ଖରାପ ପିଚରେ ଅଷ୍ଟ୍ରେଲିଆ କିପରି ଜିତିଲା ତାହା ମଧ୍ୟ ଏକ ବଡ଼ ପ୍ରଶ୍ନ । ପ୍ରକୃତ କଥା ହେଉଛି, ଭାରତ ଟସ୍ ହାରିବା ପରେ ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଭାରତ ମାତ୍ର ୨୪୦ରେ ସୀମିତ ରହିଯିବା ଫଳରେ କଙ୍ଗାରୁକୁ ପିଚ୍ କିଛି ମାତ୍ରାରେ ସହାୟକ ହୋଇଥିଲା । ମ୍ୟାଚ ୨ଟାରୁ ଆରମ୍ଭ ହୋଇଥିବାରୁ ଦିନର କିଛି ସମୟ ବୋଲରଙ୍କୁ ସହାୟକ ହୋଇଥିଲା । ଭାରତ ବୋଲିଂ ଆରମ୍ଭ କରିବା ବେଳକୁ ଷ୍ଟାଡିୟମର ଲାଇଟ୍ ଜଳିସାରିଥିଲା ଓ ପଡ଼ିଆରେ କାକର ମଧ୍ୟ ପଡ଼ିବା ଆରମ୍ଭ ହୋଇଥିଲା । ତେଣୁ ଏଭଳି ସ୍ଥିତିରେ ବୋଲରମାନେ ଆଉ କିଛି କମାଲ ଦେଖାଇ ପାରିନଥିଲେ ।

Get real time updates directly on you device, subscribe now.