ଦୁବାଇ: କ୍ରମାଗତ ବିଫଳ ହୋଇ ଆସୁଥିବା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ସଂପ୍ରତି ଟି- ୨୦ । କ୍ରିକେଟ ମାନ୍ୟତାର ଦଶମ ସ୍ଥାନରେ ପହଞ୍ଚିଛନ୍ତି । ବୁଧବାର ଦିନ ଆଇସିସି ପକ୍ଷରୁ ସଦ୍ୟ ପ୍ରକାଶିତ ବ୍ୟାଟିଂ ମାନ୍ୟତାରେ ଭାରତୀୟ ଓପନର କେଏଲ ରାହୁଲ ଚତୁର୍ଥ ଓ କୋହଲି ଦଶମ ସ୍ଥାନରେ ଥିବା ବେଳେ ଭାରତର କୌଣସି ବୋଲର କିମ୍ବା ଅଲରାଉଣ୍ଡର ଏହି ଫର୍ମାଟର ୧୦ ସ୍ଥାନ ମଧ୍ୟରେ ନାହାନ୍ତି । ତେବେ ଅଷ୍ଟ୍ରେଲିଆର ପେସ୍ ବୋଲର ଜୋସ୍ ହାଜେଲଉଡ୍ ବୋଲିଂ ମାନ୍ୟତାରେ ଯଥେଷ୍ଟ ଉନ୍ନତି ଆଣି ଦ୍ୱିତୀୟ ସ୍ଥାନ ପାଇଛନ୍ତି ।
ନିଜ ଦଳର ସ୍ପିନର ଆଦାମ ଜାମ୍ପା, ଆଫଗାନିସ୍ତାନର ରସିଦ ଖାନ୍ ଓ ଇଂଲଣ୍ଡର ଅଦିଲ ରସିଦଙ୍କୁ ପଛରେ ପକାଇ ହାଜେଲଉଡ ଚାରି ସ୍ଥାନ ଉପରକୁ ଉଠି ଦ୍ୱିତୀୟ ସ୍ଥାନ ପାଇଛନ୍ତି ।ଏହି ଫର୍ମାଟରେ ଏକ ନମ୍ବର ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକାର ତାବ୍ରେଜ ଶାମସିଙ୍କ ଠାରୁ ଏକ ପାଦ ପଛରେ ଅଛନ୍ତି ହାଜେଳଉଡ । ତେବେ ଶୀର୍ଷ ସ୍ଥାନରେ ଥିବା ଶ୍ରୀଲଙ୍କା ବୋଲର ୱାନିନ୍ଦୁ ହସରଙ୍ଗା କରୋନାରେ ଆକ୍ରାନ୍ତ ହେବା ଯୋଗୁଁ ମଙ୍ଗଳବାର ଅନୁଷ୍ଠିତ ଅଷ୍ଟ୍ରେଲିଆ ବି କ୍ଷ ଚଳିତ ଟି-୨୦ ସିରିଜର ତୃତୀୟ ମ୍ୟାଚ ଖେଳିବାରୁ ବଞ୍ଚିତ ହେବା ଫଳରେ ସେ ବର୍ତ୍ତମାନ ବୋଲିଂ ମାନ୍ୟତାର ତୃତୀୟ ସ୍ଥାନକୁ ଖସି ଆସିଲେ ।
ଅନ୍ୟ ପକ୍ଷରେ ଆଇସିସି ଦିନିକିଆ ବ୍ୟାଟିଂ ମାନ୍ୟତାରେ ବିରାଟ କୋହଳି ଓ ରୋହିତ ଶର୍ମା ପୂର୍ବରି ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ବାବର ଅଜାମ ପ୍ରଥମ ସ୍ଥାନରେ ସୁରକ୍ଷିତ ରହିଛନ୍ତି । ଭାରତୀୟ ପେସ୍ ବୋଲର ଯଶପ୍ରୀତ ବୁମରା ଦିନିକିଆ ବୋଲିଂ ମାନ୍ୟତାର ସପ୍ତମ ସ୍ଥାନରେ ଅଛନ୍ତି ।