fbpx

କ୍ରିକେଟର ଏହି ‘ବିବାଦୀୟ’ ନିୟମକୁ ରଦ୍ଦ କରିବ ଆଇସିସି: ଏହି ସିରିଜରୁ ଲାଗୁ ହେବ ପରିବର୍ତ୍ତିତ ନିୟମ

Advertisement

ନୂଆଦିଲ୍ଲୀ: କ୍ରିକେଟ ମ୍ୟାଚରେ ଆପଣ ଅମ୍ପାୟାରଙ୍କର ବିଭିନ୍ନ ସିଗନାଲକୁ ନଜର ଦେଇଥିବେ । ଏଥିମଧ୍ୟରେ ଅମ୍ପାୟାର ଦେଉଥିବା ଏକ ସିଗନାଲକୁ ‘ସଫ୍ଟ ସିଗନାଲ’ ବୋଲି କୁହାଯାଇଥାଏ । ବିଶେଷ କରି ମ୍ୟାଚରେ କୌଣସି ରିଭ୍ୟୁ ନେବା ବେଳେ ପଡିଆରେ ଥିବା ଅମ୍ପାୟାର ଏହି ସଫ୍ଟ ସିଗନାଲ ଜରିଆରେ ନିଜ ନିଷ୍ପତ୍ତି ଜଣାଇଥାନ୍ତି । ଯାହାକୁ ନେଇ ଅନେକ ଥର କ୍ରିକେଟ ଇତିହାସରେ ବିବାଦ ଦେଖିବାକୁ ମିଳିଛି । ତେଣୁ ବର୍ତ୍ତମାନ ଏହି ନିୟମ ଉପରେ ଏକ ବଡ ପରିବର୍ତ୍ତନ କରିବାକୁ ଯାଉଛି ଆଇସିସି ।

ଅନେକ ବାଦ ବିବାଦ ପରେ କ୍ରିକେଟର ସଫ୍ଟ ସିଗନାଲ ରୁଲ ହଟିବାକୁ ଯାଉଛି । ଏହି ନିୟମକୁ ଇଣ୍ଟରନେସନାଲ ମ୍ୟାଚରେ ଶେଷ କରିବାକୁ ନିଷ୍ପତ୍ତି ନେଇଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ । ତେବେ ଆସନ୍ତା ଜୁନ ୭ ତାରିଖରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚରୁ ଏହି ପରିବର୍ତ୍ତିତ ତଥା ନୂଆ ନିୟମ ଲାଗୁ କରାଯିବ । ଅର୍ଥାତ୍ ଏହି ମ୍ୟାଚରେ ସଫ୍ଟ ସିଗନାଲ ଦେଇ ପାରିବେ ନାହିଁ ଅନ୍ ଫିଲ୍ଡ ଅମ୍ପାୟାର । ଆଇସିସି କ୍ରିକେଟ କମିଟିର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ମଧ୍ୟ ଏହି ନିୟମ ଉପରେ ମୋହର ମାରି ସାରିଛନ୍ତି । ତେବେ ଏହି ନୂଆ ନିୟମ ବିଷୟରେ ଫାଇନାଲର ଦୁଇ ଫାଇନାଲିଷ୍ଟ ଭାରତ ଏବଂ ଅଷ୍ଟ୍ରେଲିଆକୁ ଜଣାଇ ଦିଆଯାଇଛି ।

ଅମ୍ପାୟାରଙ୍କ ଏହି ସଫ୍ଟ ସିଗନାଲ ରୁଲ କୁ ନେଇ ଅନେକ ଥର କ୍ରିକେଟରେ ବିବାଦ ସୃଷ୍ଟି ହୋଇଛି । ଏହି ନିୟମକୁ ନେଇ ଅନେକ ମ୍ୟାଚରେ ପ୍ରଶ୍ନ ମଧ୍ୟ ଉଠିଛି । ତେବେ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ ସମୟରେ ଅଷ୍ଟ୍ରେଲିଆର ମାର୍ନସ ଲାବୁସେନଙ୍କୁ ସଫ୍ଟ ସିଗନାଲ ନିୟମରେ ଆଉଟ ଘୋଷଣା କରିଥିଲେ ଅମ୍ପାୟାର । କିନ୍ତୁ ସ୍ଲିପର ଏହି କ୍ୟାଚ ସନ୍ଦେହ ଘେରରେ ରହିଥିବା ବେଳେ ଏହା କାହିଁକି ଥାର୍ଡ ଅମ୍ପାୟାରଙ୍କୁ ରେଫର କରାଗଲା ନାହିଁ ବୋଲି ପ୍ରଶ୍ନ କରାଯାଇଥିଲା । କିନ୍ତୁ ଏବେ ନୂଆ ନିୟମ ଅନୁସାରେ ଏଭଳି କ୍ୟାଚ କିମ୍ବା ସନ୍ଦିଗ୍ଧ ଘଟଣାର ନିର୍ଣ୍ଣୟ ନେବେ ଥାର୍ଡ ଅମ୍ପାୟାର ।

ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚରେ ଭାରତ ଏବଂ ଅଷ୍ଟ୍ରେଲିଆ ଜୁନ ୭ ତାରିଖରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ତେବେ ଏହି ମ୍ୟାଚରେ ଯଦି ଆଲୋକକୁ ନେଇ ସମସ୍ୟା ସୃଷ୍ଟି ହୁଏ, ତେବେ ଫ୍ଲଡ ଲାଇଟ ଅନ୍ କରାଯିବ । ତେବେ ଏହାବ୍ୟତୀତ ମ୍ୟାଚ ପାଇଁ ଷଷ୍ଠ ଦିନକୁ ରିଜର୍ଭ ଡେ’ ଭାବରେ ମଧ୍ୟ ରଖାଯାଇଛି ।

Get real time updates directly on you device, subscribe now.