fbpx

(Video) ‘ଅଦାନୀ-ଅମ୍ବାନୀ ଯଦି ଆମକୁ ଟଙ୍କା ପଠାଇବେ, ତେବେ ଆମେ ସେମାନଙ୍କ ଉପରେ ଆକ୍ରମଣକୁ ବନ୍ଦ କରିଦେବୁ…’: ଅଧୀର ରଞ୍ଜନ ଚୌଧୁରୀଙ୍କ ବୟାନକୁ ନେଇ ବଢ଼ିଲା ବିବାଦ

Advertisement

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ପର୍ଯ୍ୟାୟରେ ଲୋକସଭା ନିର୍ବାଚନର ମତଦାନ ପ୍ରକ୍ରିୟା ଜାରି ରହିଛି । ସେଥିପାଇଁ ରାଜନୈତିକ ଦଳମାନେ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି । ତେବେ ଏହା ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ଏକ ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏହାକୁ ନେଇ ବିଜେପି ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ଅଦାନୀ-ଅମ୍ବାନୀ କଂଗ୍ରେସକୁ ଟଙ୍କା ଦେଲେ ସେ ଅଦାନୀ-ଅମ୍ବାନୀ ଉପରେ ହେଉଥିବା ଆକ୍ରମଣକୁ ବନ୍ଦ କରିଦେବେ ବୋଲି ବୟାନ ଦେଇ ପୁଣି ଥରେ ବିବାଦ ପରିସରକୁ ଆସିଛନ୍ତି ଅଧୀର ।

ଏହା ମଧ୍ୟରେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଏକ ଶର୍ଟ ଭିଡିଓ କ୍ଲିପ୍ ଭାଇରାଲ ହୋଇଛି । ସେଥିରେ ଏକ ସାକ୍ଷାତକାରରେ ଅଧୀର କିଛି ପ୍ରଶ୍ନର ଉତ୍ତର ଦେଉଥିବା ଦେଖିବାକୁ ମିଳୁଛି । ଅଧୀର କହିଛନ୍ତି, ଅଦାନୀ ଓ ଅମ୍ବାନୀଙ୍କ ପରି ଇଣ୍ଡିଆନ ବିଜିନେସ୍ ଟାଇକନମାନେ ଯଦି କଂଗ୍ରେସ ପାଖକୁ ଟଙ୍କା ପଠାନ୍ତି, ତେବେ ଆମେ ସେମାନଙ୍କ ଉପରେ ଆକ୍ରମଣକୁ ବନ୍ଦ କରିଦେବୁ । ସେମାନେ ଆମ ପାଖକୁ ଟଙ୍କା ପଠାଇଲେ ଆମେ ସେମାନଙ୍କର ନାମ ନେବୁ ନାହିଁ । ଯେହେତୁ ସେମାନେ ଆମ ପାଖକୁ ଟଙ୍କା ପଠାଉ ନାହାନ୍ତି, ତେଣୁ ଆମେ ସେମାନଙ୍କ ଉପରେ ସଂସଦରେ ଆକ୍ରମଣ କରୁଛୁ ।

ଅଧୀରଙ୍କର ଏହି ବୟାନ ଥିବା ଭିଡିଓକୁ ସୋସିଆଲ ମିଡ଼ିଆରେ ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବୀୟ ଶେୟାର କରିଛନ୍ତି । ପଶ୍ଚିମବଙ୍ଗର ବହରମପୁର ଆସନ ପାଇଁ କଂଗ୍ରେସ ଏଥର ଅଧୀରଙ୍କୁ ପ୍ରାର୍ଥୀ କରିଛି । ଆସନ୍ତା ୧୩ ତାରିଖରେ ଏହି ଆସନରେ ମତଦାନ ଗ୍ରହଣ କରାଯିବ । ଏହି ଆସନରେ ସେ ବିଜେପି ପ୍ରାର୍ଥୀ ନିର୍ମଳ କୁମାର ଓ ଟିଏମସି ପ୍ରାର୍ଥୀ ପୂର୍ବତନ ଭାରତୀୟ କ୍ରିକେଟର ୟୁସୁଫ ପଠାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ । ତେଲେଙ୍ଗାନାର କରିମନଗର ଠାରେ ଅନୁଷ୍ଠିତ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଥିଲେ । ଲୋକସଭା ନିର୍ବାଚନ ଘୋଷଣା ହେବା ପରେ ରାହୁଲ କ’ଣ ପାଇଁ ‘ଅଦାନୀ-ଅମ୍ବାନୀ’ଙ୍କ ଉପରେ ଆକ୍ରମଣ ବନ୍ଦ କରିଦେଇଛନ୍ତି ବୋଲି ମୋଦୀ ପ୍ରଶ୍ନ କରିଥିଲେ । ମୋଦୀଙ୍କ ଉକ୍ତ ବୟାନ ପରେ ଅଧୀରଙ୍କ ଏହି ବୟାନ ସାମ୍ନାକୁ ଆସିଛି ।

Get real time updates directly on you device, subscribe now.