fbpx
BJD SKY
BJD SKY

ରୁଷିଆ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ହେଲେ ଭାରତର ବହୁତ କ୍ଷତି ଘଟିବ: ଜାଣନ୍ତୁ କ’ଣ ସେସବୁ

BJD

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱ ସମ୍ମୁଖରେ ରୁଷିଆ-ୟୁକ୍ରେନ ଯୁଦ୍ଧ ଆଶଙ୍କା ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ତେବେ ପୂର୍ବରୁ ରୁଷ ୟୁକ୍ରେନକୁ ତିନି ପଟରୁ ଘେରିବା ସହ ୧.୩ ଲକ୍ଷରୁ ଅଧିକ ସୈନ୍ୟ, ମିସାଇଲ, ଟ୍ୟାଙ୍କ, ଯୁଦ୍ଧ ବିମାନ ସଜ୍ଜିତ କରି ରଖିଛି । ତେବେ ରୁଷ୍ ସିକ୍ରେଟ ରଣନୀତି ଆପଣାଇ ଆଜି ମଧ୍ୟ ସୈନ୍ୟାଭ୍ୟାସ ବାହାନାରେ ଆକ୍ରମଣ କରିପାରେ ବୋଲି କିଛି ଆମେରିକୀୟ ଓ ୟୁରୋପୀୟ ଅଧିକାରୀ ମତବ୍ୟକ୍ତ କରିଛନ୍ତି । ତେବେ ଯଦି ରୁଷ୍ ଆକ୍ରମଣ କରେ, ତେବେ ଏହା ତୃତୀୟ ବିଶ୍ୱଯୁଦ୍ଧକୁ ଜନ୍ମ ଦେଇପାରେ ବୋଲି କିଛି ବିଶେଷଜ୍ଞ ମତ ଦେଇଛନ୍ତି । ତେବେ ଏପରି ସ୍ଥିତିରେ ମୁଖ୍ୟ ପ୍ରଶ୍ନ ହେଉଛି ଯଦି ପ୍ରକୃତରେ ଯୁଦ୍ଧ ହୁଏ, ତେବେ ଭାରତର କ’ଣ କ୍ଷତି ହେବ?

ଭାରତ ସାଧାରଣ ଭାବେ ୟୁକ୍ରେନକୁ ଔଷଧ ଓ ଇଲେକ୍ଟ୍ରି ମେସିନାରୀ ବିକ୍ରି କରିଥାଏ । ସେହିପରି ଖାଇବା ତେଲ ଓ ନ୍ୟୁକ୍ଲିୟର ରିଆକ୍ଟର ପରି ଜରୁରୀ ସାମଗ୍ରୀ ମଧ୍ୟ କ୍ରୟ କରିଥାଏ । ଯଦି ଯୁଦ୍ଧ ଆରମ୍ଭ ହୁଏ, ତେବେ ଦ୍ୱିଦେଶୀୟ ବାଣିଜ୍ୟ ନିଶ୍ଚିତ ଭାବେ ବାଧାପ୍ରାପ୍ତ ହେବ । ଏକ ତଥ୍ୟ ଅନୁଯାୟୀ, ଗତ ୨୦୨୦ରେ ଦୁଇ ଦେଶ ମଧ୍ୟରେ ୨.୬୯ ବିଲିୟନ ଡଲାରର ବ୍ୟବସାୟ ହୋଇଥିଲା । ୟୁକ୍ରେନ ଭାରତକୁ ୧.୯୭ ବିଲିୟନ ଡଲାରର ସାମଗ୍ରୀ ରପ୍ତାନୀ କରିଥିବା ବେଳେ ଭାରତ ୭୨୧.୫୪ ମିଲିୟନ ଡଲାରର ସାମଗ୍ରୀ ରପ୍ତାନୀ କରିଥିଲା ।

ବିଗତ କିଛି ବର୍ଷ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ବନ୍ଧରେ ହ୍ରାସ ବୃଦ୍ଧି ଦେଖିବାକୁ ମିଳିଛି । ୨୦୧୪ରେ କ୍ରିମିଆ ଯୁଦ୍ଧକୁ ନେଇ ୟୁକ୍ରେନ-ରୁଷ ମଧ୍ୟରେ ବିବାଦ ଦେଖାଦେବା ସମୟରେ ଦୁଇ ଦେଶ ମଧ୍ୟରେ ୩ ବିଲିୟନ ଡଲାରର ବ୍ୟବସାୟ ହୋଇଥିଲା । ମାତ୍ର ଏହାପରେ ୨୦୧୫ରେ ବ୍ୟବସାୟ ୧.୮ ବିଲିୟନ ଡଲାରକୁ ଖସି ଆସିଥିଲା । ତେବେ ବର୍ତ୍ତମାନ ପୁଣି ଥରେ ବିବାଦର ସୂତ୍ରପାତ ହୋଇଥିବାରୁ ଦ୍ୱିରାଷ୍ଟ୍ରୀୟ ଟ୍ରେଡିଂ ପୁଣି ଥରେ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

ଏନେଇ ଦିଲ୍ଲୀ ୟୁନିଭରସିଟିର ଜଣେ ପ୍ରଫେସର ତଥା ସାମରିକ ଏକ୍ସପର୍ଟ କହିଛନ୍ତି ଯେ, ରୁଷ-ୟୁକ୍ରେନ ବିବାଦ ଭାରତର କୂଟନୀତିକ ସମସ୍ୟା ବୃଦ୍ଧି କରାଇବ । ଯଦି ପରିସ୍ଥିତି ଅଧିକ ଜଟିଳ ହୁଏ, ତେବେ ଭାରତକୁ ଆମେରିକା-ରୁଷ ମଧ୍ୟରୁ ଜଣଙ୍କ ପକ୍ଷ ନେବାକୁ ପଡ଼ିପାରେ । ତେଣୁ ଏଭଳି ଜଟିଳ ସ୍ଥିତିରେ ଭାରତ ଆଗରେ ଆର୍ଥିକ ସମସ୍ୟା ଦେଖାଦେଇପାରେ । ଭାରତ ଅଶୋଧିତ ତୈଳ ଆମଦାନୀ ପାଇଁ ବହୁମାତ୍ରାରେ ରୁଷ୍ ଉପରେ ନିର୍ଭରଶୀଳ, ତେଣୁ ଯୁଦ୍ଧ ହେଲେ ନିଶ୍ଚିତ ଭାବେ ତୈଳ ଦର ବୃଦ୍ଧି ପାଇବ । ସେହପରି ୟୁକ୍ରେନରେ ଭାରତର ଅନେକ ଛାତ୍ରଛାତ୍ରୀ ମେଡିକାଲ ପଢ଼ୁଥିବାରୁ ସେମାନଙ୍କର ସୁରକ୍ଷା ପ୍ରତି ଆଶଙ୍କା ସୃଷ୍ଟି ହେବା ସହ ଓ କ୍ୟାରିୟର ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.