ଓଡ଼ିଶା ଭାସ୍କର: ଆଜିକାଲି ଯୁଗରେ ଟାଟୁ କରିବା ଏକ ଷ୍ଟାଇଲ ହୋଇଗଲାଣି । ଅଧିକାଂଶ ଲୋକେ ଦେହରେ ଟାଟୁ କରିଥାନ୍ତି । କିନ୍ତୁ ଏହି ଷ୍ଟାଇଲ ପାଇଁ ହୋଇପାରେ କ୍ୟାନ୍ସର ଭଳି ରୋଗ । ଟାଟୁ କରୁଥିବା ଲୋକଙ୍କ ଦେହରେ କ୍ୟାନ୍ସର ହେବାର ଆଶଙ୍କା ମଧ୍ୟ ବୃଦ୍ଧି ହେବାରେ ଲାଗିଛି । ଟାଟୁ ହିଁ ଅନେକ ଲୋକଙ୍କ ପାଇଁ ଏହି ମାରାତ୍ମକ ରୋଗର କାରଣ ପାଲଟିଛି । ତେଣୁ ଟାଟୁ କରିବା ପରମ୍ପରା ବା ଫ୍ୟାଶନ୍ ଏବେ ଲୋକଙ୍କୁ ମୃତ୍ୟୁର ନିକଟକୁ ନେଇଯାଉଛି ।
ତେବେ ଶରୀରରେ ଟାଟୁ କରିବା ବର୍ତ୍ତମାନ ଖୁବ ଲୋକପ୍ରିୟ ହୋଇଥିଲେ ମଧ୍ୟ ଏହା ଏବେକାର ଟ୍ରେଣ୍ଡ ନୁହେଁ । ବହୁ ପୂର୍ବରୁ ଆଦିବାସୀମାନେ ଦେହରେ ଟାଟୁ କରୁଥିଲେ । କିନ୍ତୁ ଷ୍ଟାଇଲ ପାଇଁ ଶରୀରରେ ଟାଟୁ କରିବା ଏବେ ମରଣ ଡାକି ଆଣୁଛି । ରିସର୍ଚ୍ଚ ଅନୁସାରେ, ଟାଟୁ କରୁଥିବା ଲୋକଙ୍କ ମଧ୍ୟରେ ବ୍ୟାପୁଛି ମାରାତ୍ମକ ରୋଗ କ୍ୟାନ୍ସର । ଶରୀରରେ ଟାଟୁ କରିବା ଦ୍ୱାରା କ୍ୟାନ୍ସର ହେବାର ଆଶଙ୍କା ବା ସମ୍ଭାବନା ୨୧% ଅଧିକ ବୃଦ୍ଧି ପାଉଛି । ଏ ନେଇ ରିପୋର୍ଟ ପ୍ରକାଶ କରିଛି ସ୍ୱିଡେନର ଲୁଣ୍ଡ ୟୁନିଭର୍ସିଟି । ଟାଟୁ କରୁଥିବା ଲୋକଙ୍କ ଦେହରେ ଲିମ୍ଫୋମା ବିକଶିତ ହେବାର ଆଶଙ୍କା ୨୧ ପ୍ରତିଶତ ଅଧିକ ରହିଥାଏ । ଏହାବ୍ୟତୀତ ଟାଟୁ ପାଇଁ ଅନ୍ୟାନ୍ୟ ରୋଗ ମଧ୍ୟ ଶରୀରକୁ ଆକ୍ରାନ୍ତ କରିପାରେ ।
ଦିଲ୍ଲୀ ହିନ୍ଦୁରାଓ ହସ୍ପିଟାଲର ଅବସରପ୍ରାପ୍ତ ସିଏମଓ କହିଛନ୍ତି ଯେ, ଟାଟୁ କରିବା ସମୟରେ ସର୍ବଦା ସାôଦାନ୍ ରହିବା ଉଚିତ୍ । ଅନ୍ୟ କୌଣସି ବ୍ୟକ୍ତିଙ୍କ ଶରୀରରେ ବ୍ୟହାର ହୋଇଥିବା ସ୍ୟାହି ବା ଛୁଞ୍ଚି ଦ୍ୱାରା ବିଭିନ୍ନ ରୋଗ ସଂକ୍ରମଣର ଆଶଙ୍କା ରହିଥାଏ । ଏହାଦ୍ୱାରା ହେପାଟାଇଟିସ ବି/ସି, ଏଚଆଇଭି ଏବଂ ଲିଭର ଓ ରକ୍ତ କର୍କଟ ମଧ୍ୟ ଗ୍ରାସ କରିପାରେ । ତେବେ ଏହିସବୁ ରିସର୍ଚ୍ଚ ପରେ ଟାଟୁ କରୁଥିବା ଲୋକଙ୍କ ମଧ୍ୟରେ ଜୀବନ-ମୃତ୍ୟୁ ଭୟ ବଢିଯାଇଛି । ଏହି କାରଣ ପାଇଁ ଟାଟୁ ବ୍ୟବସାୟରେ ମଧ୍ୟ ରୋକ ଲାଗିପାରେ ବୋଲି ଆଶା କରାଯାଉଛି ।