fbpx

IIT କାନପୁର ବିକଶିତ କରୁଛି ‘କୃତ୍ରିମ ଦିଲ୍’: ଯେଉଁ ଲୋକଙ୍କର ହୃଦୟ ଠିକରେ ରକ୍ତ ପମ୍ପ କରୁନଥିବ, ସେମାନଙ୍କ ପାଇଁ ଉପଯୋଗୀ ହେବ

ନୂଆଦିଲ୍ଲୀ: ଆଇଆଇଟି କାନପୁରକୁ ମିଳିଛି ଏକ ବଡ଼ ସଫଳତା । ଟାଇଟେନିୟମ ଧାତୁରୁ ଆଇଆଇଟି ଟିମ୍ ଦ୍ୱାରା ‘କୃତ୍ରିମ ହୃଦୟ’ ବିକଶିତ କରାଯାଉଛି । ଟେକନିକ୍ ଭାଷାରେ ଏହାକୁ ଏଲଭିଏଡି ବା ଲେଫ୍ଟ ଭେଣ୍ଟ୍ରିକୁଲର ଅସିଷ୍ଟ ଡିଭାଇସ୍ କୁହାଯାଇଥାଏ । ଯେଉଁ ଲୋକଙ୍କର ହୃଦୟ ଠିକରେ ରକ୍ତ ପମ୍ପ କରିପାରେ ନାହିଁ ସେମାନଙ୍କ ପାଇଁ ଏହା ଉପଯୋଗ ହୋଇ ପାରିବ । ବିଦେଶରେ ଏହି କୃତ୍ରିମ ହୃଦୟକୁ ୧୦ ଗୁଣା କମ୍ ଖର୍ଚ୍ଚରେ ପ୍ରସ୍ତୁତ କରାଯାଇ ପାରିବ ।

ମଣିଷ ପୂର୍ବରୁ ଏହି କୃତ୍ରିମ ହୃଦୟ ପ୍ରଥମେ ଛେଳିର ଛାତିରେ ଲଗାଯିବ । ଏହି କୃତ୍ରିମ ହୃଦୟକୁ ହୃଦୟନ୍ତ୍ର ନାମ ଦିଆଯାଇଛି । ଖୁବଶୀଘ୍ର ଏହାର ଆନିମଲ ଟ୍ରାଏଲ୍ ଆରମ୍ଭ ହେବ । ଏହାକୁ ପ୍ରଥମେ ଘୁଷୁରୀ ଶରୀରରେ ଲଗାଇବା ନେଇ ଯୋଜନା ହୋଇଥିଲା, ମାତ୍ର ଏବେ ତାହାକୁ ଛେଳିଠାରେ ଲଗାଯିବ ବୋଲି ଆଇଆଇଟି କାନପୁରର ନିର୍ଦ୍ଦେଶକ କହିଛନ୍ତି । ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସହଯୋଗ ଓ ପ୍ରଫେସରଙ୍କ ପରାମର୍ଶ ନେଇ ଏହାକୁ ବିକଶିତ କରାଯାଉଥିବା ସେ କହିଛନ୍ତି ।

ବିଦେଶରେ ମିଳୁଥିବା କୃତ୍ରିମ ହୃଦୟର ମୂଲ୍ୟ ୧ କୋଟିରୁ ଅଧିକ ଟଙ୍କା ହୋଇଥିବା ବେଳେ ଆଇଆଇଟି କାନପୁର ଓ ହାଇଦ୍ରାବାଦ ହସ୍ପିଟାଲର ଡାକ୍ତରମାନେ ଏହା ଉପରେ ଗବେଷଣା ଆରମ୍ଭ କରିଥିଲେ । ଏହି କୃତ୍ରିମ ହୃଦୟକୁ ୧୦ ଲକ୍ଷ ଟଙ୍କା ମୂଲ୍ୟରେ ପ୍ରସ୍ତୁତ କରାଯାଉଛି । ବଜାରକୁ ଏହା ଆସିବା ପରେ ଏହାର ମୂଲ୍ୟ ଆହୁରି ବଢ଼ିପାରେ । ବର୍ତ୍ତମାନ କେବଳ ଏହା ଉପରେ ରିସର୍ଚ୍ଚ କରାଯାଉଥିବା ବେଳେ ଖୁବଶୀଘ୍ର ଏହାର ଆନିମାଲ ଟ୍ରାଏଲ ଆରମ୍ଭ ହେବ । ଏହି ଡିଭାଇସର ଆକାର ଏକ ପାଇପ୍ ପରି ହେବ, ଯାହାକି ହୃଦୟର ଗୋଟିଏ ଅଂଶକୁ ଅନ୍ୟ ଅଂଶ ସହ ଯୋଡ଼ିବ । ଏହାର ସହଯୋଗରେ ରକ୍ତକୁ ଶରୀରରେ ପମ୍ପ କରାଯିବ ଓ ଧମନୀ ସହାୟତାରେ ସାରା ଶରୀରରେ ପହଞ୍ଚାଯିବ । ହୃଦୟର ଡିଜାଇନ କମ୍ପ୍ୟୁଟର ସିମୁଲେଶନ ଦ୍ୱାରା ପ୍ରସ୍ତୁତ କରାଯାଇଛି ।

Get real time updates directly on you device, subscribe now.