fbpx

ILS ବୈଜ୍ଞାନିକ ଆବିଷ୍କାର କଲେ ପ୍ରୋବାୟୋଟିକ ବ୍ୟାକ୍ଟେରିଆ: ତରଳ ଝାଡ଼ା ଓ ମେଦବହୁଳତା ପ୍ରତିରୋଧ କ୍ଷେତ୍ରରେ ବଡ଼ ସଫଳତା

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲଏସ)କୁ ମିଳିଛି ପୁଣି ଏକ ବଡ଼ ସଫଳତା । ଆଇଏଲଏସର ବୈଜ୍ଞାନିକମାନେ ଏକ ପ୍ରୋବାୟୋଟିକ୍ ବ୍ୟାକ୍ଟେରିଆ ଆବିଷ୍କାର କରିଛନ୍ତି । ଏହା ତରଳ ଝାଡ଼ା ଓ ମେଦବହୁଳତା ପ୍ରତିରୋଧ କ୍ଷେତ୍ରରେ ବେଶ୍ ସହାୟକ ହୋଇପାରିବ । ଏଥିସହିତ ମଣିଷର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାର ସମାଧାନ କରିବା କ୍ଷେତ୍ରରେ ମଧ୍ୟ ଏହା ଉପଯୋଗୀ ସାବ୍ୟସ୍ତ ହେବ ବୋଲି କୁହାଯାଇଛି ।

ଜଣାପଡ଼ିଛି ଯେ, ଆଇଏଲଏସର ପୂର୍ବତନ ନିର୍ଦ୍ଦେଶକ ଡ. ଅଜୟ ପରିଡ଼ାଙ୍କ ନେତୃତ୍ୱରେ ଭାରତ ସରକରଙ୍କ ବାୟୋଟେକ୍ନୋଲୋଜି ବିଭାଗ ପକ୍ଷରୁ ଆଦିବାସୀଙ୍କ ସ୍ୱାସ୍ଥ୍ୟ ଓ ପୁଷ୍ଟି ସମ୍ବନ୍ଧୀୟ ଏହି ଗବେଷଣାକୁ ତିନିବର୍ଷ ପୂର୍ବରୁ ଆରମ୍ଭ କରାଯାଇଥିଲା । ପ୍ରୋବାୟୋଟିକ ହେଉଛି ଏକ ଉପକାରୀ ବ୍ୟାକ୍ଟେରିଆ ଯାହା ଜୀବନ୍ତ ଅବସ୍ଥାରେ ପର୍ଯ୍ୟାପ୍ତ ମାତ୍ରାରେ ସେବନ କଲେ ମଣିଷ ଓ ପଶୁଙ୍କୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଉପକାର ମିଳିଥାଏ । ଆଦିବାସୀ ଲୋକଙ୍କ ସ୍ୱାସ୍ଥ୍ୟ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଏହି ଉପକାରୀ ଜୀବାଣୁ ବା ପ୍ରୋବାୟୋଟିକକୁ ଆବିଷ୍କାର କରିବାରେ ଗବେଷକମାନେ ସଫଳତା ଲାଭ କରିଛନ୍ତି ।

ଓଡ଼ିଶାର ଜନଜାତିର ଖାଦ୍ୟ ଅଭ୍ୟାସ, ସଂସ୍କୃତି ଓ ପରିସଂସ୍ଥାକୁ ହୃଦୟଙ୍ଗମ କରି ବୈଜ୍ଞାନିକମାନେ ଏହି ରିସର୍ଚ୍ଚ ଆରମ୍ଭ କରିଥିଲେ । ରିସର୍ଚ୍ଚ ଟିମ୍ ଏପରି ଏକ ଉପଯୋଗୀ ପ୍ରୋବାୟୋଟିକର ପୂରା ଜିନୋମ୍ କ୍ରମ ଓ ଅନ୍ୟ କିଛି ପ୍ରୋବାୟୋଟିକର ଗୁଣକୁ ଅନୁସନ୍ଧାନ କରିଛନ୍ତି । ଏକ ପ୍ରତିଷ୍ଠିତ ଅନ୍ତର୍ଜାତୀୟ ମାଗାଜିନରେ ଏ ବାବଦରେ ରିସର୍ଚ୍ଚ ତଥ୍ୟ ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ମଧ୍ୟ ଆଇଏଲଏସ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା ହାସଲ କରିଥିଲା । ଆଇଏଲଏସର ବୈଜ୍ଞାନିକମାନେ ଗତ ଫେବୃଆରୀ ମାସରେ ଗୁରୁତର ମ୍ୟାଲେରିଆ ଓ ବ୍ରେନ ମ୍ୟାଲେରିଆ ଔଷଧ ଉଦ୍ଭାବନ କରିଥିଲେ । ଲୋକଙ୍କର ଜୀବନ ରକ୍ଷା କରିବାରେ ଉକ୍ତ ମେଡିସିନ ସହାୟକ ହୋଇ ପାରିବ ବୋଲି ଦାବି କରାଯାଇଥିଲା ।

Get real time updates directly on you device, subscribe now.