ଖବର ପ୍ରସାରଣ ପରେ ଚମ୍ପୁଆ ପଞ୍ଚାୟତ ସମିତି କାର୍ୟ୍ୟାଳୟର ନିର୍ମାଣାଧୀନ ଗୃହରେ ଲାଗିଲା ସୂଚନା ଫଳକ

ଚମ୍ପୁଆ – ଆମର ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ। ନିର୍ମାଣାଧୀନ ସରକାରୀ କୋଠାରେ ଲାଗିଲା ସୂଚନା ଫଳକ। ଏହି ସୂଚନା ଫଳକ ଲାଗିଲା ଚମ୍ପୁଆ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ନିର୍ମାଣ ହେଉଥିବା ନୂଆ କୋଠାରେ ।

ସରକାରୀ ନିୟମ ଅନୁସାରେ ସରକାରଙ୍କ ପାଣ୍ଠି ବିନିଯୋଗରେ ନିର୍ମାଣ କରାଯାଉଥିବା ଯେ କୌଣସି ନିର୍ମାଣ କାର୍ୟ୍ୟ ଆରମ୍ଭ କରାଯିବା ପୂର୍ବରୁ ସେହି କାର୍ୟ୍ୟ ସମ୍ବନ୍ଧରେ ଜନ ସାଧାରଣଙ୍କ ଅବଗତି ନିମନ୍ତେ ଏକ ସୂଚନା ଫଳକ ଲଗା ଯିବାର ନିର୍ଦ୍ଦେଶ ରହିଛି । ଚମ୍ପୁଆ ବ୍ଲକ ଅଞ୍ଚଳରେ ସରକାରଙ୍କ ଉକ୍ତ ନିୟମକୁ ଜଳାଞ୍ଜଳି ଦେଇ ବିନା ସୂଚନା ଫଳକରେ ଅନେକ କାର୍ୟ୍ୟ ସଂପାଦନ ହେଉଛି । ତେବେ ଏବେ ପଞ୍ଚାୟତ ସମିତି କାର୍ୟ୍ୟଳୟ ପରିସର ମଧ୍ୟରେ ନିର୍ମାଣ ହେଉଥିବା ନୂଆ କୋଠାରେ ସରକାରୀ ନିୟମର ଖୋଲା ଖୋଲି ଉଲଙ୍ଘନ ହୋଇଥିଲା। ନିର୍ମାଣ କାମ ପ୍ରାୟ ସରିବାକୁ ବସିଥିବା ବେଳେ ଏଥିରେ ସୂଚନା ଫଳକ ଲଗା ଯାଇ ନ ଥିଲା ।

ଚମ୍ପୁଆ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ କାର୍ୟ୍ୟଳୟ ପାର୍ଶ୍ଵରେ ଏହି ପଞ୍ଚାୟତ ସମିତି କାର୍ୟ୍ୟଳୟ ପରିସର ମଧ୍ୟରେ ନିର୍ମାଣ କରାଯାଉଛି । କୋଠା ଘର ପାଇଁ କେଉଁ ସରକାରୀ ପାଣ୍ଠି ଓ କେତେ ପାଣ୍ଠି ବିନିଯୋଗ ହେଉଛି, କେଉଁ ସଂସ୍ଥା ଦ୍ୱାରା କାମ ହେଉଛି, କୌଣସି ବି ସୂଚନା ଦିଆଗଲା ନାହିଁ । ଏହାକୁ ନେଇ ଓଡ଼ିଶା ଭାସ୍କରରେ ଖବର ପ୍ରକାଶିତ ହେବା ପରେ ଚମ୍ପୁଆ ପ୍ରଶାସନର ଚେତା ପଶିଛି । ଲାଗିଛି ସୂଚନା ଫଳକ ।

କୋଠାଘରଟି ୫ମ ରାଜ୍ୟ ଅର୍ଥ କମିଶନର ୨୦୨୪-୨୫ ଆର୍ଥିକ ବର୍ଷର ୨୧,୮୯,୮୬୫ ଟଙ୍କା ଆର୍ଥିକ ଅନୁଦାନରେ ଗୋଷ୍ଠି ଉନ୍ନୟନ ବିଭାଗ ଚମ୍ପୁଆଙ୍କ ଦ୍ଵାରା ନିର୍ମାଣ ହେଉଛି । କୋଠା ଘର ନିର୍ମାଣ ଦାୟିତ୍ବ ଠିକାଦାର ଅମିତ କୁମାର ପଣ୍ଡାଙ୍କୁ ଦିଆଯାଇଥିବା ସୂଚନା ଫଳକରୁ ସ୍ପଷ୍ଟ ହେଉଛି ।