ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଟେଲାଇଟ ସର୍ଭେରେ ୨୬ ହଜାର ଭୂତ ଚାଷୀ ଧରାପଡ଼ିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ମନ୍ତ୍ରୀଙ୍କ କହିବା ମୁତାବକ, ‘ଭୂତ ଚାଷୀ ଧରାପଡ଼ିଥିବାରୁ ୧୬୦୦ କୋଟି ଟଙ୍କା ବଞ୍ଚାଇ ପାରିଛୁ । ଟୋକନ ଓ ଟେକ୍ନୋଲୋଜି ଦ୍ୱାରା ସୁରୁଖୁରରେ ଧାନ କିଣା ଚାଲିଛି । ଧାନ କିଣା ସମ୍ପୂର୍ଣ୍ଣ ଭାବେ ସୂଚାର ରୂପେ ହେବ । ସରକାରୀ ସ୍ତରରେ କୌଣସି ପ୍ରକାରର ତ୍ରୁଟି ହେବନି ।’
ତେବେ ବର୍ତ୍ତମାନ ସୁଦ୍ଧା ୭ ଲକ୍ଷ ୮୦ ହଜାର ୭୧୦ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି । ୧ ଲକ୍ଷ ୫୦ ହଜାର ୨୭୩ ଜଣ ଚାଷୀଙ୍କଠାରୁ ଧାନ ସଂଗ୍ରହ ହୋଇଛି । ୧୬ଟି ଜିଲ୍ଲାର ୬୭୪ଟି ସୋସାଇଟିରୁ ଧାନ ସଂଗ୍ରହ ହୋଇଛି । ବର୍ଷା ଯୋଗୁଁ ଧାନ କଟାରେ ୧୫ରୁ ୨୦ ଦିନ ବିଳମ୍ବ ହୋଇଛି ବୋଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।