fbpx

୧୦୬ ସରକାରୀ ବିଦ୍ୟାଳୟରେ ବୃଦ୍ଧି ପାଇଲା ୧୩୪୬୮ ଏକାଦଶ ଶ୍ରେଣୀ ସିଟ୍

ଭୁବନେଶ୍ୱର:୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟରେ ୧୦୬ ଗୋଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲାଯିବା ପାଇଁ ପଦକ୍ଷେପ ନିଆଯାଇଛି । ଏଥି ମଧ୍ୟରୁ ୧୦୦ ଗୋଟି ବିଦ୍ୟାଳୟରେ କଳା ଓ ୬ ଗୋଟି ବିଦ୍ୟାଳୟରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ କରାଯିବ । ଏହି ବିଦ୍ୟାଳୟଗୁଡ଼ିକରେ ଦୁଇ ଗୋଟି ଲେଖାଏଁ ସେକ୍ସନ ଖୋଲିବା ପାଇଁ ସ୍ଥିର ହୋଇଛି । ପ୍ରତ୍ୟେକ ସେକ୍ସନରେ ୬୪ ଜଣ ଲେଖାଏଁ ମୋଟ ୧୨୮ ଛାତ୍ରଛାତ୍ରୀ ନାମ ଲେଖାଇବେ ।

ଏହାଦ୍ୱାରା ରାଜ୍ୟରେ ୧୦୬ ଗୋଟି ସରକାରୀ ବିଦ୍ୟାଳାୟରେ ମୋଟ ୧୩୪୬୮ ସିଟ ନାମ ଲେଖାପାଇଁ ବୃଦ୍ଧି ପାଇବ । ସମ୍ପ୍ରତି ପ୍ରଧାନଶିକ୍ଷକମାନେ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିବା ପାଇଁ ସେମାନଙ୍କୁ ରାଜ୍ୟସ୍ତରରେ ତାଲିମ ଦିଆଯାଇଛି । ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ପାଇଁ ଅତିଥି ଶିକ୍ଷକ ନିଯୋଜନ ପ୍ରକ୍ରିୟା ବିଦ୍ୟାଳୟ ସ୍ତରରେ ଚାଲୁ ରହିଛି ।

ଚଳିତ ବର୍ଷ ମୋଟ ୫ ଲକ୍ଷ ୧୬ ହଜାର ୪୩୫ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୩୮୬ ଜଣଙ୍କୁ ଏମ୍‌ପି କରାଯାଇଥିବା ବେଳେ ୫ ଲକ୍ଷ ୮ ହଜାର ୪୦୪ ଜଣ ପାସ୍ କରିଛନ୍ତି। ଓଡ଼ିଶାରେ ଚଳିତ ବର୍ଷ ରେକର୍ଡ ସଂଖକ ପିଲା ପାସ୍ କରିଥିବାରୁ ଅନେକ ଜିଲ୍ଲାରେ ସିଟ୍ ଅଭାବ ନେଇ ସରକାର ଚିନ୍ତାରେ ପଡ଼ିଥିଲେ। ଆବଶ୍ୟକ ପଡିଲେ କିଛି ଜିଲ୍ଲାରେ ସିଟ୍ ସଂଖ୍ୟା ବଢାଯାଇପାରେ ବୋଲି ପୂର୍ବରୁ ବିଭାଗୀୟ ମନ୍ତ୍ରୀ ପ୍ରମିଳା ମଳିକ ସୂଚନା ଦେଇଥିଲେ।

ଚଳିତ ମାସ ୨୯ ତାରିଖରୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ। ନାମଲେଖା ପାଇଁ ସାମ୍ସ ପୋର୍ଟାଲ ଖୋଲିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ରାଜ୍ୟରେ ଚଳିତବର୍ଷ ଠାରୁ ଅନଲାଇନରେ ସ୍ପଟ୍ ଆଡମିଶନ୍ ହେବ ବୋଲି ସରକାର ନିଷ୍ପତି ନେଇଛନ୍ତି। ଯୁକ୍ତ ଦୁଇ, ଆଇଟିଆଇ ଏବଂ ଡିପ୍ଲୋମାରେ ଅନଲାଇନ ମାଧ୍ୟମରେ ସ୍ପଟ ଆଡମିଶନ୍ ହେବ। ମେରିଟ୍ ଲିଷ୍ଟ ହିସାବରେ ଛାତ୍ରଛାତ୍ରୀ ସିଟ୍ ପାଇବେ ଏବଂ ସ୍ପଟ୍ ଆଡମିଶନ ପାଇଁ ସିଲେକ୍ସନ୍ ହେଲେ SMS କରାଯିବ। ସ୍ପଟ୍ ଆଡମିଶନରେ କାଗଜପତ୍ରରେ ଦୁର୍ନୀତି ରୋକିବାକୁ ସାମ୍‌ସ ପକ୍ଷରୁ ଏହି ବ୍ୟବସ୍ଥା କରାଯିବ।

ତେବେ ପିଲା ମାନଙ୍କୁ +୨ ବଦଳରେ ଧନ୍ଦାମୂଳକ ଶିକ୍ଷାପ୍ରତି ଆକର୍ଷଣ ପାଇଁ ପ୍ରୟାସ କରିଛନ୍ତି ରାଜ୍ୟ ସରକାର। ପିଲାମାନେ କିପରି ଧନ୍ଦାମୂଳକ ଶିକ୍ଷା ଆଡ଼କୁ ଢଳିବେ ସେ ନେଇ ଯୋଜନା କରୁଛନ୍ତି ସରକାର। ସ୍କୁଲ ସ୍ତରରେ ପିଲାଙ୍କୁ ଏନେଇ ପ୍ରୋତ୍ସାହିତ କରିବାକୁ ବୋର୍ଡର ଚିଠି କରାଯାଇଛି ଏବଂ ଏନେଇ ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ବୋର୍ଡ ସଭାପତି ଚିଠି ଲେଖିଛନ୍ତି।

Get real time updates directly on you device, subscribe now.