fbpx

ବରଯାତ୍ରୀ ଭିଡ଼ରୁ ଲୁଟିନେଲେ ଟଙ୍କା: ବରପିତାଙ୍କ ହାତରୁ ଟଙ୍କାଭର୍ତ୍ତି ବ୍ୟାଗ ଛଡ଼ାଇ ଫେରାର ଦୁର୍ବୃତ୍ତ

ନୂଆଦିଲ୍ଲୀ: ବାହାଘର ପାଇଁ ବରଯାତ୍ରୀ ଆସୁଛି । ହେଲେ ଏହା ମଧ୍ୟରେ ବରପିତାଙ୍କ ହାତରୁ ଟଙ୍କାଭର୍ତ୍ତି ବ୍ୟାଗ ଛଡ଼ାଇ ନେଇଛନ୍ତି ଦୁର୍ବୃତ୍ତ । ଭିଡ଼ର ସୁଯୋଗ ନେଇ ପ୍ରାୟ ଲକ୍ଷାଧିକ ଟଙ୍କା ଥିବା ବ୍ୟାଗ ଧରି ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ । ଏପରି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି ପୂର୍ବୀ ଦିଲ୍ଲୀର ହର୍ଷବିହାରରେ । ଏ ନେଇ ବରର ପିତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ହୋଇଥିବା ଅଭିଯୋଗ ଅନୁଯାୟୀ, ଜ୍ୟୋତି ନଗର ବାସିନ୍ଦା ଜୟନାରାୟଣ ନିଜ ପୁଅର ବିବାହ ପାଇଁ ବରଯାତ୍ରୀ ନେଇ ଜ୍ୟୋତି ନଗର ସ୍ଥିତ ଘରୁ ବାହାରିଥିଲେ । ତେବେ ରାତି ପ୍ରାୟ ୧୧ଟା ପାଖାପାଖି ବରଯାତ୍ରୀ ଆମ୍ବେଦକର ନଗରରେ ଯାଉଥିବା ସମୟରେ ତିନି ଜଣ ବ୍ୟକ୍ତି ଏକ ବାଇକ ଯୋଗେ ଆସି ଜୟନାରାୟଣଙ୍କ ହାତରୁ ଟଙ୍କାଭର୍ତ୍ତି ବ୍ୟାଗ ଛଡ଼ାଇ ପଳାଇ ଯାଇଥିଲେ । ତେବେ ସେହି ବ୍ୟାଗରେ ୧ ଲକ୍ଷରୁ ଅଧିକ ଟଙ୍କା ଥିବା ସେ ନିଜ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ତେବେ ସେ ଦୁର୍ବୃତ୍ତଙ୍କ ଚେହେରା ଏବଂ ବାଇକର ନମ୍ବର ପ୍ଲେଟ ଦେଖି ପାରିନଥିବା କହିଛନ୍ତି ।

ତେବେ ଜୟ ନାରାୟଣଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ଏହା ସହିତ ସ୍ଥାନୀୟ ଅଞ୍ଚଳର ସିସିଟିଭି ମଧ୍ୟ ଯାଞ୍ଚ କରୁଛି ।

Get real time updates directly on you device, subscribe now.