ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୮ ତାରିଖରେ ଦେଖିବାକୁ ମିଳିବ ବର୍ଷର ଶେଷ ଚନ୍ଦ୍ରଗ୍ରହଣ । ଭାରତରେ ଏହା ଦେଖାଯିବା ସହିତ ଏହାର ପ୍ରଭାବ ମଧ୍ୟ ଦେଶ ଉପରେ ପଡିବ । ତେଣୁ ଏହି ଗ୍ରହଣ ସମୟରେ ସତର୍କ ରହିବା ପାଇଁ କହିଛି ଜ୍ୟୋତିଶ ଶାସ୍ତ୍ର । ତେବେ ଏଥିରୁ ରକ୍ଷା ପାଇବା ପାଇଁ କିଛି ଉପାୟ ମଧ୍ୟ କହିଛି ଜ୍ୟୋତିଶ ଶାସ୍ତ୍ର । ତେବେ ଆସନ୍ତୁ ଜାଣିବା କେଉଁ ସମୟରେ ଭାରତରେ ଦେଖିବାକୁ ମିଳିବ ବର୍ଷର ଶେଷ ଗ୍ରହଣ ଏବଂ ଏହାର ସମୟ ।
ମେଷ ରାଶିରେ ଲାଗିବାକୁ ଯାଉଛି ଏହି ଶେଷ ଚନ୍ଦ୍ରଗ୍ରହଣ । ଭାରତୀୟ ସମୟାନୁସାରେ, ସନ୍ଧ୍ୟା ୫.୨୦ରୁ ଆରମ୍ଭ ହୋଇ ୬.୨୦ ସମୟ ପର୍ଯ୍ୟନ୍ତ ଭାରତରେ ଏହି ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ । ତେବେ ଗ୍ରହଣର ୯ ଘଣ୍ଟା ପୂର୍ବରୁ ଏହାର ସୂତକ କାଳ ଆରମ୍ଭ ହେବ । ବିଶେଷଜ୍ଞଙ୍କ କହିବା ଅନୁସାରେ, ଭାରତର ପୂର୍ବ କ୍ଷେତ୍ରରେ ଏହି ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ । ଗୌହାଟୀ, ରାଞ୍ଚି, ପାଟନା ଏବଂ କୋଲକାତା ସମତେ ରାଜଧାନୀ ଦିଲ୍ଲୀରେ ମଧ ଦୃଶ୍ୟମାନ ହେବ । ତେଣୁ ଏଠାକାର ଲୋକମାନଙ୍କୁ ଏହି ସମୟରେ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପଡିବ ।
ଚନ୍ଦ୍ରଗ୍ରହଣ ସମୟରେ କିଛି କାମ କରିବାରୁ ନିବୃତ୍ତ ରହିବା ପାଇଁ କୁହାଯାଇଛି । ଭଗବାନଙ୍କ ପୂଜାର୍ଚ୍ଚନା ବନ୍ଦ କରିବା ସହିତ ପାକ ନିଷେଧ ମଧ୍ୟ ନ କରିବା ପାଇଁ କୁହାଯାଏ । ଗ୍ରହଣ ଲାଗିଥିବା ସମୟରେ ଭଗବାନଙ୍କ ମୂର୍ତ୍ତିକୁ ଛୁଇଁବା ପାଇଁ ମଧ୍ୟ ବାରଣ କରାଯାଇଥିବା ବେଳେ ତୁଳସୀ ପତ୍ର ଛିଡାଇବା ପାଇଁ ମଧ୍ୟ ମନା ହୋଇଥାଏ । ସେହିପରି ଗ୍ରହଣ ସମୟରେ ଖାଦ୍ୟଗ୍ରହଣ କରିବାକୁ ଜ୍ୟୋତିଶ ଶାସ୍ତ୍ର ମନା କରିଛି । ଚନ୍ଦ୍ରଗ୍ରହଣ ସମୟରେ ଗର୍ଭବତୀ ମହିଳାଙ୍କୁ ଏହି ସମୟରେ ବିଶେଷ ସତର୍କ ରହିବାକୁ ହେବ । କୌଣସି ଜିନିଷକୁ କାଟିବା, ଛିଡାଇବା କିମ୍ବା ସିଲେଇ କରିବା କାମ ନ କରିବା ପାଇଁ ଉପଦେଶ ଦିଆଯାଇଛି ।