fbpx

‘ଦୟାଳୁ ଥିଲା, ଦୁଷ୍କର୍ମ ପରେ ନାବାଳିକାକୁ ଜୀବନ୍ତ ଛାଡି ଦେଲା,’ ନିଜର ଭୁଲ୍ ମାନିଲେ ହାଇକୋର୍ଟ

ଭୋପାଳ: ନାବାଳିକାକୁ ଦୁଷ୍କର୍ମ ପରେ ଜୀବନ୍ତ ଛାଡି ଦେବା, ଏହା ଦୁଷ୍କର୍ମକାରୀର ଦୟାଳୁପଣ ଥିଲା। ଏମିତି ଟିପ୍ପଣୀ କୌଣସି ବ୍ୟକ୍ତି କିମ୍ବା ରାଜନୈତିକ ଦଳର ନେତା କରିନଥିଲେ। ଏମିତି ଲଜ୍ଜାଜନକ ଟିପ୍ପଣୀ କରିଥିଲେ ନ୍ୟାୟର ମନ୍ଦିର ଅର୍ଥାତ ନ୍ୟାୟାଳୟ। ସେ ପୁଣି ମଧ୍ୟ ପ୍ରଦେଶ ଉଚ୍ଚ ନ୍ୟାୟାଳୟ। ଆଉ ବର୍ତ୍ତମାନ ନିଜର ଭୁଲ୍ ବୁଝି ପାରିଛନ୍ତି ଉଚ୍ଚ ନ୍ୟାୟାଳୟ। ନ୍ୟାୟାଳୟ ଅକ୍ଟୋବର ୧୮ରେ ନିଜର ନିଷ୍ପତ୍ତିରେ କହିଥିଲେ ଯେ, ଦୋଷୀ ଦୁଷ୍କର୍ମ ପରେ ନାବାଳିକାକୁ ଜୀବନ୍ତ ଛାଡି ଦେଇଥିଲା, ଏହା ତାର ଦୟାଳୁପଣ ଥିଲା। ଏହି କାରଣରୁ ଦୋଷୀକୁ ମିଳିଥିବା ଆଜୀବନ କାରାଦଣ୍ଡକୁ ୨୦ ବର୍ଷ କାରାବାସରେ ବଦଳା ଯାଇ ପାରିବ। ହାଇକୋର୍ଟର ଇନ୍ଦୋର ବେଞ୍ଚ କରିଥିବା ଏମିତି ଲଜ୍ଜାକର ଟିପ୍ପଣୀକୁ ଚାରି ଖୁବ୍ ସମାଲୋଚନା କରାଯାଇଥିଲା। ଏବେ ମଧ୍ୟ ପ୍ରଦେଶ ଉଚ୍ଚ ନ୍ୟାୟାଳୟ ଉକ୍ତ ଟିପ୍ପଣୀରେ ସୁଧାର କରିବା ସହିତ ନିଷ୍ପତ୍ତିରେ ବି ସଂଶୋଧନ କରିଛନ୍ତି।

ଅଦାଲତ ‘ଦୟାଳୁ ଥିଲା, ଦୁଷ୍କର୍ମ ପରେ ଝିଅଟିକୁ ଜୀବନ୍ତ ଛାଡି ଦେଇଥିଲା’ ଟିପ୍ପଣୀକୁ ହଟାଇ ଦେଇଛନ୍ତି। ଏଥିସହ ୨୦ ବର୍ଷ କାରାବାସକୁ ବଦଳାଇବା ଆଦେଶରେ ସଂଶୋଧନ କରିଛନ୍ତି। ଅଦାଲତ କହିଛନ୍ତି ଅଜାଣତରେ ତାଙ୍କ ନିଷ୍ପତ୍ତିରେ ଭୁଲ୍ ହୋଇଛି। ଅକ୍ଟୋବର ୨୭ରେ ଦେଇଥିବା ସଂଶୋଧିତ ଆଦେଶରେ ବିଚାରପତି ସୁବୋଧ ଅଭ୍ୟଙ୍କର ଏବଂ ସତ୍ୟନ୍ଦ୍ର କୁମାର ସିଂହଙ୍କ ଦୁଇ ଜଣିଆ ପୀଠ କହିଛନ୍ତି ଯେ, ଇନ୍ଦୋର ବେଞ୍ଚ ଦ୍ଵାରା ଅଜାଣତରେ ଭୁଲ୍ ହୋଇ ଯାଇଛି। ଆମେ ଏଥିରେ ସଂଶୋଧନ କରୁଛୁ। ଉଲ୍ଲେଖନୀୟ ଅପରାଧୀ ୪ ବର୍ଷର ଛୋଟ ଝିଅ ସହ ଦୁଷ୍କର୍ମ କରିଥିଲା।

ଇନ୍ଦୋର ବେଞ୍ଚର ନିଷ୍ପତ୍ତିର ଘୋର ନିନ୍ଦା ପରେ ଅଦାଲତ ଅକ୍ଟୋବର ୨୭ରେ ନିଜ ଭୁଲ୍ ମାନିଥିଲେ। ଉଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ଯେ, ଅଜାଣତରେ ଭୁଲ୍ ହୋଇ ଯାଇଛି। ଅଦାଲତ ପୂର୍ବରୁ ହିଁ ଆବେଦନକାରୀଙ୍କ ଅପରାଧକୁ ରାକ୍ଷସ ପ୍ରବୃତ୍ତି ମାନି ସାରିଛନ୍ତି। ଏମିତି ପରିସ୍ଥିତିରେ ଅଦାଲତ ସିଆରପିସିର ଧାରା ୩୬୨ ଆଧାରରେ ପ୍ରଦତ୍ତ ନିଜ ଶକ୍ତିର ଉପଯୋଗ କରି ଉପରୋକ୍ତ ପାରାଗ୍ରାଫ ସଂଶୋଧନ କରିଛନ୍ତି।

Get real time updates directly on you device, subscribe now.