fbpx

ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ଲର୍ଡ୍ସ ଗ୍ରାଉଣ୍ଡରେ ରାହୁଲଙ୍କ ଶତକ ଓ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ, ଭାରତ ୨୭୬/୩

ଲଣ୍ଡନ (ଭାସ୍କର ନ୍ୟୁଜ୍) : ସ୍ଥାନୀୟ ଲର୍ଡ୍ସ ଗ୍ରାଉଣ୍ଡରେ ଗୁରୁବାର ଦିନ ଆରମ୍ଭ ହୋଇଛି ଭାରତ-ଇଂଲଣ୍ଡ ଟେଷ୍ଟ କ୍ରିକେଟ ସିରିଜର ଦ୍ୱିତୀୟ ମ୍ୟାଚ । ପ୍ରଥମ ଦିନ ତୃତୀୟ ସେସନରେ ଭାରତ ୩ ୱିକେଟ ହରାଇ ୨୭୬ ରନ କରିଛି । ବର୍ଷାଯୋଗୁ କିଛି ସମୟ ବିଳମ୍ବରେ ମ୍ୟାଚ ଆରମ୍ଭ ହୋଇଥିଲା । ଟସ୍‌ ଜିତିବା ପରେ ଇଂଲଣ୍ଡ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିବା ବେଳେ ଲୋକେଶ ରାହୁଲଙ୍କ ଶତକ ଓ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ବଳରେ ଭାରତ ପ୍ରଥମ ଇନିଂସରେ ୩ ୱିକେଟ୍‌ ହରାଇ ୨୭୬ ରନ୍‌ ସଂଗ୍ରହ କରିଛି।

ପ୍ରଥମ ଟେଷ୍ଟ ଭଳି  ଦ୍ବିତୀୟ ଟେଷ୍ଟ ଆରମ୍ଭରୁ ବର୍ଷା ସାଜିଥିଲା ବାଧକ, କୋହଲା ପାଗ ବାଧା ଉପୁଯାଇଥିଲା । ୧୦ ମିନିଟ୍‌ ବିଳମ୍ବରେ ଖେଳ ଆରମ୍ଭ ହୋଇଥିଲା । ଟସ୍‌ ଜିତି ଇଂଲଣ୍ଡ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲ ସତର୍କତାର ସହ ବ୍ୟାଟିଂ ଆରମ୍ଭ କରିଥିଲେ । ଜେମ୍ସ ଆଣ୍ଡରସନ୍‌, ଓଲି ରବିନସନ, ମାର୍କ ଉଡ୍‌ ଓ ସାମ କୁରାନଙ୍କୁ ନେଇ ଗଠିତ ଇଂଲଣ୍ଡ ପେସ୍‌ ବାହିନୀ ଶୃଙ୍ଖଳିତ ବୋଲିଂ ଜାରି ରଖିଥିଲେ ହେଁ ୱିକେଟ ଅକ୍ତିଆର କରିବାରେ ବିଫଳ ହୋଇଥିଲେ । କ୍ରିଜ୍‌ରେ ଜମିବା ପରେ ରୋହିତ ଦର୍ଶନୀୟ ସଟ୍‌ମାନ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଅନ୍ୟ ପଟରେ ରାହୁଲ ତାଙ୍କୁ ଉପଯୁକ୍ତ ସହାୟତ କରିଥିଲେ ।

ପ୍ରଥମ ୱିକେଟ୍‌ରେ ଉଭୟ ୧୨୬ ରନ୍‌ ଯୋଗ କରିଥିଲେ । ରୋହିତ ବ୍ୟକ୍ତିଗତ ୮୩ ରନ୍‌ କରି ଶତକ ଆଡକୁ ଗତି କରୁଥିବାବେଳେ ଆଣ୍ଡରସନଙ୍କ ଏକ ବଲ୍‌କୁ ପରଖିବାରେ ତ୍ରୁଟି ବୋଲ୍ଡ ହୋଇଥିଲେ । ଏହି ଇନିଂସରେ ରୋହିତ ୧୧ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ପ୍ରଥମ ୱିକେଟ୍‌ର ପତନ ପରେ ରାହୁଲ ଧୈର୍ଯ୍ୟର ସହ ବ୍ୟାଟିଂ କରି ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଚେତେଶ୍ୱର ପୂଜାରାଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗେଇ ନେଉଥିବାବେଳେ ଆଣ୍ଡରସନ ଦ୍ୱିତୀୟ ୱିକେଟ୍‌ ନେଇ ଚିନ୍ତା ବଢାଇ ଦେଇଥିଲେ । ପୂଜାରା ମାତ୍ର ୯ ରନ୍‌ କରି ଆଉଟ୍‌ ହୋଇଥିଲେ । ପରବର୍ତ୍ତୀ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ଅପରାଜିତ ରାହୁଲଙ୍କ ସହ ମିଶି ସ୍ଥିତି ସୁଧାରି ନେଇଥିଲେ । ଉଭୟ ଦର୍ଶନୀୟ ସଟ୍‌ ମାନ ଖେଳି ଇଂଲଣ୍ଡ ବୋଲରଙ୍କୁ ନିରାଶ କରିଥିଲେ । ରାହୁଲ ଷଷ୍ଠ ଟେଷ୍ଟ ଶତକ ଅର୍ଜନ କରିଥିଲେ । ତୃତୀୟ ୱିକେଟ୍‌ରେ ୧୧୭ ରନ ସଂଗୃହୀତ ହୋଇଥିଲା । ଦଳୀୟ ସ୍କୋର ୨୬୭ ବେଳେ କୋହଲି ବ୍ୟକ୍ତିଗତ ୪୨ ରନ୍‌ କରି ପାଭିଲିୟନ ଫେରିଥିଲେ । ଇଂଲଣ୍ଡ ପକ୍ଷରୁ ଆଣ୍ଡରସନ୍‌ ୨ଟି, ଓଲି ରବିନସନ ଗୋଟିଏ ୱିକେଟ୍‌ ନେଇଥିଲେ ।

ଅନ୍ୟ ପକ୍ଷରେ ଆହତ ଜନିତ ସମସ୍ୟା ନେଇ ଇଂଲଣ୍ଡ ଦଳର ପୁରୁଖା ପେସ୍‌ ବୋଲର ଷ୍ଟୁଆର୍ଟ ବ୍ରଡ ଏହି ସିରିଜରୁ ବାଦ ପଡିଥିବା ବେଳେ ଆହତ ସତ୍ତେ୍ୱ ଅନ୍ୟତମ ପେସ୍‌ ବୋଲର ଜେମ୍ସ ଆଣ୍ଡରସନ ଦ୍ୱିତୀୟ ଟେଷ୍ଟ ଖେଳିବାକୁ ଇଛା କରିଥିଲେ । ତେବେ ସେ ସଫଳ ହୋଇ ଭାରତର ଦୁଇ ମୂଲ୍ୟବାନ ୱିକେଟ ଦଖଲ କରିଛନ୍ତି ।

 

Get real time updates directly on you device, subscribe now.