ଆଜି ତୃତୀୟ ଟି୨୦ ଜିତି ଇଂଲଣ୍ଡରେ ଇତିହାସ ରଚିପାରେ ଭାରତୀୟ ମହିଳା ଟିମ୍, ପ୍ରଥମ ଥର ହେବ ଏମିତି!
ଆଜି ଭାରତୀୟ ମହିଳା କ୍ରିକେଟ ଟିମ୍ ଏବଂ ଇଂଲଣ୍ଡ ମହିଳା ଟିମଙ୍କ ମଧ୍ୟରେ ତୃତୀୟ ଟି୨୦ ଖେଳା ଯିବ, ଯାହାକୁ ଜିତି ଟିମ୍ ଇଣ୍ଡିଆ ଇତିହାସ ରଚିପାରେ
ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମ ଏବଂ ଇଂଲଣ୍ଡ ମହିଳା କ୍ରିକେଟ ଟିମ ମଧ୍ୟରେ ଆଜି The Oval ଷ୍ଟାଡିୟମରେ ତୃତୀୟ ଟି ୨୦ ମ୍ୟାଚ ଖେଳାଯିବ।
ଏହି ମୁକାବିଲା ଜିତି ହରମନପ୍ରୀତ କୌରଙ୍କ କ୍ୟାପ୍ଟେନସିପରେ ଟିମ୍ ଇଣ୍ଟିଆ ଇତିହାସ ରଚିପାରେ। ୨ ବା ଅଧିକ ମ୍ୟାଚର ଟି୨୦ ସିରିଜରେ ଏହା ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ ବିଜୟ ହେବ।
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି୨୦ ସିରିଜର ଆରମ୍ଭ ୨୯ ଜୁନରେ ହୋଇଥିଲା। ପ୍ରଥମ ମ୍ୟାଚରେ ଭାରତ ୯୭ ରନରେ ଜିତିଥିଲା। କ୍ୟାପ୍ଟେନ ହରମନପ୍ରୀତ କୌର ଆହତ ହେବା ଯୋଗୁଁ ଖେଳିପାରି ନଥିଲେ।
ଏଥିପାଇଁ ଅଧିନାୟକତ୍ୱର ଦାୟିତ୍ୱ ସ୍ମୃତି ମନ୍ଧନା ନେଇଥିଲେ। ସେ ୬୨ ବଲରେ ୧୧୨ ରନରେ ଜବରଦସ୍ତ ଇନିଂସ ଖେଳିଥିଲେ। ୨୧୦ ରନର ବଡ଼ ସ୍କୋର କରିବା ପରେ ଭାରତୀୟ ବୋଲର ଇଂଲଣ୍ଡକୁ ୧୧୩ ରନରେ ହରାଇଥିଲେ।
ଦ୍ୱିତୀୟ ମ୍ୟାଚରେ ହରମନପ୍ରୀତ କୌରଙ୍କ ପ୍ରତ୍ୟାବର୍ତ୍ତନ ହୋଇଥିଲା। ଏହି ମ୍ୟାଚକୁ ମଧ୍ୟ ଟିମ ଇଣ୍ଡିଆ ୨୪ ରନରେ ନିଜ ନାଁ ରେ କରିଥିଲା। ଜେମିମା ରୋଡ୍ରିଗେଜ ଏବଂ ଅମନଜୋତ କୌରଙ୍କ ସାନଦାର ଇନିଂସରେ ଭାରତ ୧୮୧ ରନ କରିଥିଲା। ଇଂଲଣ୍ଡ ୧୫୭ ରନ କରିଥିଲା।
ଇତିହାସ ରଚିବାର ସୁଯୋଗ: ୨୦୦୬ରେ ମାତ୍ର ଗୋଟିଏ ଟି୨୦ ମ୍ୟାଚ ଖେଳି ଟିମ ଇଣ୍ଡିଆ ଇଂଲଣ୍ଡ ଯାଇଥିଲା। ଏଠାରେ ଭାରତ ବିଜୟ ହାସଲ କରି ସିରିଜକୁ ନିଜ ନାଁରେ କରିଥିଲା।
ହେଲେ ଏହାପରଠାରୁ ଆଜି ପର୍ଯ୍ୟନ୍ତ କେବେ ବି ଭାରତୀୟ ମହିଳା ଟିମ ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ ଜିତି ନାହିଁ। ୨୦୦୬ରେ ହୋଇଥିବା ସେହି ସିଙ୍ଗଲ ମ୍ୟାଚ ପରେ ୬ ସିରିଜ ଦୁଇଟି ସ୍ଥାନରେ ହୋଇଥିଲା। ୩ ସିରିଜ ଭାରତରେ ଏବଂ ଅନ୍ୟ ୩ଟି ଇଂଲଣ୍ଡରେ ହୋଇଥିଲା। ହେଲେ ପ୍ରତିଥର ଇଂଲଣ୍ଡ ହିଁ ବାଜିମାରିନେଇଛି।
ବର୍ତ୍ତମାନ ୫ଟି ମ୍ୟାଚର ଏହି ସିରିଜରେ ଟିମ ଇଣ୍ଡିଆ ଆରମ୍ଭର ଦୁଇଟି ମ୍ୟାଚ ଜିତିଛି। ଆଜି ଯଦି ହରମନପ୍ରୀତ କୌରଙ୍କ ଟିମ ଜିତେ ତେବେ ଏହା ଏକ ରେକର୍ଡ ହୋଇଯିବ। ୨୦୦୬ ପରେ ଏହା ପ୍ରଥମ ଥର ହେବ ଯେଉଁଥିରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ଟି୨୦ ସିରିଜରେ ହରାଇବ।