ଲେଜର୍ ବେସଡ୍ ଓ୍ୱିପନର ସଫଳ ପରୀକ୍ଷଣ କଲା ଭାରତ: ପ୍ରମୁଖ ଦେଶ ତାଲିକାରେ ହେଲା ସାମିଲ

ନୂଆଦିଲ୍ଲୀ: ଭାରତ ପ୍ରଥମ ଥର ଏକ ଲେଜର-ଆଧାରିତ ଅସ୍ତ୍ର ପ୍ରଣାଳୀର ସଫଳତାର ସହିତ ପରୀକ୍ଷଣ କରିଛି । ଯାହା ସ୍ଥିର ଫିକ୍ସଡ ୱିଂଗ ଏବଂ ସ୍ୱାର୍ମ ଡ୍ରୋନକୁ ନିଷ୍କ୍ରିୟ କରିପାରିବ। ଏହି ପ୍ରଯୁକ୍ତିବିଦ୍ୟା ବିକଶିତ କରିଥିବା ଚାରୋଟି ଦେଶ ମଧ୍ୟରୁ ଗୋଟିଏ ଦେଶ ହୋଇଯାଇଛି ଭାରତ। ଭାରତ ବ୍ୟତୀତ କେବଳ ଆମେରିକା, ଚୀନ୍ ଏବଂ ରୁଷ ଏହି ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଅସ୍ତ୍ରଶସ୍ତ୍ରକୁ ନିଷ୍କ୍ରିୟ କରିପାରେ ।

ଏହି ପରୀକ୍ଷଣ କୁରନୁଲର ଏକ ସାମରିକ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି, ଯେଉଁଠି ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ଏହି ଅସ୍ତ୍ରର ପ୍ରଦର୍ଶନ କରିଛନ୍ତି। ଏହି ସିଷ୍ଟମର ବିଶେଷତା ହେଉଛି ଏହା ଉଚ୍ଚ ସଠିକତା ସହିତ ବିଭିନ୍ନ ପ୍ରକାରର ଆକାଶୀୟ ବିପଦକୁ ନିଷ୍ପ୍ରଭାବି କରିପାରିବ। ଏହି ଲେଜର ୱିପନ ସିଷ୍ଟମ ସମ୍ପର୍କରେ ଜନୈକ ଡିଆରଡିଓ ଅଧିକାରୀ କହିଛନ୍ତି ଯେ ‘ଏହା ଆମର ରକ୍ଷା କ୍ଷମତାରେ ଏକ କ୍ରାନ୍ତିକାରୀ ପଦକ୍ଷେପ’।

ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ Mk-II(A) ଲେଜର-ନିର୍ଦ୍ଦେଶିତ ଶକ୍ତି ଅସ୍ତ୍ର ପ୍ରଣାଳୀର ସଫଳ ପରୀକ୍ଷଣ କରିଛି। ଏହି ପରୀକ୍ଷଣ କୁର୍ଣ୍ଣୁଲରେ ନ୍ୟାସନାଲ ଓପନ୍ ଏୟାର ରେଞ୍ଜ (NOAR) ରେ କରାଯାଇଥିଲା।

ଏହି ଅତ୍ୟାଧୁନିକ ଅସ୍ତ୍ରଟି ଏକକାଳୀନ ଅନେକ ଡ୍ରୋନକୁ ନିଷ୍କ୍ରିୟ କରି ପାରିବ , ଅଧିକ ଦୂରତାରୁ ଫିକ୍ସଡ ୱିଙ୍ଗ ଡ୍ରୋନକୁ ଟାର୍ଗେଟ କରିବା ଏବଂ ଶତ୍ରୁ ନିରୀକ୍ଷଣ ସେନ୍ସର ଏବଂ ଆଣ୍ଟେନାକୁ ନଷ୍ଟ କରିବା ଭଳି କ୍ଷମତା ସଫଳତାର ସହିତ ପ୍ରଦର୍ଶନ କରିଛି। DRDO ଏହାକୁ ସ୍ୱଦେଶୀ ଭାବରେ ଡିଜାଇନ୍ ଏବଂ ବିକଶିତ କରିଛି। ଏହି ସିଷ୍ଟମକୁ ହାଇଦ୍ରାବାଦର ଉଚ୍ଚ ଶକ୍ତି ପ୍ରଣାଳୀ ଏବଂ ବିଜ୍ଞାନ କେନ୍ଦ୍ର (CHESS), LRDE, IRDE, DLRL, ଦେଶର ଶିକ୍ଷାନୁଷ୍ଠାନ ଏବଂ ଭାରତୀୟ ଶିଳ୍ପର ଅବଦାନ ସହିତ ବିକଶିତ କରାଯାଇଛି।

ଏହି ଲେଜର ଅସ୍ତ୍ର କାହିଁକି ସ୍ୱତନ୍ତ୍ର?
-ଏହି ଅସ୍ତ୍ର ଆଲୋକର ବେଗରେ ଶତ୍ରୁକୁ ଟାର୍ଗେଟ କରେ।

-ଏହା ଉଚ୍ଚ କ୍ଷମତାସମ୍ପନ୍ନ ଲେଜର ବିମ୍ ବ୍ୟବହାର କରେ, ଯାହା କିଛି ସେକେଣ୍ଡ ମଧ୍ୟରେ ଶତ୍ରୁର ଡ୍ରୋନ୍, କ୍ଷେପଣାସ୍ତ୍ର କିମ୍ବା ଉପକରଣକୁ ନଷ୍ଟ କରିପାରେ।

-ଯଦି ଶତ୍ରୁର ଯୁଦ୍ଧାସ୍ତ୍ର ଏହି ଲେଜରର ପରିସର ମଧ୍ୟରେ ଆସେ, ତେବେ ଏହା ସିଧାସଳଖ ବିସ୍ଫୋରଣ ଘଟାଇପାରେ।
-ଏହା ସମ୍ପୂର୍ଣ୍ଣ ସଠିକତା ଏବଂ ତୁରନ୍ତ ଆକ୍ରମଣ କରେ ଯାହାଦ୍ବାରା ଆଖପାଖ ଅଞ୍ଚଳକୁ କୌଣସି କ୍ଷତି ପହଞ୍ଚାଏ ନାହିଁ।

ଏହି ଲେଜର ଅସ୍ତ୍ର ପରିଚାଳନାର ଖର୍ଚ୍ଚ ବହୁତ କମ୍ । ଏହା ତୁଳନାରେ ପାରମ୍ପରିକ କ୍ଷେପଣାସ୍ତ୍ର ଏବଂ ଗୁଳିଗୋଳା ବହୁତ ମହଙ୍ଗା। ଏହି କାରଣରୁ ସାରା ବିଶ୍ୱର ସେନା ଏବେ DEW ପ୍ରଯୁକ୍ତିବିଦ୍ୟା ଗ୍ରହଣ କରିବାକୁ ଆଗ୍ରହୀ ହେଉଛନ୍ତି।