ନୂଆଦିଲ୍ଲୀ: ଦେଶରେ କୋଭିଡ୍ ସଂକ୍ରମଣ ବଢ଼ିବାରେ ଲାଗିଛି । ପ୍ରତିଦିନ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୪୦ ହଜାରରୁ ଅଧିକ ନୂତନ ମାମଲା ଚିହ୍ନଟ ହୋଇଛି । ଲଗାତର ଭାବରେ ଦ୍ୱିତୀୟ ଦିନ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ପାର୍ କରିଛି । ଶୁକ୍ରବାର ଦିନ ଦେଶରେ ୧ ଲକ୍ଷ ୪୧ ହଜାର ୫୨୫ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପୁର୍ବରୁ ଗୁରୁବାର ଦିନ ୧ ଲକ୍ଷ ୧୭ ହଜାର ମାମଲା ସାମନାକୁ ଆସିଥିଲା । ଦେଶକୁ ଓମିକ୍ରନ ଭାରିଆଣ୍ଟ ଆସିବା ପରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ।
ସେହିପରି ଶୁକ୍ରବାର ଦିନ ୧୨୯ ଜଣଙ୍କର ମୃତ୍ୟୁ ହୋଇଛି । ସଂକ୍ରମଣ ତୁଳନାରେ ମୃତ୍ୟୁହାର କମ୍ ରହିଛି । ତେବେ ସବୁଠାରୁ ଅଧିକ ସଂକ୍ରମିତ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି । କେବଳ ମହାରାଷ୍ଟ୍ରରେ ୪୦ ହଜାର ୯୨୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ମୁମ୍ବାଇରେ ଗୋଟିଏ ଦିନରେ ୨୦ ହଜାର ୯୭୧ ନୂଆ କେସ୍ ସାମନାକୁ ଆସିଛି ।