fbpx

ଚୀନ ବିରୋଧରେ ଅଧିକ ଆକ୍ରମଣାତ୍ମକ ହେଲା ଭାରତ, ସୀମାରେ ମୁତୟନ କଲା ଅତିରିକ୍ତ ୫୦ ହଜାର ଯବାନ

ନୂଆଦିଲ୍ଲୀ : ଚୀନ ସୀମାରେ ଅଧିକ ଆକ୍ରମଣାତ୍ମକ ହେଲା ଭାରତ। ରଣନୀତିରେ ପରିବର୍ତ୍ତନ କରି ସୀମାରେ ମୁତୟନ କଲା ୫୦ ହଜାର ଅତିରିକ୍ତ ସୈନିକ। ଏହା ପୂର୍ବରୁ ସାଧାରଣତଃ ଭାରତ ପାକିସ୍ତାନ ସଂଲଗ୍ନ ସୀମାରେ ଏହି ପରି ସୈନିକ ମୁତୟନ କରି ଆସୁଥିଲା। କିନ୍ତୁ ଗତ କିଛି ବର୍ଷ ହେବ ଚୀନ ସୀମାର ପରିଦୃଶ୍ୟରେ ଅନେକ ପରିବର୍ତ୍ତନ ଆସିଛି। ଡ୍ରାଗନର ବିସ୍ତାରବାଦୀ ନୀତି, ସୀମାରେ ଅନୁପ୍ରବେଶ, ଭିତ୍ତିଭୂମି ନିର୍ମାଣ ଏବଂ ସେନା-ମାରଣାସ୍ତ୍ର ମୁତୟନକୁ ଦୃଷ୍ଟିରେ ରଖି ଭାରତ ମଧ୍ୟ ନିଜର ପ୍ରସ୍ତୁତି ଜୋରଦାର  କରିଛି। ଗତ ବର୍ଷ ଲଦାଖର ଗଲଓ୍ଵାନ ଘାଟିରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଏହା ପରେ ଭାରତ ନିଜର ରଣନୀତିରେ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନର ସଙ୍କେତ ଦେଇଥିଲା।

ଗୋଟିଏ ପଟେ ଭାରତ ପାକିସ୍ତାନ ସହିତ ନିୟନ୍ତ୍ରଣ ରେଖା(ଏଲଓସି)ରେ ଅସ୍ତ୍ର ବିରତି ଉପରେ ସହମତି ପ୍ରକାଶ କରିଥିବା ବେଳେ ଅନ୍ୟପଟେ ଚୀନର ମୁକାବିଲା ପାଇଁ ସୈନିକଙ୍କ ସଂଖ୍ୟାରେ ବୃଦ୍ଧି କରିଛି। ବିଶେଷ କରି ଚୀନ ସୀମା ସଂଲଗ୍ନ ତିନି ଜିଲ୍ଲାରେ ସୈନିକଙ୍କ ସଂଖ୍ୟାରେ ବୃଦ୍ଧି କରାଯାଇଛି। ଏହା ବ୍ୟତୀତ ଲଢୁଆ ବିମାନ ମୁତୟନ କରାଯାଇଛି। ବର୍ତ୍ତମାନ ଭାରତୀୟ ସେନାର ୨ ଲକ୍ଷ ଯବାନ ସୀମାରେ ମୁତୟନ ଅଛନ୍ତି। ବ୍ଲୁମର୍ଗର ରିପୋର୍ଟ ଅନୁଯାୟୀ, ଗତ ଏକ ବର୍ଷରେ ସୀମାରେ ସୈନିକ ସଂଖ୍ୟାରେ ବୃଦ୍ଧି ଘଟିଛି।

ବିଶେଷ ସୂତ୍ର ଅନୁଯାୟୀ, ଏ ପର୍ଯ୍ୟନ୍ତ ସୀମାରେ ଭାରତୀୟ ସେନାଙ୍କୁ ଚୀନର କୌଣସି ଗତିବିଧି ରୋକିବା ଉଦ୍ଦେଶ୍ୟରେ ମୁତୟନ କରାଯାଉଥିଲା। ମାତ୍ର ଏବେ ଚୀନର ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ଏବଂ ଡ୍ରାଗନର ପ୍ରତିଟି ଦୁଃସାହାସର ମୁହଁତୋଡ ଜବାବ ଦେବା ପାଇଁ ସୀମାରେ ସୈନିକ ସଂଖ୍ୟା ବଢା ଯାଇଛି। ଏହି ରଣନୀତିକୁ ଅଫେନସିଭ ଡିଫେନ୍ସ କୁହାଯାଏ। ଅନ୍ୟପଟେ ଚୀନ ମଧ୍ୟ ସୀମାରେ ସୈନିକ ସଂଖ୍ୟା ବଢାଇଛି।

ଭାରତ ସୈନିକଙ୍କ ସଂଖ୍ୟାରେ ବୃଦ୍ଧି କରିବା ସହିତ ମାରଣାସ୍ତ୍ରର ଉପଯୋଗ ନେଇ ରଣନୀତି ପ୍ରସ୍ତୁତ କରିଛି। ଉଲ୍ଲେଖନୀୟ ଚୀନ ଭାରତ ସଂଲଗ୍ନ ସୀମାନ୍ତ ଅଞ୍ଚଳରେ ଭିତ୍ତିଭୂମି ସୁଦୃଢ କରିବାରେ ଲାଗିଛି। ରନଓ୍ଵେ, ବିଲ୍ଡିଂ, ବୋମା ନିରୋଧୀ ବଙ୍କର ଓ ନୂତନ ଏୟାରଫିଲ୍ଡ ଆଦି ବିକଶିତ କରୁଛି। କେବଳ ଏତିକି ନୁହେଁ ତିବ୍ବତରେ ଚୀନ ପକ୍ଷରୁ ଗତ ସପ୍ତାହରେ ବୁଲେଟ୍ ଟ୍ରେନ ସଞ୍ଚାଳନ ଆରମ୍ଭ କରାଯାଇଛି।

Get real time updates directly on you device, subscribe now.