fbpx

Mpox ଟେଷ୍ଟ ରିପୋର୍ଟ ୪୦ ମିନିଟରେ ମିଳିଯିବ: ଭାରତ ପ୍ରସ୍ତୁତ କଲା ପ୍ରଥମ ସ୍ୱଦେଶୀ RT-PCR କିଟ୍

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବିଶ୍ୱର ବିଭିନ୍ନ ଦେଶରେ ଏମପକ୍ସ ମାମଲା ବଢ଼ି ଚାଲିଥିବା ବେଳେ ତାହାକୁ ନେଇ ବିଶ୍ୱବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ତେବେ ଏହି ସଂକ୍ରମଣ ବୃଦ୍ଧି ଭିତରେ ଭାରତ ଏ କ୍ଷେତ୍ରରେ ଏକ ବଡ଼ ସଫଳତା ହାସଲ କରିଛି । ଏମପକ୍ସ ପରୀକ୍ଷଣ ପାଇଁ ଭାରତ ପ୍ରଥମ ସ୍ୱଦେଶୀ ଆରଟି-ପିସିଆର କିଟ୍ ପ୍ରସ୍ତୁତ କରିଛି । ଏହି କିଟ୍ ମାଧ୍ୟମରେ ଏମପକ୍ସ ଟେଷ୍ଟ ରିପୋର୍ଟ ମାତ୍ର ୪୦ ମିନିଟ ଭିତରେ ଆସିଯିବ । ସାଧାରଣ ଭାବେ ଏମପକ୍ସ ପରୀକ୍ଷଣ ପାଇଁ ୧-୨ ଘଣ୍ଟା ସମୟ ଲାଗିଥାଏ । ମାତ୍ର ଏବେ ତାହା ବହୁତ କମ୍ ସମୟରେ ସମ୍ଭବ ହୋଇ ପାରିବ ।

ରିପୋର୍ଟ ମୁତାବକ, ସିମେନ୍ସ ହେଲଦିନିୟର୍ସ କମ୍ପାନୀ ଏମପକ୍ସ ପରୀକ୍ଷଣ ପାଇଁ ଏହି ଆରଟି-ପିସିଆର କିଟ୍ ପ୍ରସ୍ତୁତ କରିଛି । ଏହି କିଟର ନାମ ‘ଆଇଏମଡିଏକ୍ସ ମଙ୍କିପକ୍ସ ଡିଟେକ୍ସନ ଆରଟି-ପିସିଆର ଆସୟ’ ରଖାଯାଇଛି । ଗୁଜରାଟର ଭଦୋଦରାର ମୋଲିକୁଲାର ଡାଇଗ୍ନୋଷ୍ଟିକ୍ସ ୟୁନିଟରେ ଏହି କିଟକୁ ତିଆରି କରାଯିବ । ପ୍ରତିବର୍ଷ ପାଖାପାଖି ୧୦ ଲକ୍ଷ ଆରଟି-ପିସିଆର କିଟ୍ ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ିଛି । ଖୁବଶୀଘ୍ର ସାଧାରଣ ଲୋକଙ୍କ ପାଇଁ ଏହା ଉପଲବ୍ଧ ହେବ । ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ପାଇଁ ଏହା ଏକ ବଡ଼ ସଫଳତା ବୋଲି ସିମେନ୍ସ ହେଲଥକେୟାର ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ କୁହାଯାଇଛି । କେନ୍ଦ୍ରୀୟ ଡ୍ରଗ୍ ମାନସ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ) ଏହାକୁ ମଞ୍ଜୁରୀ ଦେଇଛି । ସେହିପରି ଏମପକ୍ସର ବିପଜ୍ଜନକ ସ୍ଥିତିକୁ ନଜର ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଏହାକୁ ଜରୁରୀକାଳୀନ ଘୋଷଣା କରିଛି ।

Get real time updates directly on you device, subscribe now.