ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳର ଚିତ୍ର ସାମ୍ନାକୁ ଆସିଛି । ଅଫିସିଆଲ ଭାବେ ନିର୍ବାଚନର ବିଜେତାଙ୍କ ନାମ ଘୋଷଣା ହୋଇନଥିଲେ ହେଁ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ଏକପ୍ରକାର ସ୍ପଷ୍ଟ ହୋଇଛି । ଏହା ମଧ୍ୟରେ ଟ୍ରମ୍ପଙ୍କ ବିଜୟ ନେଇ ଆମେରିକାର ଫୋକ୍ସ ନ୍ୟୁଜ୍ ପକ୍ଷରୁ ଘୋଷଣା କରାଯାଇଛି । ମୋଟ ୫୩୮ଟି ଇଲେକ୍ଟୋରାଲ କଲେଜ ରହିଥିବା ବେଳେ ବହୁମତ ଅଙ୍କ ୨୭୦ ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ଟ୍ରମ୍ପ ୨୪୮ଟି ସିଟରେ ଆଗରେ ରହିଥିବା କୁହାଯାଇଛି । ଅନ୍ୟପକ୍ଷରେ ଡେମୋକ୍ରାଟିକ୍ ପ୍ରାର୍ଥୀ କମଲା ହାରିସ ବହୁ ପଛରେ ରହିବା ସହ ପରାସ୍ତ ହେବା ସ୍ପଷ୍ଟ ହୋଇଯାଇଛି । ତେବେ ଆମେରିକାରେ ଟ୍ରମ୍ପଙ୍କ ବିଜୟ ଏବେ ସୁନିଶ୍ଚିତ ହୋଇଯାଇଥିବା ବେଳେ ଏହାଦ୍ୱାରା ଭାରତ ଉପରେ କ’ଣ ପ୍ରଭାବ ପଡ଼ିବା ତାହା ଏକ ବଡ଼ ପ୍ରଶ୍ନ ।
ପ୍ରତିବର୍ଷ ବହୁସଂଖ୍ୟକ ଲୋକ ଆମେରିକାକୁ ଚାକିରି ସନ୍ଧାନରେ ଯାଉଥିବା ବେଳେ ସେଠାରେ ଭାରତୀୟ ପ୍ରଫେସନାଲ ଓ ଆଇଟି କମ୍ପାନୀମାନେ ମଧ୍ୟ ଏଚ୧ବି ଭିସାରେ କାମ କରିଥାନ୍ତି । ଏପରି ସ୍ଥିତିରେ ଟ୍ରମ୍ପ ସରକାର କ୍ଷମତାକୁ ଆସିଲେ ଏହି ଲୋକମାନେ ବହୁତ ସମସ୍ୟାର ସାମ୍ନା କରିପାରନ୍ତି । ସବୁଠାରୁ ବଡ଼ କଥା ହେଉଛି ଭିସା ପଲିସୀକୁ ନେଇ ଟ୍ରମ୍ପ ନିର୍ବାଚନ ପ୍ରଚାରର ଏକ ବଡ଼ ପ୍ରସଙ୍ଗ କରିଥିଲେ । ନିକଟରେ ଦୀପାବଳୀର ଖାସ୍ ଅବସରରେ ଟ୍ରମ୍ପ ସୋସିଆଲ ମିଡ଼ିଆ ଏକ୍ସ’ରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜର ବନ୍ଧୁ ଭାବେ ସମ୍ବୋଧନ କରିଥିଲେ । ଏଥିସହିତ ତାଙ୍କ ସରକାର ଆସିଲେ ଦୁଇ ଦେଶ ମିଶି ଆଗକୁ ବିକାଶ ଦିଗରେ କାମ କରିବେ ବୋଲି ଟ୍ରମ୍ପ କହିଥିଲେ ।
୨୦୧୯ରେ ଟେକ୍ସାସରେ ‘ହାଉଡୀ, ମୋଦୀ’ କାର୍ଯ୍ୟକ୍ରମ ଅବସରରେ ମୋଦୀ-ଟ୍ରମ୍ପଙ୍କ ବନ୍ଧୁତ୍ୱା ସାରା ବିଶ୍ୱ ଦେଖିଥିଲା । ସେହି ସଭାରେ ପାଖାପାଖି ୫୦ ହଜାର ଲୋକ ଯୋଗ ଦେଇଥିବା ବେଳେ ତାହା କୌଣସି ବିଦେଶୀ ନେତାଙ୍କ ପାଇଁ ଆମେରିକାର ସର୍ବାଧିକ ବଡ଼ ସଭା ମଧ୍ୟରୁ ଅନ୍ୟତମ ଥିଲା । ସେହିପରି ଟ୍ରମ୍ପଙ୍କ ଭାରତ ଗସ୍ତ ସମୟରେ ମୋଦୀ ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମରେ ୧.୨୦ ଲକ୍ଷରୁ ଅଧିକ ଲୋକଙ୍କ ସହ ସ୍ୱାଗତ କରିଥିଲେ । ଦୁଇ ନେତାଙ୍କ ରାଷ୍ଟ୍ରବାଦୀ ବିଚାର ପାଖାପାଖି ସମାନ ରହିଥାଏ । ଟ୍ରମ୍ପ ପ୍ରଶାସନ ନିଶ୍ଚିତ ଭାବେ ଆମେରିକା କେନ୍ଦ୍ରିତ ଟ୍ରେଡ ପଲିସୀ ଉପରେ ଗୁରୁତ୍ୱ ଦେବ । ଏଥିସହିତ ଭାରତ ଉପରେ ବାଣିଜ୍ୟ କଟକଣା କମ୍ କରିପାରେ । ଏପରି ସ୍ଥିତିରେ ଭାରତର ଆଇଟି, ଫାର୍ସାସ୍ୟୁଟିକାଲ ଓ ଟେକ୍ସଟାଇଲ କ୍ଷେତ୍ରର ରପ୍ତାନୀ ବଡ଼ ସ୍ତରରେ ପ୍ରଭାବିତ ହୋଇପାରେ ।
୨୦୨୩-୨୪ରେ ଭାରତ ଆମେରିକାରୁ ୪୨.୨ ବିଲିୟନ ଡଲାରର ବସ୍ତୁ ଆମଦାନୀ କରିଥିଲା । ସେହିପରି ଭାରତ ଆମେରିକାକୁ ୭୭.୫୨ ବିଲିୟନ ଡଲାରର ବସ୍ତୁ ରପ୍ତାନୀ କରିଥିଲା । ତେବେ ତାଙ୍କ ସରକାର ଆସିଲେ ଏହି ସ୍ଥିତି ବଦଳିବ ଓ ଭାରତ ଉପରେ ଟାରିଫ ଶୁଳ୍କ କମ କରିବାକୁ ନେଇ ଚାପ ପକାଇବେ ବୋଲି ଟ୍ରମ୍ପ ନିର୍ବାଚନ ପୂର୍ବରୁ କହିଥିଲେ । ଟ୍ରମ୍ପଙ୍କ ବିଜୟ ପରେ ଭାରତ-ଆମେରିକା ପ୍ରତିରକ୍ଷା କ୍ଷେତ୍ରରେ ଏକତ୍ର କାର୍ଯ୍ୟ କରିପାରନ୍ତି । ଇଣ୍ଡୋ-ପାସିଫିକ କ୍ଷେତ୍ରରେ ଚୀନର ପ୍ରଭାବକୁ ହ୍ରାସ କରିବା ପାଇଁ ଆମେରିକା, ଭାରତ, ଜାପାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ସୁରକ୍ଷା ବୁଝାମଣା କ୍ୱାଡ ସ୍ୱାକ୍ଷରିତ ହୋଇଥିଲା । ଚୀନ ଓ ପାକିସ୍ତାନ ପରି ପଡ଼ୋଶୀ ଦେଶର ଚାପକୁ ମୁକାବିଲା କରିବା ପାଇଁ ଅତିରିକ୍ତ ମିଳିତ ସୈନ୍ୟାଭ୍ୟାସ, ହରିୟାର ବିକ୍ରି ଓ ଟେକ୍ନୋଲୋଜି ହସ୍ତାନ୍ତରଣ ଭାରତର ପ୍ରତିରକ୍ଷା କ୍ଷମତାକୁ ମଜବୁତ କରିପାରେ । ପୂର୍ବ କାର୍ଯ୍ୟକାଳରେ ପାକିସ୍ତାନକୁ ଦିଆଯାଉଥିବା ସୈନ୍ୟ ସହାୟତାକୁ ଟ୍ରମ୍ପ କମ୍ କରିଦେଇଥିଲେ । ତେଣୁ ଟ୍ରମ୍ପ କ୍ଷମତାକୁ ଆସିଲେ ଆତଙ୍କବାଦୀକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିବା, ଭାରତ ପାଇଁ ଫଳପ୍ରଦ ହୋଇପାରେ ।