କାନାଡୀୟ କୂଟନୀତିଜ୍ଞଙ୍କୁ ଅଲଟିମେଟମ୍ ଦେଲା ଭାରତ, ଜାଣନ୍ତୁ ଦୁଇ ଦେଶ ପରସ୍ପର ଉପରେ ପ୍ରତିବନ୍ଧକ ଲଗାଇଲେ କାହାର ହେବ ଅଧିକ କ୍ଷତି

ନୂଆଦିଲ୍ଲୀ: ବର୍ତ୍ତମାନ ଭାତର- କାନାଡା ସମ୍ପର୍କରେ ତିକ୍ତତା ଦେଖାଦେଇଛି । ଏହା ପଛରେ ସବୁଠାରୁ ବଡ଼ କାରଣ ହେଲା ଖାଲିସ୍ତାନୀ ବିଚ୍ଛିନତାବାଦୀ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟା ସହ ସମ୍ପୃକ୍ତ ପ୍ରସଙ୍ଗ । ଏନେଇ କାନାଡା ଭାରତ ବିରୋଧରେ ଭିତ୍ତିହୀନ ଅଭିଯୋଗ କରୁଛି । ଏହି ପରିପ୍ରେକ୍ଷୀରେ କାନାଡାର ବୈଦେଶିକ ମନ୍ତ୍ରୀ ମେଲାନୀ ଜଲିଙ୍କ ଏକ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି ତାଙ୍କ ଦେଶ ଭାରତ ଉପରେ ପ୍ରତିବନ୍ଧକ ଲଗାଇବା ନେଇ ବିଚାର କରୁଛି ।

ନିକଟରେ କାନାଡା ସରକାର ଭାରତୀୟ ହାଇ କମିଶନରଙ୍କ ଉପରେ ଗମ୍ଭୀର ଅଭିଯୋଗ କରି ନିଜ୍ଜର ହତ୍ୟା ମାମଲାରେ ସମ୍ପୃକ୍ତି ଥିବା ଦର୍ଶାଇଛନ୍ତି । ଏହା ପରେ ଭାରତ ସରକାର ନିଜ ଅଧିକାରୀଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ସହ ୬ ଜଣ କାନାଡିୟ କୂଟନୀତିଜ୍ଞଙ୍କୁ ଅକ୍ଟୋବର ୧୯ ସୁଦ୍ଧା ଭାରତ ଛାଡ଼ିବାକୁ ଅଲ୍ଟିମେଟମ୍ ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା ଯଦି କାନାଡା ଭାରତ ଉପରେ ପ୍ରତିବନ୍ଧକ ଲଗାଏ ତେବେ ଦେଶକୁ କ’ଣ ସବୁ କ୍ଷତି ସହିବାକୁ ପଡ଼ିପାରେ ।

ଭାରତ ଏବଂ କାନାଡା ମଧ୍ୟରେ ୭୦ ହଜାର କୋଟି ଟଙ୍କାର ବ୍ୟବସାୟ ହୋଇଥାଏ । ଏକ ରିପୋର୍ଟ ଅନୁଯାୟୀ ୨୦୨୨-୨୩ରେ ଦୁଇ ଦେଶ ମଧ୍ୟରେ ୮.୩ ଆରବ ଡଲାରର ବ୍ୟବସାୟ ହୋଇଥିଲା । ଯାହା ୧ ବର୍ଷ ମଧ୍ୟରେ ୮.୪କୁ ବୃଦ୍ଧି ପାଇଛି । AciaPacific.caର ଏକ ରିପୋର୍ଟ ଅନୁଯାୟୀ କାନାଡୀୟ ନିବେଶ କାନାଡୀୟ ପେନସନ୍ ପାଣ୍ଠିଗୁଡ଼ିକ ଭାରତରେ ପ୍ରାୟ ୬ ଲକ୍ଷ କୋଟି ଟଙ୍କାର ନିବେଶ କରିଛନ୍ତି । ୨୦୧୩ରୁ ୨୦୨୩ ମଧ୍ୟରେ ଏହି ପାଣ୍ଠି ରିୟଲ ଇଷ୍ଟେଟ୍‌, ଆର୍ଥିର୍କ ସେବା, ଶିଳ୍ପ ପରିବହନ ଏବଂ ଭିତ୍ତିଭୂମିରେ ବହୁ ମାତ୍ରାରେ ନିବେଶ କରିଥିଲେ । ଏହା ବ୍ୟତୀତ ପ୍ରାୟ ୬୦୦ କାନାଡୀୟ କମ୍ପାନୀ ଭାରତରେ ବ୍ୟବସାୟ କରୁଥିବା ବେଳେ ୩୦ରୁ ଉର୍ଦ୍ଧ୍ୱ ଭାରତୀୟ କମ୍ପାନୀ କାନାଡାରେ ୪୦, ୪୪୬ କୋଟି ଟଙ୍କା ନିବେଶ କରିଛନ୍ତି । ଏହି କମ୍ପାନୀଗୁଡ଼ିକରେ ପ୍ରାୟ ୧୭ ହଜାର ବ୍ୟକ୍ତି କାମ କରୁଛନ୍ତି । ଭାରତରୁ ରତ୍ନ, ଅଳଙ୍କାର, ମୂଲ୍ୟବାନ ପଥର, ଔଷଧ, ରେଡିମେଡ୍ ପୋଷାକ, ଜୈବିକ, ରସାୟନିକ ପଦାର୍ଥ ଏବଂ ହାଲୁକା ଇଂଜିନିୟରଂ ସାମଗ୍ରୀ କାନାଡାକୁ ରପ୍ତାନୀ କରାଯାଏ । ସେହିପରି କାନାଡାରୁ ଡାଲି, ନ୍ୟୁଜ୍ ପ୍ରିଣ୍ଟ, ଉଡ୍ ପଲ୍ପ୍ , ଆଜବେଷ୍ଟସ, ପୋଟାଶ, ଲୁହା ସ୍କ୍ରାପ୍‌, ତମ୍ବା, ଖଣିଜ ଏବଂ ଇଣ୍ଡଷ୍ଟ୍ର୍ରିଆଲ କେମିକାଲ କାନାଡାରୁ ଆମଦାନୀ କରିଥାଏ । କାନାଡାର ନ୍ୟାସନାଲ ଇନଭେଷ୍ଟମେଣ୍ଟ ପ୍ରମୋସନ୍ ଆଣ୍ଡ୍ ଫେଲିସିଟେସନ୍ ଏଜେନ୍ସିର ଏକ ରିପୋର୍ଟରୁ ପ୍ରକାଶ କାନାଡା ବିଦେଶୀ ନିବେଶକଙ୍କ ମଧ୍ୟରେ ଭାରତ ୧୮ତମ ସ୍ଥାନରେ ରହିଛି ।

ଯଦି ଭାରତ ଏବଂ କାନାଡା ମଧ୍ୟରେ କୂଟନୈତିକ ତିକ୍ତତା ବୃଦ୍ଧି ପାଏ ତେବେ ଏହା ଦୁଇ ଦେଶର ଅର୍ଥବ୍ୟବସ୍ଥାକୁ ପ୍ରଭାବିତ କରିବ । ବିଶେଷ କରି ବ୍ୟବସାୟିକ ନିବେଶ ଏବଂ ଆମଦାନୀ ଏବଂ ରପ୍ତାନୀ କ୍ଷେତ୍ରରେ ହ୍ରାସ ଦେଖିବାକୁ ମିଳିପାରେ । ଏଭଳି ସ୍ଥିତିରେ ଦୁଇ ଦେଶର ଆର୍ଥିକ ରଣନୀତି ଉପରେ ବିଚାର କରିବା ଏବଂ ସମ୍ଭାବ୍ୟ ବିପଦକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ ।