ନୂଆଦିଲ୍ଲୀ: ସେନାରେ ନିଯୁକ୍ତିକୁ ନେଇ ୨୫୦ ବର୍ଷ ଧରି ଚାଲିଆସୁଥିବା ନିୟମକୁ ବଦଳାଇବାକୁ ଯାଉଛନ୍ତି ସରକାର, ଯାହାଫଳରେ ସୈନିକମାନେ ମାତ୍ର ୪ ବର୍ଷ ପାଇଁ ନିଯୁକ୍ତି ପାଇବେ । ଏହା ସହ ସେନାରେ ଜାତି, ଧର୍ମ କିମ୍ବା ଅଞ୍ଚଳ ଆଧାରରେ ଗଠିତ ପଦାତିକ ରେଜିମେଣ୍ଟର ଚିତ୍ର ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ ହୋଇପାରେ । କୁହାଯାଉଛି ଯେ, ସରକାର ଏହି ସପ୍ତାହରେ ସେନା ନିଯୁକ୍ତିର ଏକ ନୂତନ ଯୋଜନା ଆରମ୍ଭ କରିପାରନ୍ତି, ଯାହା ଭାରତୀୟ ସେନାରେ ଏକ ବଡ ପରିବର୍ତ୍ତନ ଆଣିବ ।
ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ର ଅନୁସାରେ, ଏହି ନୂତନ ଯୋଜନାର ଘୋଷଣା ଏହି ସପ୍ତାହରେ ହେବ ଓ ଏହାକୁ ଅଗ୍ନିପଥ ନାମରେ ନାମିତ କରାଯାଇଛି । ଏହା ଅଧୀନରେ କେବଳ ୪ ବର୍ଷ ପାଇଁ ସ ସୈନିକମାନଙ୍କୁ ସେନାରେ ନିଯୁକ୍ତି ଦିଆଯିବ ଏବଂ ଏହି ସୈନିକମାନଙ୍କୁ ଅଗ୍ନିବୀର କୁହାଯିବ । ଏହି ସୈନିକମାନଙ୍କୁ ୯ ମାସ ପରିବର୍ତ୍ତେ ମାତ୍ର ୬ ମାସର ଟ୍ରେନିଂ ଦିଆଯିବ ଓ ଏହା ପରେ ସେମାନେ ସାଢ଼େ ତିନି ବର୍ଷ ପାଇଁ ସେନାରେ କାମ କରିବେ ଅର୍ଥାତ୍ ନିଯୁକ୍ତି ଠାରୁ ଅବସର ପର୍ଯ୍ୟନ୍ତ ୪ ବର୍ଷ ପର୍ଯ୍ୟନ୍ତ ଚାକିରି କରିବେ ।
ସର୍ଭିସ ସମୟରେ, ଏହି ସୈନିକମାନେ ମାସିକ ପ୍ରାୟ ୩୦,୦୦୦ ଟଙ୍କା ଦରମା ପାଇବେ, ଯାହା ସୈନିକମାନଙ୍କୁ ଦିଆଯାଇଥିବା ଦରମାଠାରୁ ଅଧିକ । ସର୍ଭିସ ସମୟରେ ପ୍ରତି ମାସରେ ସୈନିକଙ୍କ ଦରମାର ଏକ ଅଂଶ କଟାଯାଇ ଜମା ରାଶିରେ ରଖାଯିବ । ସରକାର ମଧ୍ୟ ସେତିକି ଟଙ୍କା ସୈନିକଙ୍କ ଆକାଉଣ୍ଟରେ ଜାମ କରିବେ । ଏହି ରାଶି ୧୦-୧୧ ଲକ୍ଷ ଟଙ୍କା ହେବ, ଯାହାକୁ ଅବସର ସମୟରେ ଦିଆଯିବ ।
ଅବସର ପରେ ସୈନିକମାନେ କୌଣସି ପେନସନ ପାଇବେ ନାହିଁ । ଆଇଟିଆଇ ଭଳି ବ୍ୟବସାୟିକ କୋର୍ସ କରିବାର ସୁଯୋଗ ମିଳିବ, ଯାହାଫଳରେ ତାଙ୍କୁ ଅବସର ପରେ ନୂଆ ଚାକିରି ପାଇବାରେ ସହାୟକ ହେବ । ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ପଦକ୍ଷେପ ଫଳରେ ସେନାକୁ ଯୁବକ ରଖିବାରେ ସାହାଯ୍ୟ କରିବ । ପ୍ରତିବର୍ଷ ଅଧିକାଂଶ ପୁରୁଣା ସୈନିକମାନେ ସେନାରୁ ଅବସର ନେବେ ଏବଂ ନୂଆ ଯୁବ ସୈନିକମାନଙ୍କୁ ଏକ ସୁଯୋଗ ମିଳିବ ।