ପାକିସ୍ତାନଠାରୁ ହାରିବା ପଡ଼ିଲା ମହଙ୍ଗା: ତଥାପି ଟିମ୍ ଇଣ୍ଡିଆ ଖେଳିବ ଫାଇନାଲ, ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ: ଏସିଆ କପର ସୁପର-୪ ପର୍ଯ୍ୟାୟରେ ଭାରତ ନିଜର ପ୍ରଥମ ମ୍ୟାଚରେ ପାକିସ୍ତାନଠାରୁ ପରାସ୍ତ ହେବା ପରେ ମୁସ୍କିଲ ବଢ଼ିଯାଇଛି । ଏବେ ଭାରତ ଫାଇନାଲରେ ପହଞ୍ଚିବ ପାରିବ କି ନା ସେନେଇ ଆଶଙ୍କା ସୃଷ୍ଟି ହୋଇଛି । ଭାରତ ଏବେ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ରହିଛି । ବିଶ୍ଲେଷଣ ମୁତାବକ, ଭାରତ ଫାଇନାଲରେ ପହଞ୍ଚି ପାରିବ, ଆଉ ଯଦି ସମ୍ଭବ ହୁଏ ତେବେ ପୁଣି ଥରେ ପାକିସ୍ତାନ ସହ ଲଢ଼ିବାର ସମ୍ଭାବନା ସୃଷ୍ଟି ହୋଇପାରେ । ମାତ୍ର ଏଥିପାଇଁ ଆମକୁ କ୍ରିକେଟ ସମୀକରଣ ବୁଝିବାକୁ ପଡ଼ିବ ।

ସୁପର-୪ରେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଓ ଆଫଗାନିସ୍ତାନ ୪ଟି ଦଳ ରହିଛନ୍ତି । ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ପାକିସ୍ତାନ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଶ୍ରୀଲଙ୍କା । ଆଜି ଅର୍ଥାତ ସେପ୍ଟେମ୍ବର ୬ରେ ଭାରତ ଶ୍ରୀଲଙ୍କାକୁ ଭେଟିବାକୁ ଥିବାବେଳେ ୮ରେ ଆଫଗାନିସ୍ତାନକୁ ଭେଟିବ । ସେହିପରି ପାକିସ୍ତାନ ୭ରେ ଆଫଗାନିଗାସ୍ତନକୁ ଭେଟିବାକୁ ଥିବାବେଳେ ୯ରେ ଶ୍ରୀଲଙ୍କାକୁ ଭେଟିବ ।

ଟିମ୍ ଇଣ୍ଡିଆ ଯଦି ତା’ର ଦୁଇଟି ମ୍ୟାଚ ଜିତିଯାଏ, ତେବେ ଫାଇନାଲରେ ତା’ର ସ୍ଥାନ ପକ୍କା ହୋଇଯିବ । ମାତ୍ର ଯଦି ଭାରତ କୌଣସି ଗୋଟିଏ ମ୍ୟାଚ ହାରିଯାଏ, ତେବେ ସବୁକିଛି ଓଲଟ ପାଲଟ ହୋଇଯିବ । ସେହିପରି ପାକିସ୍ତାନ ଯଦି ଦୁଇଟି ଯାକ ମ୍ୟାଚ ଜିତିଯିବ, ତେବେ ସେ ମଧ୍ୟ ଫାଇନାଲକୁ ଉନ୍ନୀତ ହୋଇଯିବ । ତେବେ ଏପରି ସ୍ଥିତିରେ ପୁଣି ଭାରତ-ପାକ ଲଢ଼େଇର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ।