fbpx

SBI Ecowrap Report: ୨୦୨୭ ସୁଦ୍ଧା ଭାରତ ହେବ ବିଶ୍ୱର ୩ୟ ବୃହତ୍ ଅର୍ଥନୀତି!

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଭାରତର ଅର୍ଥନୀତି ଦିନକୁ ଦିନ ଦ୍ରୁତ ଭାବେ ବଢ଼ିବାରେ ଲାଗିଛି । ଏହାକୁ ନେଇ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଓ ବିଶ୍ୱ ବ୍ୟାଙ୍କ ସମେତ ଅନ୍ୟ ବିଶ୍ୱସ୍ତରୀୟ ସଂସ୍ଥାମାନେ ନିଜର ମତାମତ ଦେଇସାରିଛନ୍ତି । ତେବେ ଆସନ୍ତା ୨୦୨୭ ମସିହା ସୁଦ୍ଧା ଭାରତ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ଭାବେ ଉଭା ହେବାର ସମ୍ଭାବନା ରହିଛି । ଏସବିଆଇ ଇକୋରପର ରିପୋର୍ଟରେ ଏପରି ଦାବି କରାଯାଇଛି ।

ଭାରତ ଆସନ୍ତା ୨୦୨୯ ସୁଦ୍ଧା ତୃତୀୟ ଅର୍ଥନୀତିରେ ପରିଣତ ହୋଇପାରେ ବୋଲି ପୂର୍ବରୁ ଏସବିଆଇର ଅର୍ଥନୀତିଜ୍ଞମାନେ ମଧ୍ୟ ମତବ୍ୟକ୍ତ କରିଥିଲେ । ଏଭଳି ସ୍ଥିତିରେ ବିଶ୍ୱର ଅନ୍ୟତମ ଅର୍ଥନୀତି ଜାପାନ ଓ ଜର୍ମାନୀ ପଛରେ ପଡ଼ିବାର ସମ୍ଭାବନା ସୃଷ୍ଟି ହୋଇଛି । ରିପୋର୍ଟ ମୁତାବକ, ଯଦି ଭାରତ ନିଜର ବର୍ତ୍ତମାନର ଅଭିବୃଦ୍ଧି ଜାରି ରଖେ, ତେବେ ଆର୍ଥିକ ବର୍ଷ ୨୦୨୭-୨୮ ସୁଦ୍ଧ ତାହା ବିଶ୍ୱର ତୃତୀୟ ଅର୍ଥନୀତିର ମାନ୍ୟତା ପାଇବାର ସମ୍ଭାବନା ରହିଛି ।

ଗତ ୨୦୧୪ ମସିହା ପରେ ଭାରତର ଅର୍ଥବ୍ୟବସ୍ଥାରେ ଦ୍ରୁତ ଅଭିବୃଦ୍ଧି ଦେଖିବାକୁ ମିଳିଛି । ବେଳକୁ ବେଳ ଭାରତ ଏ କ୍ଷେତ୍ରରେ ଆଗକୁ ବଢ଼ିବାରେ ଲାଗିଛି । ଯେଉଁ ହାରରେ ଭାରତର ଅର୍ଥନୀତି ଆଗକୁ ବଢ଼ୁଛି ଏହି ହାର ଜାରି ରହିଲେ ୨୦୨୯ ବର୍ଷର ଦୁଇ ବର୍ଷ ପୂର୍ବରୁ ଭାରତ ଏହି ଲକ୍ଷ୍ୟ ହାସଲ କରିବାର ସମ୍ଭାବନା ରହିଛି । ୨୦୧୭ ସୁଦ୍ଧା ଭାରତ ଜାପାନ, ଜର୍ମାନୀ ସହିତ ଅନ୍ୟ ଦେଶମାନଙ୍କୁ ଟପିଯିବ ବୋଲି ଅନୁମାନ କରାଯାଉଛି । ବର୍ତ୍ତମାନର ସ୍ଥିତି ଉପରେ ନଜର ପକାଇଲେ ଭାରତୀୟ ଅର୍ଥନୀତିର ଏହି ଅଭିବୃଦ୍ଧିର ହାର ପ୍ରତି ଦୁଇ ବର୍ଷରେ ୦.୭୫ ଟ୍ରିଲିୟନ ଡଲାର ଯୋଡ଼ିବାର ସମ୍ଭାବନା ରହିଛି । ଅର୍ଥାତ ଭାରତ ୨୦୪୭ ମସିହା ସୁଦ୍ଧା ୨୦ ଟ୍ରିଲିୟନ ଡଲାରକୁ ଛୁଇଁବାର ସମ୍ଭାବନା ରହିଛି । ଏଥିସହିତ ବିଶ୍ୱ ସ୍ତରର ମୋଟ ଘରୋଇ ଉତ୍ପାଦ (ଜିଡିପି) ଶେୟାର ହିସାବରେ ଭାରତ ୨୦୨୭ ସୁଦ୍ଧା ୪ ପ୍ରତିଶତ ପାର କରିଯିବ । ୨୦୧୪ରେ ଭାରତର ଏହି ହାର ୨.୬ ପ୍ରତିଶତ ରହିଥିବା ବେଳେ ଏବେ ୩.୫ ପ୍ରତିଶତ ରହିଛି ।

Get real time updates directly on you device, subscribe now.