fbpx

ଭାରତ ହେଉଛି ବିଶ୍ୱର ସର୍ବବୃହତ୍ ଭ୍ୟାକ୍ସିନ୍ ସମର୍ଥକ ଦେଶ, ସର୍ଭେ ରିପୋର୍ଟରୁ ହେଲା ଖୁଲାସା

ନୂଆଦିଲ୍ଲୀ: ଭାରତ ବିଶ୍ୱର ସର୍ବବୃହତ୍ ଭ୍ୟାକ୍ସିନ ସମର୍ଥକ ଦେଶର ମାନ୍ୟତା ଲାଭ କରିଛି । ଦେଶର ମୋଟ ଜନସଂଖ୍ୟାର ୯୮ ପ୍ରତିଶତ ନାଗରିକ ଟିକାକରଣ ନେଇ ଆଗ୍ରହ ପ୍ରକାଶ କରିଛନ୍ତି । ମାତ୍ର ୧.୫ କୋଟି ଲୋକ ଏ କ୍ଷେତ୍ରରେ ଅନାଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି । ଆଇଏଏନଏସ-ସିଭୋଟର କୋଭିଡ୍ ଭ୍ୟାକ୍ସିନ୍ ଟ୍ରାକର ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଏହି ରିପୋର୍ଟ ହସ୍ତଗତ ହୋଇଛି ।

ରିପୋର୍ଟରେ କୁହାଯାଇଛି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ୮୯ ଲକ୍ଷ ଲୋକଙ୍କୁ ଟିକାକରଣ କରାଯାଇଛି । ତେବେ ଅଦ୍ୟାବଧି କୋଭିଡର ପ୍ରଥମ ଓ ଦ୍ୱିତୀୟ ଡୋଜ୍ ଟିକା ନେଇସାରିଥିବା ଲୋକଙ୍କ ସଂଖ୍ୟା ୧୩୩ କୋଟି ପାର୍ କରିଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଦେଶର ୯୦ କୋଟିରୁ ଅଧିକ ବୟସ୍କଙ୍କ ମଧ୍ୟରୁ ୮୧ କୋଟିରୁ ଅଧିକ ଲୋକ ସେମାନଙ୍କର ପ୍ରଥମ ଡୋଜ୍ ନେଇସାରିଛନ୍ତି । ଅବଶିଷ୍ଟ ୯ କୋଟି ଲୋକଙ୍କର ଟିକାକରଣ ହୋଇନାହିଁ । ୭.୫ କୋଟି ଲୋକ ମହାମାରୀ କବଳରୁ ସୁରକ୍ଷିତ ରହିବାକୁ ଚାହୁଁଛନ୍ତି । ତେବେ ଯେଉଁମାନେ ଟିକାକରଣ ନେଇ ଅନାଗ୍ରହ ଦେଖାଉଛନ୍ତି, ସ୍ୱାସ୍ଥ୍ୟକର୍ମୀମାନେ ଗୋଟିଏ କିମ୍ବା ଦୁଇଟି କାଉନସେଲିଂ ମାଧ୍ୟମରେ ସେମାନଙ୍କୁ ବୁଝାଇ ପାରିବେ ବୋଲି କୁହାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମୁତାବକ, ଦୈନିକ ପାଖାପାଖି ୬୦-୭୦ ଲକ୍ଷ କୋଭିଡ୍ ଟିକା ପ୍ରଦାନ କରାଯାଇଛି । ଏହି ବେଗରେ ଟିକାକରଣ ଜାରି ରହିଲେ ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ବୟସ୍କଙ୍କୁ ପ୍ରଥମ ଡୋଜ୍ ପ୍ରଦାନ ପ୍ରକ୍ରିୟା ସମାପ୍ତ ହୋଇପାରିବ । ଏହି ଭ୍ୟାକ୍ସିନେସନ ଅଭିଯାନରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ସାମିଲ କରାଯାଇଛି । ୟୁରୋପ ଓ ଆମେରିକା ପରି ଅନ୍ୟ ରାଷ୍ଟ୍ରଙ୍କ ତୁଳନାରେ ଭାରତରେ ଟିକାକୁ ଅଧିକ ମାତ୍ରାରେ ସମର୍ଥନ କରାଯାଉଥିବା ଜଣାପଡ଼ିଛି ।

Get real time updates directly on you device, subscribe now.