fbpx

ଭାରତ-ଅଷ୍ଟ୍ରେଲିଆ ମଧ୍ୟରୁ କିଏ ବେଶି ଶକ୍ତିଶାଳୀ: ୨୦୦୩ ଓ ୨୦୨୩ ବିଶ୍ୱକପର ଦୁଇ ଟିମ୍ ମଧ୍ୟରେ ତଫାତ୍ କ’ଣ

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖରେ ବିଶ୍ୱର ଦୁଇ ପ୍ରମୁଖ ଶକ୍ତିଶାଳୀ ଟିମ୍ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଜୋରଦାର ଲଢ଼େଇ ହେବ । ୨୦୦୩ ବିଶ୍ୱକପରେ ପରେ ଦୀର୍ଘ ୨୦ ବର୍ଷ ପରେ ଏହି ଦୁଇ ଟିମ୍ ପୁଣି ଥରେ ଫାଇନାଲରେ ମୁହାଁମୁହିଁ ହେବ । ତେବେ ଫାଇନାଲ ଲଢ଼େଇ ପାଇଁ ମଝିରେ ଆଉ ମାତ୍ର ଗୋଟିଏ ଦିନ ବାକି ରହିଥିବା ବେଳେ ଫ୍ୟାନ୍ସଙ୍କ ମନରେ ଉଙ୍କି ମାରୁଛି ଅନେକ ପ୍ରଶ୍ନ । କେଉଁ ଟିମ୍ ବେଶି ଶକ୍ତିଶାଳୀ, ୨୦୦୩ ବିଶ୍ୱକପ ଓ ଚଳିତ ବିଶ୍ୱକପରେ କ’ଣ ତଫାତ୍ ରହିଛି, ଫଳାଫଳ କାହା ସପକ୍ଷରେ ଯିବ ସେନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଛି ।

୨୦୦୩ ବିଶ୍ୱକପ ଫାଇନାଲ ମ୍ୟାଚ ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିବା ବେଳେ ସେ ଥର ଭାରତ ପରାସ୍ତ ହୋଇଥିଲା । ବିଦେଶ ମାଟିରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ପ୍ରଭାବିତ ହେବା ସୁନିଶ୍ଚିତ । ମାତ୍ର ଚଳିତ ଥର ଘରୋଇ ମାଟିରେ ବିଶ୍ୱକପ ଖେଳାଯାଉ ଥିବାରୁ ବିଶ୍ୱ ଚାମ୍ପିୟନ ହେବା ନେଇ ଭାରତ ନିକଟରେ ସୁବର୍ଣ୍ଣ ସୁଯୋଗ ରହିଛି । ଭାରତର ଦୁଇ ଟପ୍ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ ରୋହିତ ଶର୍ମା ଫୁଲ ଫର୍ମରେ ରହିଥିବା ବେଳେ ଯଶପ୍ରୀତ ବୁର୍ମା, ମହମ୍ମଦ ସିରାଜ, ମହମ୍ମଦ ଶାମି, ରବିନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବଙ୍କୁ ନେଇ ବୋଲିଂ ବିଭାଗ ବେଶ୍ ଶକ୍ତିଶାଳୀ ରହିଛି । ସେହିପରି ଶୁବମନ ଗିଲ, ଶ୍ରେୟସ ଆୟର, କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ ମଧ୍ୟ ନିଜ ନିଜର କରାମତି ଦେଖାଇଛନ୍ତି ।

କ୍ରିକେଟରେ କ’ଣ ଘଟିବ ତାହା କହିବା ଅସମ୍ଭବ । ମାତ୍ର ୨୦୦୩ ବିଶ୍ୱକପର ଅଷ୍ଟ୍ରେଲିଆ ଟିମ୍ ଓ ବର୍ତ୍ତମାନର ଟିମ ମଧ୍ୟରେ ଅନେକ ଫରକ ରହିଛି । ଚଳିତ ବିଶ୍ୱକପରେ ଅଷ୍ଟ୍ରେଲିଆ ଭାରତ ବିପକ୍ଷରେ ମାତ୍ର ୧୯୯ ରନ୍ ସଂଗ୍ରହ କରିଥିବା ବେଳେ ଭାରତ ଏକତରଫା ଭାବେ ବିଜୟ ହାସଲ କରିଥିଲା । ଦଳର ଅଧିକାଂଶ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ସେତେଟା ଆଖିଦୃଶିଆ ନାହିଁ । ଜୋଶ ହେଜଲେଉଡ୍ ଓ ଆଡାମ ଜାମ୍ପାଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବୋଲରଙ୍କ ଲାଇନ୍ ଲେନଥ ଠିକ୍ ନାହିଁ । ମିଚେଲ ଷ୍ଟାର୍କ ଓ ପ୍ୟାଟ କମିନ୍ସ ଫର୍ମରେ ନାହାନ୍ତି । ଆଫଗାନିସ୍ତାନ ବିପକ୍ଷରେ ଦଳ ହାରିବା ସ୍ଥିତିରେ ରହିଥିବା ବେଳେ ଗ୍ଲେନ୍ ମାକ୍ସୱେଲଙ୍କ ଦ୍ୱିଶତକ ଫଳରେ ଦଳ ସେମିରେ ପହଞ୍ଚି ପାରିଥିଲା । ଫାଇନାଲ ଦିନଟି କାହା ସପକ୍ଷରେ ଯିବ ତାହା କହିବା ଅସମ୍ଭବ । ମାତ୍ର କେଉଁ ଟିମର ସ୍ଥିତି କିପରି ରହିଛି ତାହା ଫ୍ୟାନ୍ସ ସହଜରେ ଜାଣିପାରିବେ ।

Get real time updates directly on you device, subscribe now.