fbpx

LoCରେ ପରସ୍ପରକୁ ମିଠା ବାଣ୍ଟିଲେ ଭାରତ-ପାକ୍ ଯବାନ୍: ଦିୱାଲିରେ ଭୁଲିଗଲେ ଶତୃତା

ନୂଆଦିଲ୍ଲୀ: ସାରା ଦେଶରେ ଆଲୋକର ପର୍ବ ଦୀପାବଳି ପାଳନ ହୋଇଛି । ରାଗ, ଅଭିମାନ ଇତ୍ୟାଦି ଅନ୍ଧକାରକୁ ଭୁଲି ସ୍ନେହ ଓ ଭଲ ପାଇବାର ଆଲୋକ ବାଣ୍ଟିବାର ପର୍ବ ହେଉଛି ଦୀପାବଳି । ତେଣୁ ଭାଇଚାରାର ଏହି ପ୍ରଥା-ପରମ୍ପରାକୁ ବଜାୟ ରଖିଛି ଭାରତୀୟ ସେନା । ଏଭଳି ଏକ ପବିତ୍ର ଦିନରେ ଶତୃତାକୁ ଭୁଲି ପଡ଼ୋଶୀ ପାକିସ୍ତାନର ସେନାଙ୍କ ସହ ପାଳନ କରିଛି ଦୀପାବଳିର ପର୍ବ । ପୁ’ ଜିଲ୍ଲାର ନିୟନ୍ତ୍ରଣ ରେଖା(ଏଲଓସି) ନିକଟରେ ଦୀପାବଳି ଅବସରରେ ଭାରତ-ପାକ୍ ସେନା ପରସ୍ପର ମଧ୍ୟ ମିଠା ବାଣ୍ଟିଥିବା ଦେଖିବାକୁ ମିଳିଛି । ଯାହା ସାରା ବିଶ୍ୱ ପାଇଁ ଏକ ବିରାଟ ଉଦାହରଣ ପାଲଟିଛି ।

ଗତକାଲି ଦୀପାବଳି ଅବସରରେ ପୁଂଛ ଜିଲ୍ଲା ନିକଟସ୍ଥ ଚାକ୍କା ଦା ବାଗ୍ ସୀମାରେ ଦୀପାବଳି ପାଳନ କରିବା ପାଇଁ ଏକାଠି ହୋଇଥିଲେ ଭାରତ ଏବଂ ପାକିସ୍ତାନର ସୈନିକ । ପରସ୍ପରକୁ ଦୀପାବଳିର ଶୁଭେଚ୍ଛା ଜଣାଇବା ସହିତ ମିଠା ବାଣ୍ଟିଥିଲେ ଉଭୟ ସେନା । ପୁଂଛର ବଲନୋଇ ସେକ୍ଟରରେ ତାତାପାଣି କ୍ରସିଙ୍ଗଠାରେ ଉଭୟ ସେନା ମଧ୍ୟ ମିଠା ବାଣ୍ଟି ଭାଇଚାରାର ତଥା ଆଲୋକର ପର୍ବ ଦୀପାବଳି ପାଳନ କରିଛନ୍ତି । ସାମ୍ବା ଏବଂ ରାଜପୁରର ତହସିଲଦାରଙ୍କ ସହ ସାମ୍ବାର ଅତିରିକ୍ତ ଡେପୁଟି କମିଶନର ସୁରେଶ ଶର୍ମା ଅଗ୍ରୀମ ସୀମା ପୋଷ୍ଟ ପରିଦର୍ଶନ କରିବାକୁ ଆସି ଦୀପାବଳି ସେଲିବ୍ରେସନ୍ କରିଥିଲେ । ଏହି ସମୟରେ ସେ ସୈନିକମାନଙ୍କୁ ମିଠା ବଣ୍ଟନ କରିବା ସହ ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ ଅତିରିକ୍ତ ଡେପୁଟି କମିଶନର ସୁରେଶ ଶର୍ମା । ପାକିସ୍ତାନ ଭାରତର ଏକ ବଡ଼ ଶତୃ ବୋଲି କୁହାଯାଉଥିବା ବେଳେ ଉଭୟ ସେନାର ଏହି ଉତ୍ସବ ପାଳନ ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ ପାଲଟି ଯାଇଛି ।

ତେବେ ଅନ୍ୟ ପକ୍ଷରେ ଅନ୍ତରାଷ୍ଟ୍ରୀୟ ସୀମା(ଆଇବି)ରେ ଉଭୟ ପକ୍ଷ ମଧ୍ୟରେ ଏଭଳି କୌଣସି କାର୍ଯ୍ୟକ୍ରମ ହୋଇନାହିଁ । ନିକଟରେ ପାକିସ୍ତାନ ରେଞ୍ଜର୍ସ ଯୁଦ୍ଧ ବିରାମ ଉଲ୍ଲଙ୍ଘନ କରି ଆଇବି ଉପରେ ଗୁଳିମାଡ଼ କରିଥିଲେ । ଏଥିରେ ଜଣେ ବିଏସଏଫ ଯବାନ୍ ପ୍ରାଣ ହରାଇଛନ୍ତି । ସେହିପରି ଅକ୍ଟୋବର ୨୬ ତାରିଖରେ ଜମ୍ମୁର ଅରନିୟା ସେକ୍ଟରରେ ସୀମା ସେପାଖରୁ ଗୁଳିମାଡ଼ ହୋଇଥିବା ବେଳେ ୨ ଜଣ ଯବାନ ଏବଂ ଜଣେ ମହିଳା ଏଥିରେ ଆହତ ହୋଇଛନ୍ତି । ତେଣୁ ଏସବୁକୁ ଦୃଷ୍ଟିରେ ରଖି ଉଭୟ ସେନା ଦୀପାବଳି ସେଲିବ୍ରେସନ କରିବାରୁ ଦୂରେଇ ରହିଛନ୍ତି ।

Get real time updates directly on you device, subscribe now.