ନୂଆଦିଲ୍ଲୀ: ଚଳିତ ବର୍ଷ ଆୟୋଜିତ ହେବାକୁ ଥିବା ଏସିଆ କପରେ ଭାରତ ତା’ର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବାର ସମ୍ଭାବନା ରହିଛି । ତେବେ ଏହି ଟୁର୍ଣ୍ଣାମେଣ୍ଟ ନ୍ୟୁଟ୍ରାଲ ଭେନ୍ୟୁ ଅନୁଯାୟୀ ଖେଳାଯିବ । ଟିମ୍ ଇଣ୍ଡିଆ ପାକିସ୍ତାନ ଗସ୍ତ କରିବ ନାହିଁ ବୋଲି ବୋଲି ଏସିଆନ କ୍ରିକେଟ କାଉନସିଲ (ଏସିସି)ର ଅଧ୍ୟକ୍ଷ ଜୟ ଶାହ ଗତବର୍ଷ ସୂଚନା ଦେଇଥିଲେ । ତେବେ ଶାହଙ୍କ ଏହି ବୟାନକୁ ନେଇ ସେତେବେଳେ ପାକିସ୍ତାନ ପକ୍ଷରୁ ବିରୋଧ କରାଯାଇଥିଲା ।
ବର୍ତ୍ତମାନ ସୁଦ୍ଧା ଉକ୍ତ ପ୍ରସଙ୍ଗରେ କିଛି ନିଷ୍ପତ୍ତି ହୋଇ ନାହିଁ । ଚଳିତ ବର୍ଷ ଏସିଆ କପ ପାକିସ୍ତାନରେ ଖେଳାଯିବା ନେଇ ଧାର୍ଯ୍ୟ ହୋଇଛି । ସୁରକ୍ଷା ଓ ଦ୍ୱିପାକ୍ଷିକ ସମ୍ପର୍କ କାରଣରୁ ଭାରତ ପାକିସ୍ତାନ ଗସ୍ତ କରିନପାରେ । ଏଭଳି ସ୍ଥିତିରେ ଅନ୍ୟ କେଉଁ ସ୍ଥାନରେ ଭାରତ-ପାକ୍ ମ୍ୟାଚ ଆୟୋଜନ ହେବ କି ନା ତା’ ଉପରେ ସମସ୍ତଙ୍କର ନଜର ରହିଛି । ବର୍ତ୍ତମାନ ସୁଦ୍ଧା ଏ ବାବଦରେ ଅଫିସିଆଲି କିଛି ବୟାନ୍ ଜାରି କରାଯାଇ ନାହିଁ ।
ତେବେ ଏହା ମଧ୍ୟରେ ଏସିଆ କପ ପାଇଁ ଗ୍ରୁପ ଷ୍ଟେଜର ଲିଷ୍ଟ ଜାରି କରାଯାଇଛି । ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପରେ ସ୍ଥାନ ପାଇଛନ୍ତି । ଆସନ୍ତା ସେପ୍ଟେମ୍ବରରେ ଦୁଇ ଟିମ୍ ମୁହାଁମୁହିଁ ହେବାର ସମ୍ଭାବନା ରହିଛି । ଗତ ବର୍ଷ ଏସିଆ କପରେ ଦୁଇ ଟିମ୍ ପରସ୍ପର ସହ ଦୁଇ ଥର ମୁହାଁମୁହିଁ ହୋଇଥିବା ବେଳେ ପ୍ରତ୍ୟେକେ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିଲେ । ଚଳିତ ବର୍ଷ ଗ୍ରୁପ-ଏ’ରେ ଭାରତ, ପାକିସ୍ତାନ ସ୍ଥାନ ପାଇଥିବା ବେଳେ ଗ୍ରୁପ-ବି’ରେ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ସ୍ଥାନ ପାଇଛନ୍ତି । ପ୍ରିମିୟର କପର ବିଜେତାଙ୍କୁ ଏସିଆ କପ ଗ୍ରୁପରେ ସ୍ଥାନ ମିଳିବ ।