fbpx

ଟିକାକରଣରେ ବିଶ୍ୱସ୍ତରରେ ଭାରତର ସ୍ଥାନ ଦ୍ୱିତୀୟ

ନୂଆଦିଲ୍ଲୀ : କରୋନା ମହାମାରୀର ଦ୍ୱିତୀୟ ଲହର ଦେଶରେ ଭୟଙ୍କର ସାବ୍ୟସ୍ତ ହୋଇଥିବା ବେଳେ ବର୍ତ୍ତମାନ ଟିକାକରଣକୁ ତ୍ୱରାନ୍ୱିତ କରାଯାଉଛି । ଦେଶରେ ତୃତୀୟ ପର୍ୟ୍ୟାୟ ଟିକାକରଣ ଜାରି ରହିଥିବା ବେଳେ ଏହାରି ମଧ୍ୟରେ ଭାରତ ୧୩୦ ଦିନରେ ୨୦୦ ମିଲିୟନରୁ ଅଧିକ ଡୋଜ ଟିକା ଦେଇ ଟିକାକରଣରେ ବିଶ୍ବର ଦ୍ବିତୀୟ ସ୍ଥାନରେ ରହିଛି । ଏହା ପୂର୍ବରୁ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ୧୨୪ ଦିନରେ ୨୦୦ ମିଲିୟନରୁ ଅଧିକ ଡୋଜ ଟୀକାକରଣ କରି ବିଶ୍ବରେ ପ୍ରଥମ ସ୍ଥାନରେ ରହିଛି । ଆମେରିକା ୧୨୪ ଦିନରେ ୨୦୦ ମିଲିୟନରୁ ଅଧିକ ଡୋଜ ଟୀକାକରଣ କରିଥିବା ବେଳେ ଭାରତ ୧୩୦ ଦିନରେ ୨୦୦ ମିଲିୟନ ଟିକାକରଣ କରିପାରିଛି । ଭାରତ ଏବେ ୨୦୦ ମିଲିୟନରୁ ଅଧିକ ଟିକା ଦେଇ ଟିକାକରଣରେ ବିଶ୍ବର ଦ୍ବିତୀୟ ଦେଶ ହୋଇପାରିଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି ।

ସେହିପରି ଭାରତରେ ପ୍ରସ୍ତୁତ ହେଉଥିବା ଟିକା ମହାମାରୀର ବିଭିନ୍ନ ପ୍ରକାର ଷ୍ଟ୍ରେନ୍ ସହିତ ଲଢ଼ିବା ପାଇଁ ବେଶ୍ ଫଳପ୍ରଦ ହୋଇଛି । ବିଶେଷଜ୍ଞଙ୍କ କହିବା ମୁତାବକ ଟିକାକରଣ ପ୍ରକ୍ରିୟା କାରଣରୁ ହିଁ ଅନେକ ଦେଶରେ ସଂକ୍ରମଣ ହାର କମିଛି । ଆମେରିକାରେ ବର୍ତ୍ତମାନ ପ୍ରାୟତଃ ସମସ୍ତ ନାଗରିକଙ୍କୁ ଟିକା ଦିଆଯାଇ ସାରିଛି । ତେଣୁ ସେଠାରେ ଏଷବେ କରୋନାର ଭୟ ଚାଲିଯାଇଛି । ଏଥିସହ ସେଠାକାର ବାଇଡେନ୍ ସରକାର ମାସ୍କ ମୁକ୍ତ ଦେଶ କରି ସାରିଛନ୍ତି । ହେଲେ ଭାରତ କଥା ଯଦି କହିବା ତେବେ ଏଠାରେ ଲୋକମାନେ ଟିକାକରଣ ପ୍ରକ୍ରିୟାରେ ଭାଗ ନେଉଛନ୍ତି । ବର୍ତ୍ତମାନ ଦୁଇଟି ଟିକାକୁ ଦିଆଯାଉଥିବା ବେଳେ ଆଗକୁ ଅନେକ ବିଦେଶୀ ଟିକା ଦିଆଯିବ। ଏଥି ମଧ୍ୟରେ ଋଷିଆନ୍ ଟିକା ସ୍ଫୁଟନିକ୍-ଭି କୁ ଅନୁମୋଦନ ମିଳିଯାଇଛି । ଖୁବ୍ ଶୀଘ୍ର ତାହା ସାରା ଦେଶରେ ବିତରଣ ହେବ ।

Get real time updates directly on you device, subscribe now.