CHARIDHAM

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଆଚରଣ ବିଧି ଉଲ୍ଲଂଘନ, ରବୀନ୍ଦ୍ର ଜାଡେଜା ଉପରେ କାର୍ଯ୍ୟାନୁଷ୍ଠାନ ନେଲା ଆଇସିସି

ନୂଆଦିଲ୍ଲୀ: ନାଗପୁରରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଆଇସିସି ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ଭାରତର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ଦଣ୍ଡିତ କରିଛି ଆଇସିସି। ଏହି ମ୍ୟାଚ ସମୟରେ ଆଇସିସି ଆଚରଣ ବିଧିର ଧାରା-୧ ଉଲ୍ଲଂଘନ କରିଥିବାରୁ ରବୀନ୍ଦ୍ର ଜାଡେଜାଙ୍କୁ ତାଙ୍କ ମ୍ୟାଚ ଶୁଳ୍କର ୨୫ ପ୍ରତିଶତ ଜୋରିମାନା କରାଯାଇଛି।

ରବିନ୍ଦ୍ର ଜାଡେଜା ଖେଳାଳି ଏବଂ ପ୍ଲେୟାର ସପୋର୍ଟ ପର୍ସନାଲଙ୍କ ପାଇଁ ଆଇସିସି ଆଚରଣ ସଂହିତା ର ଧାରା ୨.୨୦ ଉଲ୍ଲଂଘନ କରିଥିବା ଜଣାପଡିଛି, ଯାହା ଖେଳର ନିୟମ ବିରୁଦ୍ଧ ଅଟେ। ଏହା ବ୍ୟତୀତ, ଜାଡେଜାଙ୍କ ଶୃଙ୍ଖଳିତ ରେକର୍ଡରେ ଗୋଟିଏ ଡେରିମିଟ୍ ପଏଣ୍ଟ ଯୋଡା ଯାଇଛି। ଗତ ୨୪ ମାସ ମଧ୍ୟରେ ଏହା ତାଙ୍କର ପ୍ରଥମ ଅପରାଧ ଥିଲା।

ଏହି ଘଟଣା ଅଷ୍ଟ୍ରେଲିଆ ବ୍ୟାଟିଂ କରୁଥିବା ସମୟରେ ୪୬ ତମ ଓଭରରେ ଘଟିଥିଲା। ଯେତେବେଳେ ଜାଡେଜା ତାଙ୍କ ବାମ ହାତ ଆଙ୍ଗୁଳିରେ ଦରଜରୁ ଆରାମ ଦେଉଥିବା ଅଇଣ୍ଟମେଣ୍ଟ ଲଗାଉଥିଲେ। ଏହି ଭିଡିଓ ଖୁବ୍ ଭାଇରାଲ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା। ଭିଡିଓରେ ଦେଖିବାକୁ ମିଳିଥିଲା ଯେ, ଭାରତର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ପାପୁଲିରୁ କିଛି ନେଇ ତାଙ୍କ ବାମ ହାତର ଆଙ୍ଗୁଳିରେ ଲଗାଉଥିଲେ।

ଏହି ଘଟଣାକୁ ନେଇ ଟିମ୍ ମ୍ୟାନେଜମେଣ୍ଟ କହିଥିଲା ଯେ, ଜାଡେଜାଙ୍କର ଆଙ୍ଗୁଳି ଫୁଲିବାରୁ ସେ ଏଥିରେ ଅଇଣ୍ଟମେଣ୍ଟ ଲଗାଇଥିଲେ। ତେବେ ଏଥି ପାଇଁ ସେ ଫିଲ୍ଡ ଅମ୍ପ୍ୟାରଙ୍କଠୁ ଅନୁମତି ନେଇ ନଥିଲେ। ତେବେ ଜାଡେଜା ତାଙ୍କର ଭୁଲ୍ ସ୍ୱିକାର କରିଛନ୍ତି ଏବଂ ଅଇସିସି ରେଫରୀ ପ୍ୟାନେଲଙ୍କ ଦଣ୍ଡ ବିଦାନ ମାନିବାକୁ ପ୍ରସ୍ତୁତ ଅଛନ୍ତି। ତେଣୁ ଏହି ମାମଲାରେ ଅଧିକ କୋଣସି ବିଚାର କରିବା ଆବଷ୍ୟକ ନାହିଁ ବୋଲି ମ୍ୟାଚ୍ ରେଫରୀ କହିଛନ୍ତି।