ଅଗ୍ନି-୧ ପ୍ରାଇମର ସଫଳ ପରୀକ୍ଷଣ, ରାଜନାଥ ଜଣାଇଲେ ଶୁଭେଚ୍ଛା

ବାଲେଶ୍ୱର: ସଫଳତାର ସହ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି ଭାରତ । ଓଡ଼ିଶାର ବାଲେଶ୍ୱର ଜିଲାସ୍ଥିତ ଅବଦୁଲ କଲାମ ଦ୍ୱୀପରୁ ଅଗ୍ନି-୧ ପ୍ରାଇମ ମିସାଇଲର ପରୀକ୍ଷଣ କରାଯାଇଥିଲା । ପରୀକ୍ଷଣ ସ୍ଥଳରୁ ଶନିବାର ପୂର୍ବାହ୍ନରେ ଏହାର ପରୀକ୍ଷା କରାଯାଇଥିବା ଜଣାଯାଇଛି । ଡିଆରଡିଓ ପକ୍ଷରୁ ଅଧିକ ଜ୍ଞାନ କୌଶଳ ସମ୍ପର୍ଣ୍ଣ ଏହି ମିସାଇଲ ଭାରତୀୟ ସେନାର ଶକ୍ତିକୁ ବଢ଼ାଇବ । ଅଗ୍ନି ପ୍ରାଇମ୍ ମିଶାଇଲ୍ ଅଗ୍ନି ସିରିଜର ଏକ ଆଧୁନିକ ମିସାଇଲ୍ ଅଟେ । ଜାତୀୟଗଣମାଧ୍ୟମ ସୂଚନା ଅନୁସାରେ ଏହା ୧୦୦୦ରୁ ୨୦୦୦ କିଲୋମିଟର ମଧ୍ୟରେ ଆକ୍ରମଣ କରିପାରିବ ।

ଅଗ୍ନି-୧ ପ୍ରାଇମ ୧୦୦୦ କିଲୋ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି । ଅଗ୍ନି ପ୍ରାଇମ୍ କ୍ଷେପଣାସ୍ତ୍ର ଅଗ୍ନି ସିରିଜର ଷଷ୍ଠ କ୍ଷେପଣାସ୍ତ୍ର ଅଟେ । ଏହି କ୍ଷେପଣାସ୍ତ୍ରକୁ ଡିଆରଡିଓ ଦ୍ୱାରା ବିକଶିତ କରାଯାଇଛି । ଏହାକୁ ଟ୍ରେନ କିମ୍ବା କଣ୍ଟେନରରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇପାରିବ। ପରୀକ୍ଷଣ ସମୟରେ ଏହା ଲକ୍ଷ୍ୟସ୍ଥଳକୁ ସଠିକ ଭାବରେ ଭେଦ କରିବା ସହିତ ଏହାକୁ ନେଇ ରଖାଯାଇଥିବା ସମସ୍ତ ଲକ୍ଷ୍ୟ ପୂରଣ କରିବାରେ ସଫଳ ହୋଇଛି । ଶତ୍ରୁପକ୍ଷକୁ ଧରାଶାୟୀ କରିବା ସହ ଟାର୍ଗେଟକୁ ହାସଲ କରିବାରେ ବେଶ ସଫଳ ଅଗ୍ନି-୧ ପ୍ରାଇମ୍ । ଡିଆରଡିଓର ଏହି ସଫଳତା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁଭେଚ୍ଛା ଜଣାଇଛନ୍ତି । ଏହା ପୂର୍ବରୁ ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ରର ଆଣ୍ଟି ସିପ୍ ସଫଳତାର ସହ ପରୀକ୍ଷଣ କରାଯାଇଥିଲା ।