ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ସ୍ୱାବଲମ୍ବୀ ହେବା ସହ ଅନ୍ୟ ରାଷ୍ଟ୍ରଙ୍କୁ ମଧ୍ୟ ରକ୍ଷା ଉପକରଣ ବିକ୍ରି କରି ନୂଆ ଏକ ଆଧ୍ୟାୟ ସୃଷ୍ଟି କରିଛି । ଭାରତ ୨୦୨୩-୨୪ଆର୍ଥିକ ବର୍ଷରେ ୨୧ ହଜାର କୋଟି ଟଙ୍କାର ହତିଆର ବିକ୍ରି କରିଛି । ଏହି ହତିଆର ଆମେରିକା, ଫ୍ରାନ୍ସ, ଆର୍ମେନିଆ ପରି ଦେଶ କିଣିଛନ୍ତି । ଏହା ଭାରତ ପାଇଁ ଏକ ଗୌରବର ବିଷୟ ।
ଏମିତି ସମୟ ଥିଲା, ନିଜ ସୀମା ସୁରକ୍ଷା ପାଇଁ ଭାରତକୁ ଅନ୍ୟ ଦେଶଠାରୁ ହତିଆର କିଣିବାକୁ ହେଉଥିଲା । ସମୟ ସହ ତାଳଦେଇ ଦେଶ ସୁରକ୍ଷା ଦିଗରେ ମଧ୍ୟ ଅଗ୍ରଗତି କରିଛି । ବିଦେଶରୁ ଅସ୍ତ୍ରଶସ୍ତ୍ର ଆମଦାନୀ କମାଇବା ସହ ବିଦେଶକୁ ଏସବୁ ରପ୍ତାନୀ କରିବାରେ ସଫଳ ହୋଇଛି । ସବୁଠାରୁ ବଡ କଥା, ଆମେରିକା, ଫ୍ରାନ୍ସ, ଆର୍ମେନିଆ ପରି ସଶକ୍ତ ରାଷ୍ଟ୍ର ଏହି ଉପକରଣ ଆମ ଦେଶରୁ ଆମଦାନୀ କରୁଛନ୍ତି ।
ଭାରତୀୟ ଯୁଦ୍ଧାସ୍ତ୍ରର ସବୁଠାରୁ ବଡ ଆମଦାନୀ କରୁଥିବେ ଦେଶ ହେଉଛି ଆର୍ମେନିଆ । ବିଗତ ଦିନରେ ଅଜରବୈଜାନ ସହ ଆର୍ମେନିଆର ଯୁଦ୍ଧକୁ ନେଇ ଭାରତଠାରୁ ବିପୁଳ ପରିମାଣର ରକ୍ଷା ଉପକରଣ କିଣୁଛି । ଭାରତଠାରୁ ଆକାଶ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ, ପିନାକା ମଲ୍ଟି ଲଞ୍ଚ ରକେଟ ସିଷ୍ଟମ ଓ ୧୫୫ ଏମଏମ ଆର୍ଟିଲାରୀ ଗନ୍ସ ଆମଦାନୀ କରୁଛି ଆର୍ମେନିଆ ।
ଏବେ ହତିଆର ନିର୍ମାଣରେ ନିୟୋଜିତ ସରକାରୀ କମ୍ପାନୀଠାରୁ ଆରମ୍ଭ କରି ଘରୋଇ ସଂସ୍ଥା ସାରା ବିଶ୍ୱରେ ୧୦୦ ଦେଶକୁ ଅସ୍ତ୍ରଶସ୍ତ୍ର ଯୋଗାଇ ସେମାନଙ୍କ ସୀମାକୁ ସୁରକ୍ଷିତ ରଖିବାରେ ସହାୟକ ହେଉଛି । ଏଥିରେ ସାମାନ୍ୟ ହତିଆରଠୁ ଆରମ୍ଭ କରି ସମ୍ପୂର୍ଣ୍ଣ ୱିପନ ସିଷ୍ଟମ ମଧ୍ୟ ରହିଛି । ଯେମିତି କି, ବ୍ରହ୍ମାସ ସୁପରସୋନିକ କ୍ରୁଜ ମିସାଇଲ, ଡୋର୍ନିୟର-୨୨୮ ଏୟାରକ୍ରାପ୍ଟ, ଆର୍ଟିଲାରୀ ଗନ୍ସ, ରାଡାର, ଆକାଶ ମିଶାଇଲ, ପିନାକା ରକେଟ୍ସ ଓ ଯୁଦ୍ଧାସ୍ତ୍ରରେ ପୂର୍ଣ୍ଣ ବାହନ ।