fbpx

ଏବେ ଅନ୍ତରୀକ୍ଷକୁ ‘ମାନବ ମିଶନ୍’ ପଠାଇବ ଭାରତ: ISRO ସାଜିବ ଚତୁର୍ଥ ସ୍ପେସ ଏଜେନ୍ସି

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ବଡ଼ ସଫଳତା ପରେ ଏବେ ଭାରତ ଆଖିରେ ରହିଛି ହଜାର ସ୍ୱପ୍ନ । ଅନ୍ତରୀକ୍ଷରେ ନିଜର କାୟା ବିସ୍ତାର କରିବା ପାଇଁ ସ୍ୱପ୍ନ ଦେଖୁଛି ଇସ୍ରୋ । ବର୍ତ୍ତମାନ ଇସ୍ରୋ ସେପ୍ଟେମ୍ବରରେ ‘ସୋଲାର ମିଶନ୍’କୁ ନେଇ ଯୋଜନା କରୁଥିବା ବେଳେ ଖୁବଶୀଘ୍ର ଆଉ ଏକ ବଡ଼ ଉପଲବ୍ଧି ହାସଲ କରିବ ବୋଲି ଆଶା ରହିଛି । ଆଗାମୀ ଦିନରେ ଅନ୍ତରୀକ୍ଷକୁ ‘ମାନବ ମିଶନ୍’ ପଠାଇବ ଭାରତ । ଏମିତି କାରନାମା କରିବାରେ ଭାରତ ଚତୁର୍ଥ ଦେଶ ପାଲଟିବ ବୋଲି କହିଛନ୍ତି ଇସ୍ରୋର ବୈଜ୍ଞାନିକ ।

ସୂଚନା ଅନୁସାରେ, ଅନ୍ତରୀକ୍ଷକୁ ମାନବ ମିଶନ୍ ପଠାଇବା ପାଇଁ ଇସ୍ରୋର ଅଭିଯାନ ଆରମ୍ଭ ହୋଇଯାଇଛି । ଦୀର୍ଘ ଦିନରୁ ଚାଲିଥିବା ଏହି ମିଶନ୍ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଚଳିତବର୍ଷ ହିଁ ଏହି ସଫଳତା ହାସଲ କରିବା ପାଇଁ ସ୍ୱପ୍ନ ଦେଖୁଛି ଇସ୍ରୋ । ତେବେ ଚଳିତବର୍ଷ ଶେଷ କିମ୍ବା ଆସନ୍ତାବର୍ଷ ପ୍ରଥମରୁ ଭାରତ ଅନ୍ତରୀକ୍ଷକୁ ମାନବ ମିଶନ୍ ପଠାଇପାରେ । ଗଗନଯାନ ସହିତ ମୋଟ ୩ଟି ଉଡ଼ାଣ ହେବ, ଯେଉଁଥିରେ ପ୍ରଥମ ଦୁଇଟିରେ ଯାତ୍ରୀ ଯିବେ ନାହିଁ ଏବଂ ତୃତୀୟ ଉଡ଼ାଣରେ ୩ ଜଣ ଅନ୍ତରୀକ୍ଷ ଯାତ୍ରୀଙ୍କୁ ୩ ଦିନ ପାଇଁ ମହାକାଶକୁ ପଠାଯିବ । ଏ ନେଇ ଇସ୍ରୋର ବୈଜ୍ଞାନିକ କହିଛନ୍ତି ଯେ, ଆସନ୍ତାବର୍ଷ ମାର୍ଚ୍ଚ ସୁଦ୍ଧା ଏହି ଗଗନଯାନକୁ ଲଞ୍ଚ କରିବାର ଲକ୍ଷ୍ୟ ରଖାଯାଇଛି । କିନ୍ତୁ ଏହାପୂର୍ବରୁ ୨ଟି ମାନବ ଯାନ ମଧ୍ୟ ଅନ୍ତରୀକ୍ଷକୁ ଯିବ । ତେବେ ଯଦି ଏହା ସଫଳ ହୁଏ, ତେବେ ଗଗନଯାନ ୩ ଜଣ ଅନ୍ତରୀକ୍ଷ ଯାତ୍ରୀଙ୍କୁ ନେଇ ଅନ୍ତରୀକ୍ଷ ଯାତ୍ରା କରିବ । ୩ ଦିନ ପର୍ଯ୍ୟନ୍ତ ଏହା ପୃଥିବୀର ୪୦୦ କି.ମି ଉଚ୍ଚରେ ଘୁରୀି ବୁଲିବା ପରେ କ୍ରୁ ମଡ୍ୟୁଲକୁ ଏହାଠାରୁ ଅଲଗା କରି ଦିଆଯିବ ।

ଚନ୍ଦ୍ରଯାନ-୩ର ଅପୂର୍ବ ସଫଳତା ପରେ ଇସ୍ରୋ ଏହି ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ଉଦ୍ୟକ ଜାରି ରଖିଛି । ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଗଗନଯାନ ଲଞ୍ଚ କରିବା ସହ ଚଳିତବର୍ଷ ଶେଷ ଆଡ଼କୁ ଏହାର ଶୁଭାରମ୍ଭ କରି ପ୍ରଥମ ଉଡ଼ାଣ କରିପାରେ । ତେବେଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଇସ୍ରୋ ଚୟନ କରିଥିବା ଅନ୍ତରୀକ୍ଷ ଯାତ୍ରୀମାନେ ଋଷରେ ପ୍ରଶିକ୍ଷଣ ନେଇଛନ୍ତି । ଏପଟେ ଇସ୍ରୋ କ୍ରୁ ମଡ୍ୟୁଲ ମଧ୍ୟ ପ୍ରସ୍ତୁତି କରି ସାରିଛି । ତେବେ ଅନ୍ତରୀକ୍ଷକୁ ମାନବ ପଠାଇବା କ୍ଷେତ୍ରରେ ବର୍ତ୍ତମାନ ୩ଟି ଦେଶ ସଫଳତା ପାଇସାରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସୋଭିଏତ ସଂଘ, ଆମେରିକା ଏବଂ ଚୀନ ଅନ୍ତରୀକ୍ଷକୁ ମାନବ ମିଶନ୍ ପାଂଇ ସଫଳତା ହାସଲ କରି ସାରିଛନ୍ତି । ତେବେ ଇସ୍ରୋ ଏହି ମିଶନ୍ ରେ ସଫଳ ହେଲେ ଚତୁର୍ଥ ଦେଶ ଭାବରେ ଏହି ରେକର୍ଡ ନିଜ ନାମରେ କରିପାରିବ ଭାରତ ।

Get real time updates directly on you device, subscribe now.