fbpx

ଏସିଆ କପ୍‌-୨୦୨୩; ନେପାଳକୁ ହରାଇ ସୁପର-୪ରେ ପ୍ରବେଶ କଲା ଭାରତ, ପୁଣି ଭାରତ-ପାକିସ୍ତାନ ମଧ୍ୟରେ ହେବ ବ୍ଲକବଷ୍ଟର ମୁକାବିଲା

Advertisement

ଓଡିଶା ଭାସ୍କର; ଏସିଆ କପ୍‌-୨୦୨୩ କ୍ରିକେଟର ସୁପର-୪ରେ ପ୍ରବେଶ କରିଛି ଭାରତ । ସୋମବାର ପାଲଲେକେଲେରେ ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନରେ ନେପାଳକୁ ୧୦ ଉଇକେଟରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ସିରାଜଙ୍କ ଘାତକ ବୋଲିଂକୁ ସାମ୍ନା କରି ନ ପାରି ନେପାଳ ୪୮.୨ ଓଭରରେ ୨୩୦ ରନ୍‌ରେ ଅଲଆଉଟ ହୋଇଥିଲା । ବର୍ଷା ଯୋଗୁ ଖେଳ ଅନେକ ସମୟ ବାଧାପ୍ରାପ୍ତ ହେବାରୁ ମ୍ୟାଚକୁ ୨୩ ଓଭରକୁ ହ୍ରାସ କରାଯାଇଥିଲା ଏବଂ ଭାରତ ସମ୍ମୁଖରେ ୧୪୫ ରନ୍‌ର ଲକ୍ଷ୍ୟ ରଖା ଯାଇଥିଲା । ଏହି ବିଜୟ ଲକ୍ଷ୍ୟକୁ ଭାରତ ୨୦.୧ ଓଭରରେ କୌଣସି ଉଇକେଟ ନ ହରାଇ ହାସଲ କରି ନେଇଥିଲା । ଜବାବରେ ବର୍ଷା କାରଣରୁ ଡର୍କଓ୍ବର୍ଥ ଲୁଇସ୍‌ ମେଥଡ୍‌ ଅନୁଯାୟୀ ଭାରତକୁ ସଂଶୋଧିତ ବିଜୟ ଲକ୍ଷ୍ୟ ଦିଆଯାଇଥିଲା। ରୋହିତ ଶର୍ମା(୭୪ଞ୍ଚ) ଓ ଶୁବମାନ ଗିଲ୍‌(୬୭ଞ୍ଚ) ପ୍ରଥମ ଉଇକେଟରେ ଶତକୀୟ ଭାଗୀଦାରି କରିଥିଲେ। ଉଭୟ ୧୨୧ ବଲ୍‌ ଖେଳି ୧୪୭ ରନ୍‌ ଯୋଡିଥିଲେ। ରୋହିତ ୫୯ ବଲର ସମ୍ମୁଖୀନ ହୋଇ ୫ ଛକା ଓ ୬ ଚୌକା ସହିତ ୭୪ ଓ ଗିଲ୍‌ ୬୨ ବଲ୍‌ ଖେଳି ୮ ଚୌକା ଓ ୧ ଛକା ମାରି ୬୭ ରନ୍‌ ସ୍କୋର କରିଥିଲେ।

୨ ମ୍ୟାଚରୁ ୩ ପଏଣ୍ଟ ପାଇଥିବା ଭାରତ ଗ୍ରୁପ୍‌ ‘ଏ’ରେ ଦ୍ୱିତୀୟ ଦଳଭାବେ ସୁପର୍‌-୪ରେ ପ୍ରବେଶ କରିଛି। ଏହି ଗ୍ରୁପ୍‌ରେ ପାକିସ୍ତାନ ଶୀର୍ଷରେ ରହିଛି । ଅନ୍ୟପକ୍ଷରେ ନେପାଳ ଦୁଇଟି ମ୍ୟାଚରେ ପରାଜୟ ବରଣ କରି ଟୁର୍ନାମେଣ୍ଟରୁ ବିଦାୟ ନେଇଛି। ସେହିପରି ଏସିଆ କପ୍‌ର ସୁପର ୪ ରେ ଭାରତ ସ୍ଥାନ ପାଇବା ସହ ପାକିସ୍ତାନ ବିପକ୍ଷରେ ଆଉ ଏକ ବ୍ଲକବଷ୍ଟର ମୁକାବିଲା କରିବାକୁ ଯାଉଛି । ଆସନ୍ତା ସେପ୍ଟେମ୍ବର ୧୦ ରେ ପୁଣି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ ।

ସୂଚନା ଥାଉକି, ଭାରତ ତା’ର ପ୍ରଥମ ମ୍ୟାଚ ପାକିସ୍ତାନ ବିପକ୍ଷରେ ଖେଳିଥିଲା । ମାତ୍ର ବର୍ଷା ହେବା କାରଣରୁ ମ୍ୟାଚ ବାତିଲ ହୋଇଯାଇଥିଲା । ଫଳରେ ଉଭୟ ଦଳକୁ ପଏଣ୍ଟ ୧ ଲେଖାଏଁ ଦିଆଯାଇଥିଲା । ଯାହାକୁ ନେଇ ପାକିସ୍ତାନ ୩ ପଏଣ୍ଟ ପାଇବା ସହ ସୁପର-୪ରେ ପ୍ରବେଶ କରିଛି । ଅନ୍ୟପକ୍ଷରେ ଭାରତ ମାତ୍ର ୧ ପଏଣ୍ଟ ହାସଲ କରି ସନ୍ତୁଷ୍ଟ ରହିଥିବା ବେଳେ ଏବେ ନେପାଳକୁ ପରାସ୍ତ କରି ୩ ପଏଣ୍ଟ ସହ ସିଧାସଖଳ ସୁପର-୪ରେ ପାଦ ରଖିଛି ।

Get real time updates directly on you device, subscribe now.