fbpx

T-20 ସିରିଜ କବଜା କଲା ଟିମ୍ ଇଣ୍ଡିଆ: ସୂର୍ଯ୍ୟକୁମାରଙ୍କ ଗର୍ଜନରେ ଘାଇଲା ସିଂହଳୀ

ନୂଆଦିଲ୍ଲୀ: ରାଜକୋଟଠାରେ ଆଜି ଅନୁଷ୍ଠିତ ହୋଇଥିବା ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆ ବାଜିମାତ କରିଛି । ତିନି ମ୍ୟାଚ ବିଶିଷ୍ଟ ସିରିଜରେ ପୂର୍ବରୁ ଉଭୟ ଭାରତ ଓ ଶ୍ରୀଲଙ୍କା ଗୋଟିଏ ଲେଖାଏଁ ମ୍ୟାଚରେ ବିଜୟୀ ହୋଇ ସିରିଜକୁ ୧-୧ରେ ବରାବର ରଖିଥିଲେ । ତେବେ ଆଜିର ନିର୍ଣ୍ଣାୟକ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବଙ୍କ ରନ ବିସ୍ଫୋରଣ ଦେଖିବାକୁ ମିଳିଥିଲା । ଫଳରେ ଭାରତ ୯୧ ରନରେ ବିଜୟ ଲାଭ କରି ସିରିଜ ହାତେଇବାରେ ସକ୍ଷମ ହୋଇଥିଲା ।

ଟସ୍ ଜିତି ଟିମ୍ ଇଣ୍ଡିଆ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଏହାପରେ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୨୨୮ ରନର ବିଶାଳ ସ୍କୋର ଛିଡ଼ା କରିଥିଲା । ମାତ୍ର ୩ ରନରେ ଦଳ ଈଶନ କିଶାନଙ୍କ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା । ମାତ୍ର ପରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ କ୍ରିଜକୁ ଆସିବା ପରେ ଖେଳର ଗତିପଥ ସମ୍ପୂର୍ଣ୍ଣ ବଦଳି ଯାଇଥିଲା । ସେ ପଡ଼ିଆରେ ସତେ ଯେପରି ରନର ବର୍ଷା ସୃଷ୍ଟି କରିଥିଲେ । ସୂର୍ଯ୍ୟଙ୍କ ତେଜରେ ପ୍ରତିପକ୍ଷର କୌଣସି ବୋଲର ନିସ୍ତାର ପାଇନଥିଲେ । ସେ ମାତ୍ର ୫୧ଟି ବଲରୁ ୭ଟି ଚୌକା ଓ ୯ଟି ଛକା ସହାୟତାରେ ୧୧୨ ରନରେ ଅପରାଜିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶୁବମନ ଗିଲ ୪୬ ରନ୍ କରିଥିବା ବେଳେ ଅକ୍ଷର ପଟେଲ ୨୧ ରନରେ ଅପରାଜିତ ରହିଥିଲେ ।

ଶ୍ରୀଲଙ୍କା ପକ୍ଷରୁ ଦିଲଶାନ ମଦୁଶନାକା ସର୍ବାଧିକ ୨ଟି ୱିକେଟ ହାସଲ କରିଥିଲେ । ୨୨୯ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲେ ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନ । ତେବେ ଭାରତୀୟ ବୋଲରଙ୍କୁ ସାମ୍ନା କରିନପାରି ଚାପର ବଶବର୍ତ୍ତୀ ହୋଇ ଜଣଙ୍କ ପରେ ଜଣେ ବ୍ୟାଟ୍ସମ୍ୟାନ ପାଭିଲିୟନ ଫେରିଥିଲେ । କୌଣସି ବ୍ୟାଟ୍ସମ୍ୟାନ ୨୫ ରନ୍ ଟପି ପାରିନଥିଲେ । ଫଳରେ ଦଳ ୧୬.୪ ଓଭରରେ ମାତ୍ର ୧୩୭ ରନରେ ଅଲଆଉଟ୍ ହୋଇଥିଲା । ଭାରତ ପକ୍ଷରୁ ଅର୍ଶଦୀପ ସିଂହ ସର୍ବାଧିକ ୩ଟି ୱିକେଟ ହାସଲ କରିଥିବା ବେଳେ ହାର୍ଦ୍ଦିକ, ଉମ୍ରାନ ମଲ୍ଲିକ ଓ ୟୁଜବେନ୍ଦ୍ର ଚହଲ ୨ଟି ଲେଖାଏଁ ଏବଂ ଅକ୍ଷର ପଟେଲ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ ।

ସୂଚନାଯୋଗ୍ୟ ଯେ, ଗତ ଟି-୨୦ ବିଶ୍ୱକପରେ ଭାରତର ଲଜ୍ଜାଜନକ ପରାଜୟ ପରେ ରୋହିତ ଶର୍ମା ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପରବର୍ତ୍ତୀ ବିଶ୍ୱକପ ପାଇଁ ଯୁବବାହିନୀ ତଥା ନୂଆ ଖେଳାଳିଙ୍କୁ ନେଇ ଟିମ୍ ଗଠନ କରିଥିଲା । ଏଥିସହିତ ଟିମ୍ ସିଲେକ୍ସନ କମିଟିରେ ମଧ୍ୟ ପରିବର୍ତ୍ତନ କରିଥିଲା । ଏବେ ଦଳ ହାର୍ଦ୍ଦିକଙ୍କୁ ଟି-୨୦ର ଅଧିନାୟକ ଦାୟିତ୍ୱ ଦେଇଥିବା ବେଳେ ଆସନ୍ତା ବିଶ୍ୱକପରେ ବିରାଟ କୋହଲି ଓ ରୋହିତଙ୍କ ପରି କିଛି ସିନିୟର ଖେଳାଳିଙ୍କୁ ସୁଯୋଗ ମିଳିବାର ସମ୍ଭାବନା କମ୍ । ତେବେ ବିଶ୍ୱକପ ପରେ ନୂଆବର୍ଷରେ ଅଧିନାୟକ ହାର୍ଦ୍ଦିକ ତଥା ଟିମ୍ ଇଣ୍ଡିଆର ଏହି ସଫଳତା ପରବର୍ତ୍ତୀ ବିଶ୍ୱକପ ପାଇଁ ଖେଳାଳିଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବାରେ ସହାୟକ ହେବ ।

Get real time updates directly on you device, subscribe now.