fbpx

କାଖରେ ଛୋଟ ଛୁଆ ଧରି ନେପାଳରେ ଭିକ ମାଗୁଛନ୍ତି ଭାରତର କିଛି ଲୋକ, ପଚାରିଲେ କହୁଛନ୍ତି ଭାରତରେ ପଡିଛି ବିପର୍ଯ୍ୟୟ

କାଠମାଣ୍ଡୁ: ନେପାଳ ପୋଲିସ ଏବେ ଏକ ଡର୍ଜନରୁ ଅଧିକ ଭାରତୀୟଙ୍କୁ ଗିରଫ କରିଛି । ପୋଲିସର ଅଭିଯୋଗ ଏମାନେ ନିଜକୁ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇଛନ୍ତି ବୋଲି କହି ନେପାଳରେ ଲୋକଙ୍କ ଠାରୁ ଭିକ ମାଗୁଥିିଲେ । ଏହି ସବୁ ଲୋକ ଏକ ସଙ୍ଗେ ଗୋଟିଏ ସ୍ଥାନରେ ରହୁଛନ୍ତି । ପୋଲିସ ଏହା ମଧ୍ୟ କହିଛି ଯେ, ନେପାଳରେ ପାର୍ବଣ ଋତୁ ଆରମ୍ଭ ହୋଇଯିବା ମାତ୍ରେ ଭାରତର ଭିକାରୀମାନେ ବହୁ ସଂଖ୍ୟାରେ ନେପାଳ ଚାଲି ଆସୁଛନ୍ତି ।

ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇ ବେସାହାରା ହୋଇଯାଇଥିବା କହି ନେପାଳରେ ଭିକ୍ଷାବୃତ୍ତି କରୁଥିବା ୧୨ ନାବାଳକଙ୍କ ସହିତ ନେପାଳ ପୋଲିସ ମୋଟ ୨୪ ଜଣ ଭିକାରୀଙ୍କୁ ଗିରଫ କରିଥିଲା । ପରେ ସେମାନଙ୍କୁ ଭାରତ ପଠାଇ ଦିଆଯାଇଛି । ପୋଲିସ ସୂଚନା ମୂତାବକ ରାଜସ୍ଥାନରୁ ୨୪ ଜଣ ଲୋକ ଭାରତ ନେପାଳ ସୀମା କ୍ଷେତ୍ରରୁ ନେପାଳ ଆଡକୁ ଯାଇଥିବା ବିର୍ତ୍ତାମୋଡ ସଡକରେ ଭିକ ମାଗୁଥିବା ବେଳେ ସେମାନଙ୍କୁ ଗିରଫ କରାଯାଇଥିଲା ।

ପୋଲିସ କହିଛି କୋଳରେ ୬ମାସର ଶିଶୁ ସହିତ ବହୁ ଛୋଟ ଛୋଟ ଛୁଆଙ୍କୁ ସାଥିରେ ଧରି ଭିନ୍ନ ଭିନ୍ନ ବାହାନା ବନାଇ ଏମାନେ ପଇସା ଲାଗି ଭିକ ମାଗୁଥିଲେ । ସେମାନଙ୍କ ପାଖରେ ନକଲି କାଗଜପତ୍ର ଥିଲା ଓ ସେମାନେ କହୁଥିଲେ କି ଭାରତରେ ପ୍ରାକୃତିକ ବିପର୍ଯ୍ୟୟରେ ସେମାନଙ୍କ ଘର ଦ୍ୱାର ନଷ୍ଟ ହୋଇଯାଇଥିବାରୁ ସେମାନେ ଭିକ ମାଗିବାକୁ ଏଠାକୁ ଚାଲି ଆସିଛନ୍ତି । ଏମାନେ ସମସ୍ତେ ବିର୍ତ୍ତାମୋଡରେ ଏକାଠି ଗୋଟିଏ ଭଡା ଘର ନେଇ ରହୁଥିଲେ ।

Get real time updates directly on you device, subscribe now.