fbpx

Ind vs WI, 1st ODI: ଲତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ଯାଇ ଆଜି କଳାପଟି ବାନ୍ଧି ଖେଳିବେ ଭାରତୀୟ ଖେଳାଳୀ

ନୂଆଦିଲ୍ଲୀ: ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର୍ ଙ୍କ ଆଜି ପରଲୋକ ହୋଇଯାଇଛି । ସାରା ବିଶ୍ୱ ବର୍ତ୍ତମାନ ତାଙ୍କୁ ଝୁରୁଛି । ଆମେ ସମସ୍ତେ ଜାଣିଛୁ ଯେ, ଲତାଙ୍କର କ୍ରିକେଟ୍ ପ୍ରତି ବିଶେଷ ଦୁର୍ବଳତା ରହିଥିଲା । ତେବେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ଯାଇ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଏକ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଲତାଙ୍କ ମଙ୍ଗେସକରଙ୍କ ନିଧନରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ଭାରତୀୟ ଟିମ୍ ର ଖେଳାଳୀ ମାନେ ରବିବାର ଦିନ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ହେବାକୁ ଥିବା ମ୍ୟାଚ୍ ରେ କଳା ପଟି ପିନ୍ଧିବେ ।

ସୂଚନା ଯେ, ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ଭାରତ ଏବଂ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍। ତେବେ ଏହି ମ୍ୟାଚ୍ ଭାରତୀୟ ଦଳର ୧୦୦୦ ତମ ଦିନିକିଆ। ତେଣୁ ଭାରତୀୟ ଦଳ ପାଇଁ ଏହା ଏକ ସ୍ମରଣୀୟ ମୁହୂର୍ତ୍ତ। ଏହି ଐତିହାସିକ ମ୍ୟାଚରେ ଟସ୍ ଜିତି ଭାରତୀୟ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜିର ମ୍ୟାଚ୍ ଜିତି ଭାରତ ୧୦୦୦ ତମ ଦିନିକିଆକୁ ଆହୁରି ସ୍ମରଣୀୟ କରିବାକୁ ଚାହିଁବ।

ସୂଚନାଯୋଗ୍ୟ, ମୁମ୍ବାଇ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ସମୟରେ ଆଜି ସକାଳ ୮ଟା ୧୨ ମିନିଟ୍ ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଲତା ମଙ୍ଗେସକର୍ । ମଧ୍ୟପ୍ରଦେଶର ଇନ୍ଦୋରରେ ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ବଲିଉଡ଼ର ବୁଲବୁଲ ଲତା ମଙ୍ଗେସକର । ସେ ପୁରା ୩୬ ଟି ଭାରତୀୟ ଭାଷାରେ ଗୀତ ଗାଇଛନ୍ତି । ଭାରତ ରତ୍ନ, ପଦ୍ମ ଭୂଷଣ, ପଦ୍ମ ବିଭୂଷଣ ଏମିତିକି ଦାଦା ସାହେବ ଫାଲକେ ପୁରସ୍କାର ବି ସେ ପାଇଛନ୍ତି । ଆଉ ଏବେ ୯୨ ବର୍ଷ ବୟସରେ ଆଖି ବୁଜି ଆମ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି ସେ ।

Get real time updates directly on you device, subscribe now.