fbpx

ଭାରତୀୟ କ୍ରିକେଟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ନେଇ ଅନିଶ୍ଚିତତା, କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା: ସିରିଜ୍‌ କାର୍ଯ୍ୟସୂଚୀ ପରିବର୍ତ୍ତନ କରିବାକୁ ବିସିସିଆଇର ସୂଚନା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ନୂଆ ପ୍ରଜାତିର କରୋନା ଭୂତାଣୁ ଓମିକ୍ରୋନ ସଂପ୍ରତି ଦକ୍ଷିଣ ଆଫ୍ରିକାରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଭାରତୀୟ ସିନିୟର କ୍ରିକେଟ ଦଳର ଆଗାମୀ ଗସ୍ତ ନେଇ ଆତଙ୍କ ଅନିଶ୍ଚିତତା ଲାଗି ରହିଛି । କାରଣ ଭାରତ ସରକାର ବର୍ତ୍ତମାନ ଏହି କାରଣ ନେଇ ଦକ୍ଷିଣ ଆଫ୍ରିକାକୁ ଅନ୍ୟତମ ରିସ୍କ ଦେଶ ଭାବେ ପରିଗଣିତ କରିଛି । ସେହିପରି ବିଶ୍ୱର ସମସ୍ତ ଦେଶ ଦକ୍ଷିଣ ଆଫ୍ରିକା ସହିତ ଯାତାୟତ ଯୋଗାଯୋଗ ବିଚ୍ଛିନ୍ନ କରି ଥିବାରୁ ସେହି ଦେଶକୁ କୌଣସି ବାହାର ଦେଶର ବିମାନ ଯାତାୟତ କରୁ ନାହିଁ । ସେହିପରି ସେହି ଦେଶର କୌଣସି ନାଗରିକଙ୍କୁ ମଧ୍ୟ ଅନ୍ୟ ଦେଶରେ ପ୍ରବେଶ ଅନୁମତି ମିଳୁନାହିଁ । କାରଣ ଏହି ନୂଆ ଭାରିଆଣ୍ଟ କରୋନା ଭୂତାଣୁ ବର୍ତ୍ତମାନ ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି । ତେଣୁ ଭାରତୀୟ କ୍ରିକେଟ ଦଳକୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବା ପାଇଁ ଅନୁମତି ମିଳିବା କଷ୍ଟକର ହୋଇ ପଡିବ । ତେଣୁ କେନ୍ଦ୍ର ସରକାରଙ୍କ ବିନାନୁମତିରେ ଭାରତୀୟ ଦଳ ଯାଇ ପାରିବେ ନାହିଁ । ଏହି ପରିସ୍ଥିତିରେ ବିସିସିଆଇ ପାଇଁ ଅନ୍ୟ କୌଣସି ବିକଳ୍ପ ଉପାୟ ନାହିଁ । ତେବେ ଦୁଇ ଦେଶର କ୍ରିକେଟ ବୋର୍ଡ ମଧ୍ୟରେ ଥିବା ଉତ୍ତମ ସମ୍ପର୍କ ଦୃଷ୍ଟିରୁ କୌଣସି ସମସ୍ୟା ଉପୁଜିଲେ ଏହି ସିରିଜ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିବାକୁ ବିସିସିଆଇ ବିଚାର ବିମର୍ଷ ଚଳାଇଛି । ସେହିପରି ଏହି ପ୍ରସଙ୍ଗ ନେଇ ଖେଳାଳିଙ୍କ ମତାମତ ନେବା ପାଇଁ ମଧ୍ୟ ବିସିସିଆଇ ଚିନ୍ତା କରୁଛି ।

ଅନ୍ୟ ପକ୍ଷରେ ଆଗାମୀ ଗସ୍ତ ନେଇ କୌଣସି ସ୍ପଷ୍ଟ ସୂଚନା ମିଳୁପାରୁ ନ ଥିବାରୁ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳ ଚୟନ ନେଇ ମଧ୍ୟ କୌଣସି ନିଷ୍ପତ୍ତି ହୋଇ ପାରୁନି । ସେହିପରି ସେହି ଦେଶକୁ ଯିବା ପୂର୍ବରୁ ଭାରତୀୟ ଦଳ ପାଞ୍ଚ ଦିନିଆ କ୍ୱାରେଣ୍ଟାଇନରେ ରହିବା କଥା । ମାତ୍ର ଏହି ଗସ୍ତ ନେଇ ଅଚଳାବସ୍ଥା ଲାଗି ରହି ଥିବାରୁ ବିସିସି କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରୁନି କିମ୍ବା ଖେଳାଳିଙ୍କୁ ମଧ୍ୟ ଅବଗତ କରାଇ ପାରୁନି । ତେବେ ସବୁକିଛି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ । କାରଣ ଦକ୍ଷିଣ ଆଫ୍ରିକା ପରିସ୍ଥିତି ନେଇ କେନ୍ଦ୍ର ସରକାର ଅଧିକ ଚିନ୍ତା ପ୍ରକଟ କରି ଆସୁଥିବା ବେଳେ ଏପରି ସମୟରେ ଭାରତୀୟ କ୍ରିକେଟ ଦଳକୁ ସେହି ଦେଶ ଗସ୍ତରେ ଯିବା ପାଇଁ କଦାପି ଅନୁମତି ଦେବେ ନାହିଁ ବୋଲି ଜଣା ପଡିଛି । କାରଣ ଖେ୍‌ଳାଳିଙ୍କର କୌଣସି ଅସୁବିଧା ହେଲେ ସେଥିପାଇଁ ସରକାର ହିଁ ଦାୟୀ ହେବେ ।

Get real time updates directly on you device, subscribe now.