ଭାରତୀୟ ଅର୍ଥନୀତି ଭଲ ସ୍ଥିତିରେ ଅଛି: ମୁଡିଜ୍ ଆଉଟଲୁକ୍

ନୂଆଦିଲ୍ଲୀ: ଆଜି ଦୁଇଟି ରେଟିଂ ଏଜେନ୍ସି ଭାରତର ଅର୍ଥନୀତିକୁ ନେଇ ସେମାନଙ୍କ ଆକଳନ ପ୍ରକାଶ କରିଛନ୍ତି । ଉଭୟ ରେଟିଂ ଏଜେନ୍ସି ସେମାନଙ୍କ ଆଉଟଲୁକରେ ଭାରତର ଭଲ ଅର୍ଥନୈତିକ ଅଭିବୃଦ୍ଧି ହାରକୁ ନେଇ ଆଶା ପ୍ରକଟ କରିଛନ୍ତି ଏବଂ କହିଛନ୍ତି କି ଭାରତୀୟ ଅର୍ଥନୀତି ଭଲ ସ୍ଥିତିରେ ଅଛି ।

ଚଳିତ କ୍ୟାଲେଣ୍ଡର ବର୍ଷ ୨୦୨୪ରେ ଭାରତର ଜିଡିପି ୭.୨% ଏବଂ ୨୦୨୫ରେ ୬.୬% ଏବଂ ୨୦୨୬ରେ ୬.୫% ହାରରେ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି । ମୁଡିଜ୍ କହିଛି କି ୨୦୨୪ ଏପ୍ରିଲ-ଜୁନ୍ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ବାର୍ଷିକ ୬.୭% ରେକର୍ଡ଼ କରାଯାଇଛି । ମୁଡିଜ୍ ଆହୁରି ମଧ୍ୟ କହିଛି କି ମୁଦ୍ରାସ୍ଫିତି ବୃଦ୍ଧି ପାଇବା ରିସ୍କକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ ବର୍ଷ ଅପେକ୍ଷାକୃତ ଶକ୍ତ ମୁଦ୍ରା ନୀତି ବଜାୟ ରଖିବ ବୋଲି ଜଣାପଡ଼ିଛି । ପନିପରିବାର ମୂଲ୍ୟରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଛି ଯଦ୍ୱାରା ରିଟେଲ ବଜାରରେ ମହଙ୍ଗା ଦର ୧୪ ମାସର ସର୍ବାଧିକ ସ୍ତର ୬.୨୧ରେ ପହଂଚିଛି । ଏହା ରିଜର୍ଭ ବ୍ୟାଙ୍କର ଟାର୍ଗେଟ ଲେଭେଲରୁ ମଧ୍ୟ ଅଧିକ ଅଟେ ଯାହା ଚିନ୍ତାର ବିଷୟ ହୋଇପାରେ କିନ୍ତୁ ଭବିଷ୍ୟତରେ ଏହା ନିୟନ୍ତ୍ରଣ ସ୍ତରକୁ ଫେରିପାରେ ।