fbpx

ରିପୋର୍ଟରୁ ଆସିଲା ତଥ୍ୟ: ସାରା ଦୁନିଆରେ ବ୍ୟାପିଲା ଭାରତୀୟ ହ୍ୟାକର୍ସଙ୍କ ଜାଲ, ବେଆଇନ ଭାବେ କମାଉଛନ୍ତି କୋଟି କୋଟି ଟଙ୍କା

ନୂଆଦିଲ୍ଲୀ: ଭାରତର ହ୍ୟାକିଂ ଦଳର ପ୍ରାଦୁର୍ଭାବ ସଂପ୍ରତି ସାରା ଦୁନିଆରେ ଦେଖିବାକୁ ମିଳିଛି। ଘରୋଇ ଯାଞ୍ଚକାରୀଙ୍କ ଇସାରାରେ ଏହି ହ୍ୟାକର ଦୁନିଆରେ ସରକାରୀ ଅଧିକାରୀ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ଶତାଧିକ ଇମେଲ୍ ଆକାଉଣ୍ଟକୁ ବେଆଇନ ଭାବେ ହ୍ୟାକ୍ କରି ହଜାର ହଜାର ଡଲାର ଆୟ କରୁଛନ୍ତି। ଫଳରେ ଭାରତ ଏବେ ବିଶ୍ଵବ୍ୟାପୀ ହ୍ୟାକିଂ ଦୁର୍ନୀତିର କେନ୍ଦ୍ରସ୍ଥଳ ପାଲଟିଛି। ତଦନ୍ତରୁ ଜଣା ପଡିଛି ଯେ, ସର୍ବଦା ପୀଡିତ ବ୍ୟକ୍ତି ସହ ଭାରତୀୟ ହ୍ୟାକର ସାମାଜିକ ଗଣମାଧ୍ୟମରେ ବନ୍ଧୁତା ସ୍ଥାପନ କରୁଥିଲେ। ହ୍ୟାକର୍ସ କ୍ଲିକ୍ କରିବା ପାଇଁ ଏମିତି କିଛି ପଠାନ୍ତି, ଯାହା ଜାଣିବା ପାଇଁ ଲୋକେ ଇଚ୍ଛା ପ୍ରକାଶ କରନ୍ତି। ଥରୁଟିଏ କ୍ଲିକ୍ କଲେ ବ୍ୟକ୍ତିଙ୍କ କମ୍ପ୍ୟୁଟରରେ ମେଲଓ୍ଵେର ଡାଉନଲୋଡ ହୋଇଯାଏ। ଏହା ଜରିଆରେ ହ୍ୟାକର ସେମାନଙ୍କର ଇମେଲ୍ ଇନବକ୍ସ ପର୍ଯ୍ୟନ୍ତ ପହଞ୍ଚି ପାରନ୍ତି।

ବ୍ରିଟେନର ଖବରକାଗଜ ସଣ୍ଡେ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଯେଉଁ ଭାରତୀୟ ହ୍ୟାକରଙ୍କ ସହ ଆଲୋଚନା ହୋଇଛି, ସେ ଦାବି କରିଛନ୍ତି ସେମାନେ କେବେ ଧରା ପଡି ନାହାନ୍ତି। ପ୍ରତିଟି ହ୍ୟାକ୍ ପାଇଁ ସେ ହଜାର ହଜାର ଆମେରିକୀୟ ଡଲାର ଆୟ କରିଛନ୍ତି। ଏହି ହ୍ୟାକରଙ୍କ ମଧ୍ୟରୁ ଅଧିକାଂଶ ସାଇବର ସୁରକ୍ଷା ବିଶେଷଜ୍ଞ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ମାମଲାର ଯାଞ୍ଚ ଖୋଳତାଡ ପାଇଁ ସଣ୍ଡେ ଟାଇମ୍ସର ଇନସାଇଡ୍ ଟିମ ଏବଂ ବ୍ୟୁରୋ ଅଫ ଇନଭେଷ୍ଟିଗେଟିଭ ଜର୍ଣ୍ଣାଲିଷ୍ଟ ଚଳିତ ବର୍ଷ ଆରମ୍ଭରେ ନିଜର ଅଣ୍ଡରକଭର ରିପୋର୍ଟରଙ୍କୁ ଭାରତ ପଠାଇଥିଲା। ଏହି ଅଣ୍ଡରକଭର ରିପୋର୍ଟର ବେଆଇନ ହ୍ୟାକିଂ ଉଦ୍ୟୋଗରେ ଅନୁପ୍ରବେଶ ପାଇଁ ଭାରତରେ କିଛି ବଡ ବଡ କମ୍ପ୍ୟୁଟର ହ୍ୟାକରଙ୍କୁ କାମ ଦେବାର ଲୋଭ ଦେଖାଇଥିଲେ। ଅଣ୍ଡରକଭର ରିପୋର୍ଟର ଲଣ୍ଡନର ମେଫେୟାରରେ ବ୍ୟୁଫୋର୍ଟ ଇଣ୍ଟେଲିଜେନ୍ସ ନାମକ ଏକ ନକଲି କର୍ପୋରେଟ୍ ଯାଞ୍ଚ କମ୍ପାନି ସ୍ଥାପନା କରିଥିଲେ।

ଏହା ପରେ ସେ ଭାରତର କିଛି ବଡ ହ୍ୟାକରଙ୍କ ସହ ଯୋଗାଯୋଗ କରି ନିଜ ଗ୍ରାହକଙ୍କ ବ୍ୟକ୍ତିଗତ ସୂଚନା ଜାଣିବାକୁ ଚାହୁଁଥିବା କହିଥିଲେ। ଘନ ଘନ ଉତ୍ତର ମିଳିବା ପରେ ବ୍ରିଟେନର ଅଣ୍ଡରକଭର ରିପୋର୍ଟର ଭାରତ ଆସିଲେ ଏବଂ ସେହି ହ୍ୟାକରଙ୍କ ଇଣ୍ଟରଭ୍ୟୁ ନେଇଥିଲେ। ସେମାନଙ୍କ କାମ ବିଷୟରେ ଜାଣିବା ପାଇଁ ଷ୍ଟିଙ୍ଗ ଅପରେସନ କରିଥିଲେ। ବେଙ୍ଗାଲୁରୁର ହ୍ୟାକର ଦାବି କରିଛନ୍ତି ଯେ, ସେ ଭାରତ ସରକାରଙ୍କ ପାଇଁ ହ୍ୟାକିଂ କାମ କରିଛନ୍ତି। କିଛି ଦେଶର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର କମ୍ପ୍ୟୁଟର ସିଷ୍ଟମରେ ପଶିବା ପାଇଁ ତାଙ୍କୁ କମିସନ ଦିଆଯାଇଥିଲା। ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ, ଭାରତୀୟ ହ୍ୟାକର ପାକିସ୍ତାନର ରାଜନେତା, ଜେନେରାଲ ଏବଂ କୂଟନୈତିଜ୍ଞଙ୍କ କମ୍ପ୍ୟୁଟର ହ୍ୟାକ୍ କରି ସେମାନଙ୍କ ବ୍ୟକ୍ତିଗତ ସୂଚନା ଭାରତୀୟ ବିଭାଗ ଇସାରାରେ ଚୋରି କରି ନେଇଥିଲେ।

Get real time updates directly on you device, subscribe now.