fbpx

ଏସୀୟ କ୍ରୀଡ଼ାରେ ଗୋଲ୍ ବର୍ଷା: ପାକିସ୍ତାନକୁ ୧୦-୨ରେ ହରାଇଲା ଭାରତ

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁ ଠାରେ ଚାଲିଥିବା ଏସୀୟ କ୍ରୀଡ଼ାର ଆଜି ହେଉଛି ସପ୍ତମ ଦିବସ । ଆଜି ଭାରତୀୟ ସ୍କ୍ୱାଶ ଟିମ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଫାଇନାଲରେ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ସୌରଭ ଘୋଷାଲ ମ୍ୟାଚକୁ ୧-୧ରେ ଟାଇ ରଖିବା ପରେ ଚେନ୍ନାଇର ଅଭୟ ସିଂହ ନିର୍ଣ୍ଣାୟକ ମ୍ୟାଚରେ ୩-୨ ପଏଣ୍ଟରେ ଜିତି ଭାରତକୁ ବିଜୟୀ କରାଇଥିଲେ ।

ତେବେ ଏହା ମଧ୍ୟରେ ଏସୀୟ କ୍ରୀଡ଼ାରେ ଭାରତୀୟ ପୁରୁଷ ହକି ଟିମ୍ ପାକିସ୍ତାନକୁ ଏକ ବ୍ୟବଧାନରେ ପରାସ୍ତ କରିଛି । ଭାରତ ତା’ର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀକୁ ୧୦-୨ ଗୋଲରେ ପରାସ୍ତ କରିଛି । ପ୍ରଥମ ଥର ପାଇଁ ଭାରତ ପାକିସ୍ତାନ ବିପକ୍ଷରେ ୧୦ଟି ଗୋଲ ସ୍କୋର କରି ବିଜୟ ହାସଲ କରିଛି । ପ୍ରଥମାର୍ଦ୍ଧରେ ଭାରତ ୪ଟି ଗୋଲ ସ୍କୋର କରିଥିଲା । ଭାରତ ପକ୍ଷରୁ ଅଧିନାୟକ ହରମନପ୍ରୀତ ସିଂହ ହ୍ୟାଟ୍ରିକ ଗୋଲ ସ୍କୋର କରିଥିଲେ ।

ଚେନ୍ନାଇଠାରେ ଅନୁଷ୍ଠିତ ହୋଇଥିବା ଗତ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଭାରତ ପାକିସ୍ତାନକୁ ୪-୦ ଗୋଲରେ ପରାସ୍ତ କରିଥିଲା । ଏହା ମଧ୍ୟରେ କିଛି ମାସର ବ୍ୟବଧାନ ପରେ ପରେ ପୁଣି ଥରେ ଦୁଇ ଟିମ୍ ଆଜି ଏସୀୟ କ୍ରୀଡ଼ାରେ ମୁହାଁମୁହିଁ ହୋଇଥିଲେ । ତୃତୀୟ କ୍ୱାର୍ଟର ସମାପ୍ତ ସୁଦ୍ଧା ଭାରତ ୭-୨ ଗୋଲରେ ପାକିସ୍ତାନ ଠାରୁ ଆଗରେ ରହିଥିଲା । ଭାରତ ଓ ପାକିସ୍ତାନ ଚଳିତ ଇଭେଣ୍ଟରେ ପୁଲ-ଏ’ରେ ସ୍ଥାନ ପାଇଥିବା ବେଳେ ଭାରତ ଟପରେ ରହିଛି । ଏହି ମ୍ୟାଚ ପୂର୍ବରୁ ଉଭୟ ଟିମ୍ ସମାନ ସଂଖ୍ୟକ ମ୍ୟାଚ ଜିତିଥିଲେ ହେଁ ଗୋଲ ସ୍କୋର ବ୍ୟବଧାନ ଦୃଷ୍ଟିରୁ ଭାରତ ଆଗରେ ରହିଥିଲା ।

Get real time updates directly on you device, subscribe now.