fbpx

ଇଣ୍ଡିଆନ ରେଲୱେ ପକ୍ଷରୁ ବିଜ୍ଞପ୍ତି: ୯୦୦୦ ପ୍ରାର୍ଥୀଙ୍କୁ ଦିଆଯିବ ନିଯୁକ୍ତି, ମାର୍ଚ୍ଚ ମାସରେ ଅନଲାଇନ୍ ଆବେଦନ

ନୂଆଦିଲ୍ଲୀ: ବର୍ତ୍ତମାନ ନିଯୁକ୍ତି ଋତୁ ଚାଲିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗରେ ପଦ ପୂରଣ ନେଇ ବିଭିନ୍ନ ସଂସ୍ଥା ଦ୍ୱାରା ନିଯୁକ୍ତି ପ୍ରକ୍ରିୟା ଚାଲିଛି । ତେବେ ଏହା ମଧ୍ୟରେ ଭାରତୀୟ ରେଳବାଇ ପକ୍ଷରୁ ଆସିଛି ଏକ ବଡ଼ ଅପଡେଟ୍ । ରେଳ ବିଭାଗରେ ୯ ହଜାର ଟେକ୍ନିସିଆନ୍ ପଦ ପୂରଣ ହେବ । ଏନେଇ ରେଳ ନିଯୁକ୍ତି ବୋର୍ଡ ପକ୍ଷରୁ ନିକଟରେ ଶର୍ଟ ନୋଟିସ୍ ଜାରି କରାଯାଇଥିବା ବେଳେ ଆଗକୁ ଏହାର ସମ୍ପୂର୍ଣ୍ଣ ନୋଟିଫିକେସନ ଜାରି କରାଯିବ ।

ମାର୍ଚ୍ଚ ମାସ ୯ ତାରିଖରୁ ଅନଲାଇନ୍ ଆବେଦନ ଓ ପେମେଣ୍ଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇ ଏପ୍ରିଲ ମାସ ୮ ତାରିଖରେ ତାହା ସମାପ୍ତ ହେବ । ମାର୍ଚ୍ଚ ୯ ତାରିଖରେ ଏହି ନିଯୁକ୍ତିର ବିସ୍ତୃତ ବିଜ୍ଞପ୍ତି ଜାରି କରାଯିବ । ଟେକ୍ନିସିଆଲ ଗ୍ରେଡ-୧ ସିଗନାଲ ପଦ ପାଇଁ ବୟସ ସୀମା ୧୮-୩୬ ମଧ୍ୟରେ ରହିଥିବା ବେଳେ ସେଥିରେ ୧୧୦୦ ପଦ ପୂରଣ ହେବ । ସେହିପରି ଟେକ୍ନିସିଆଲ ଗ୍ରେଡ-୩ ପଦ ପାଇଁ ବୟସ ସୀମା ୧୮-୩୩ ମଧ୍ୟରେ ରହିଥିବା ବେଳେ ସେଥିରେ ୭୯୦୦ ପଦ ପୂରଣ ହେବ । ଯୋଗ୍ୟ ପ୍ରାର୍ଥୀଙ୍କୁ ଦେଶର ବିଭିନ୍ନ ରେଳ ଭର୍ତ୍ତି ବୋର୍ଡରେ ନିଯୁକ୍ତି ଦିଆଯିବ ।

ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ଏକ୍ସ-ସର୍ଭିସମ୍ୟାନ, ମହିଳା, ଟ୍ରାନ୍ସଜେଣ୍ଡର, ସଂଖ୍ୟାଲଘୁ ଓ ଆର୍ଥିକ ପଛୁଆ ଶ୍ରେଣୀ (ଇବିସି) ପ୍ରାର୍ଥୀଙ୍କ ପାଇଁ ଫିସ୍ ଛାଡ଼ ରହିଥିବା ବେଳେ ଅନ୍ୟ ପ୍ରାର୍ଥୀଙ୍କ ପାଇଁ ୫୦୦ ଟଙ୍କା ରହିଛି । ଆସନ୍ତା ମାର୍ଚ୍ଚ- ଏପ୍ରିଲ ମାସରେ ଏଥିପାଇଁ ସମ୍ଭାବ୍ୟ ଅନଲାଇନ୍ ଆବେଦନ ଆରମ୍ଭ ହେବ । ଏହାପରେ ଅକ୍ଟୋବର ଓ ଡିସେମ୍ବର ମାସରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ଆୟୋଜନ ହେବାର ସମ୍ଭାବନା ରହିଛି । ତା’ପରେ ଆସନ୍ତା ବର୍ଷ ଫେବୃଆରୀ ମାସରେ ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ପ୍ରାର୍ଥୀଙ୍କୁ ଶର୍ଟଲିଷ୍ଟ କରାଯିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.