fbpx

ଏଣିକି ଟ୍ରେନରେ ଭିଆଇପି କୋଟା ପାଇବା ଆଉ ସହଜ ହେବ ନାହିଁ, ଧୋକାଦାରୀ ରୋକିବାକୁ ରେଳ ବିଭାଗର କଡା ପଦକ୍ଷେପ

ନୂଆଦିଲ୍ଲୀ:ଦେଶରେ ଗଣେଶ ଚତୁର୍ଥୀ ଠାରୁ ପାର୍ବଣ ଋତୁର ଆରମ୍ଭ ହୋଇଥାଏ । ଏପରି ସ୍ଥିତିରେ ଟ୍ରେନରେ ଯାତ୍ରୀଙ୍କ ଭିଡ ମଧ୍ୟ ବଢିବାର ସମ୍ଭାବନା ରହିଛି । ଟ୍ରେନରେ ଯାତ୍ରା କରିବାକୁ ଯାଉଥିବା ଲୋକମାନଙ୍କୁ କିପରି କନଫର୍ମ ଟିକେଟ ମିଳିବ ସେଥିପାଇଁ ରେଳ ବିଭାଗ ପକ୍ଷରୁ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଉଛି ।

ଟ୍ରେନର ୱେଟିଂ ଟିକେଟକୁ କନଫର୍ମ କରାଇବା ଲାଗି ରେଲୱେ ଅଧିକାରୀ ଓ ସାଂସଦ ଙ୍କ କୋଟା ଲଗାଇବା ଆଳରେ ଚାଲୁଥିବା ଖେଳ ଉପରୁ ଏବେ ପର୍ଦ୍ଦାଫାସ ହେବ । ଦିଲ୍ଲୀ ରେଳ ଡିଭିଜନ ଏଥିଲାଗି ନିର୍ଦ୍ଦେଶ ଜାରି କରିଛନ୍ତି । ଉତ୍ତର ରେଲୱେ ପକ୍ଷରୁ କୁହାଯାଇଛି କୋଟା ଲଗାଉଥିବା ଅଫିସର ଓ ଯାତ୍ରୀଙ୍କ ମଧ୍ୟରେ କ’ଣ ସମ୍ବନ୍ଧ ରହିଛି ସେ ବିଷୟରେ ସୂଚନା ପ୍ରଦାନ ଲାଗି ଏବେ ଏକ ଫର୍ମ ଭରିବା ଅନିବାର୍ଯ୍ୟ କରାଯିବ ।

ମିଳିଥିବା ସୂଚନା ଅନୁସାରେ ନୂଆଦିଲ୍ଲୀରୁ ଚାଲୁଥିବା ଅଧିକାଂଶ ଟ୍ରେନର ସିଟ୍ ପାର୍ବଣ ସମୟରେ ଫୁଲ୍ ରହିଥାଏ । ବହୁ ଯାତ୍ରୀ କନଫର୍ମ ଟିକେଟ ପାଇବା ଲାଗି ବାରମ୍ବାର ଷ୍ଟେସନରେ ଚକ୍କର ଲଗାଇଥାନ୍ତି । ଏହାର ଫାଇଦା ଉଠାଇ ଦଲାଲ ସେମାନଙ୍କୁ ନିଜ ଜାଲରେ ଫସାଇ ଦେଇଥାନ୍ତି । ଏହାପରେ ଦଲାଲ ରେଳ ଅଧିକାରୀଙ୍କ ସହ ଭିତିରି ବୁଝାମଣା କରି କିମ୍ବା କୌଣସି ସାଂସଦଙ୍କ ନାମରେ ଭୁଲ୍ କାଗଜପତ୍ର ଲଗାଇ କୋଟା ହାସଲ କରିଥାଏ । ଏବେ ଏହାର ରହସ୍ୟ ଖୋଲିବାକୁ ରେଳ ବିଭାଗ ଅଭିଯାନ ଆରମ୍ଭ କରି ଦେଇଛି । ଏଥିଲାଗି ସମସ୍ତ ଡିଭିଜନକୁ ନିର୍ଦ୍ଦେଶ ଦିଆଯାଇଛି କି ସେମାନେ ଚଳନ୍ତା ଟ୍ରେନରେ କୋଟାରେ କନଫର୍ମ ସିଟ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ପଚରାଉଚୁରା କରିବେ । ଫଳରେ ଏହା ସ୍ପଷ୍ଟ ହୋଇଯିବ କି କୋଟା ପଛରେ ପଇସା କାରବାର ହୋଇନାହିଁ ତ ? ଏହାସହିତ ଯାଞ୍ଚ କରାଯାଇଥିବା ଯାତ୍ରୀଙ୍କ ବିଷୟରେ ସମସ୍ତ ତଥ୍ୟ ଓ ଫର୍ମର ରିପୋର୍ଟ ପ୍ରତିଦିନ ଡିଭିଜନ ଅଫିସ ପଠାଇବାକୁ ନିର୍ଦ୍ଦେଶ ରହିଛି ।

Get real time updates directly on you device, subscribe now.