fbpx

ୟୁକ୍ରେନରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଥିବା ବେଳେ ଇତିମଧ୍ୟରେ ଏକ ଦୁଃଖଦ ଖବର ଆସିଛି । ୟୁକ୍ରେନର ଖାରକିଭରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ବୋମାମାଡ଼ ଯୋଗୁଁ ଉକ୍ତ ଛାତ୍ରଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି । ତେବେ ଛାତ୍ରଙ୍କର ମୃତ୍ୟୁ ନେଇ ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିବା ସହ ଯୋଗାଯୋଗରେ ରହିଥିବା ସୂଚନା ଦେଇଛି ।

ଉକ୍ତ ବୋମାମାଡ଼ରେ ମୃତ୍ୟୁବରଣ କରିଥିବା ଛାତ୍ରଙ୍କର ଘର କର୍ଣ୍ଣାଟକର ଚାଲାଗେରିରେ ବୋଲି ଜଣାପଡ଼ିଛି । ତାଙ୍କର ନାମ ହେଉଛି ନବୀନ ଶେଖାରପ୍ପା ଜ୍ଞାନଗୌଡାର । ନବୀନ ତାଙ୍କ ଆପାର୍ଟମେଣ୍ଟରୁ ରେଳ ଷ୍ଟେସନ ଆଡ଼କୁ ଯାଉଥିବା ବେଳେ ଦୁର୍ଭାଗ୍ୟବଶତଃ ମିସାଇଲ ମାଡ଼ରେ ତାଙ୍କର ମୃତ୍ୟୁ ଘଟିଥିଲା । ସେ ଖାରକିଭ ନ୍ୟାସନାଲ ମେଡିକାଲ ୟୁନିଭରସିଟିରେ ପାଠ ପଢ଼ୁଥିଲେ ।

ସୂଚନାଯୋଗ୍ୟ ଯେ, ଆଜି ଯୁଦ୍ଧର ଷଷ୍ଠ ଦିନରେ ରୁଷ୍ ଭୟଙ୍କର ଭାବେ ଆକ୍ରମଣ କରିଥିଲା । ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ୟୁକ୍ରେନ ରାଜଧାନୀ କିଭରେ ଫସିଥିବା ଭାରତୀୟଙ୍କ ପାଇଁ ଭାରତ ସରକାର କଠୋର ଆଡିଭାଇଜରି ଜାରି କରିଥିଲେ । କିଭର ସ୍ଥିତି ଆଗକୁ ଭୟଙ୍କର ହେବାର ଆଶଙ୍କା ଥିବାରୁ ଯେ କୌଣସି ସାଧନ ସହାୟତାରେ ଉକ୍ତ ସ୍ଥାନ ପରିତ୍ୟାଗ କରିବାକୁ କୁହାଯାଇଥିଲା ।

Get real time updates directly on you device, subscribe now.