fbpx

ଭୁବନେଶ୍ୱରରେ ହେବ ଦେଶର ପ୍ରଥମ ବିଶ୍ୱସ୍ତରୀୟ ଫୁଟବଲ୍ ଟ୍ୟାଲେଣ୍ଟ ଏକାଡେମୀ; ହକି ପରେ ଫୁଟବଲକୁ ପ୍ରାଧାନ୍ୟ ଦେଲେ ଓଡିଶା ସରକାର

ଓଡିଶା ଭାସ୍କର; ଓଡିଶା କ୍ରୀଡା କ୍ଷେତ୍ରରେ ଆଉ ଏକ ଖୁସି ଖବର ଦେଇଛନ୍ତି ରାଜ୍ୟ ସରକାର । ଆସନ୍ତା ୨୧ ତାରିଖରେ ଭୁବନେଶ୍ୱରରେ ଉଦଘାଟିତ ହେବ ଦେଶର ପ୍ରଥମ ବିଶ୍ୱସ୍ତରୀୟ ଫୁଟବଲ୍ ଟ୍ୟାଲେଣ୍ଟ ଏକାଡେମୀ । ସର୍ବଭାରତୀୟ ଫୁଟବଲ ମହାସଂଘ ଓ ଫିଫା ଟ୍ୟାଲେଣ୍ଟ ଡେଭଲପମେଣ୍ଟ ସ୍କିମରେ ଏହାର ଲୋକାର୍ପଣ ହେବ । ଦେଶର ଫୁଟବଲ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ଲାଗି ଭାରତର ପ୍ରଥମ, AIFF-FIFA ଟ୍ୟାଲେଣ୍ଟ ଏକାଡେମୀ ପାଇଁ ଭୁବନେଶ୍ୱରକୁ ବାଛିଛନ୍ତି ଅନ୍ତର୍ଜାତୀୟ ଫୁଟବଲ ମହାସଂଘ।

ସୂଚନା ଥାଉକି, ଓଡିଶାରେ ହକି ପାଇଁ ଦୁଇଟି ଅର୍ନ୍ତଜାତୀୟ ମାନର ଷ୍ଟାଡିୟମ ରହିଛି। ଅନ୍ତର୍ଜାତୀୟ ହକି ଫେଡେରେସନ୍‌‌ ଓଡ଼ିଶାର କ୍ରୀଡ଼ା ପରିବେଶକୁ ସ୍ୱୀକୃତି ଦେଇଛି। ଥରେ ନୁହେଁ; ଓଡ଼ିଶା କ୍ରମାଗତ ଦୁଇଥର ଏଫ୍‌‌ଆଇଏଚ୍‌‌ ପୁରୁଷ ହକି ବିଶ୍ୱକପ୍‌‌ ଆୟେଜାନ କରିବାର ସୁଯୋଗ ପାଇଛି। ବିଶ୍ୱର ପ୍ରଥମ ଓ ଏକମାତ୍ର ରାଜ୍ୟ ଭାବେ ଓଡ଼ିଶା ଏହି ସମ୍ମାନଜନକ କ୍ରୀଡ଼ା ମହାକୁମ୍ଭ ଆୟୋଜନ କରି ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ଓଡ଼ିଶା ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛି। ତେବେ ଏସବୁ ଭିତରେ ପୁଣିଥରେ କ୍ରୀଡାକୁ ପ୍ରାଧାନ୍ୟ ଦେଇଛନ୍ତି ରାଜ୍ୟ ସରକାର । କେବଳ ଓଡିଶା ନୁହେଁ ବରଂ ଦେଶର କୋଣ ଅନୁକୋଣରୁ ପିଲାମାନେ ଏହା ମାଧ୍ୟମରେ ଖେଳ ଶିଖିବାରେ ଉପକୃତ ହେବେ ।

ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରସନ୍-AIFF- ଫିଫା ଏକାଡେମୀ ପ୍ରତିଷ୍ଠା ଦ୍ୱାରା ଭାରତରେ ଫୁଟବଲ ପ୍ରତି ଆଗ୍ରହ ରଖୁଥିବା ଖେଳାଳି ମାନଙ୍କୁ ଏଥିରେ ସୁଯୋଗ ମିଳିବ । ଏଥିପାଇଁ ଭୁବନେଶ୍ୱରକୁ ଭେନ୍ୟୁ ଭାବେ ବାଛି ଥିବାରୁ ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରସନକୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫିଫା ପ୍ରତିଭା ବିକାଶ ଯୋଜନାରେ ଏହା କାମ କରିବ । ଏହାକୁ ଫିଫାର ଗ୍ଲୋବାଲ ଫୁଟବଲ୍ ଡେଭଲପମେଣ୍ଟ ମୁଖ୍ୟ ଆର୍ସେନି ୱେଙ୍ଗର ଉଦଘାଟନ କରିବେ ବୋଲି ସୂଚନା ରହିଛି ।

Get real time updates directly on you device, subscribe now.