fbpx

UNSC ରେ ଭାରତର ସ୍ଥାୟୀ ସଦସ୍ୟତା ଦାବୀ ହେଲା ମଜଭୁତ, ଏଲନ୍ ମସ୍କଙ୍କ ଦାବୀକୁ ଆମେରିକା କଲା ସମର୍ଥନ

ୱାଶିଂଟନ୍‌:ଜାତିସଂଘ ସୁରକ୍ଷା ପରିଷଦ(UNSC) ରେ ସ୍ଥାୟୀ ସଦସ୍ୟତା ହାସଲ ଲାଗି ଚେଷ୍ଟା ଜାରି ରଖିଥିବା ଭାରତକୁ ଏବେ ଏ କ୍ଷେତ୍ରରେ ଅଧିକ ସମର୍ଥନ ମିଳିଛି । ଟେସଲା ମୁଖ୍ୟ ଏଲନ୍ ମସ୍କ କିଛି ମାସ ତଳେUNSC ରେ ଭାରତର ସ୍ଥାୟୀ ସଦସ୍ୟତା ଲାଗି ଯୁକ୍ତି ବାଢିଥିଲେ । ସେ ସ୍ପଷ୍ଟ ଭାବରେ କହିଥିଲେ କି ଭାରତକୁ ଜାତିସଂଘରରେ ସ୍ଥାୟୀ ସଦସ୍ୟତା ମିଳିବା ଉଚିତ । ଏବେ ଆମେରିକା ବି ଏ କ୍ଷେତ୍ରରେ ମସ୍କଙ୍କ ସମର୍ଥନ କରିଛି । ଆମେରିକା ଜାତିସଂଘରେ ଏହି ସୁଧାର ଦାବୀକୁ ସମର୍ଥନ କରିଛି । ଏହା ସହିତ ଆମେରିକା କହିଛି ୱାଶିଂଟନ୍ ବି ଚାହିଁଛି ଜାତିସଂଘରେ ସୁଧାର ଆସୁ ଯାହା ଫଳରେ ଏହା ଏକବିଂଶ ଶତାବ୍ଦୀର ସଠିକ୍ ଚିତ୍ର ଉପସ୍ଥାପନ କରିପାରିବ ।

ଆମେରିକା ବିଦେଶ ବିଭାଗର ପ୍ରଧାନ ଉପପ୍ରବକ୍ତା ବେଦାନ୍ତ ପଟେଲ କହିଛନ୍ତି ଆମେରିକା ଜାତିସଂଘ ସୁରକ୍ଷା ପରିଷଦ ସହିତ ଜାତିସଂଘର ଅନ୍ୟ ସଂସ୍ଥାରେ ସୁଧାର ଲାଗି ସମର୍ଥନକୁ ଉପସ୍ଥାପନ କରିଛି । UNSC ରେ ଭାରତର ସ୍ଥାୟୀ ସଦସ୍ୟତାର ଅଭାବକୁ ନେଇ ଏଲନ୍ ମସ୍କଙ୍କ ବୟାନ ଉପରେ ବେଦାନ୍ତ ପଟେଲ କହିଛନ୍ତି , ଆମେରିକା ଜାତିସଂଘ ମହାସଭାରେ ନିଜର ଟିପ୍ପଣୀରେ ପୂର୍ବରୁ ଏ ବିଷୟରେ କହିଛନ୍ତି ଓ ସଚିବ ବି ଏ ବିଷୟରେ କହିଛନ୍ତି ।
ଚଳିତ ବର୍ଷ ଜାନୁୟାରୀରେ ଏଲନ୍ ମସ୍କ UNSC ରେ ଭାରତକୁ ସ୍ଥାୟୀ ସଦସ୍ୟତା ନ ମିଳିବାକୁ ନିହାତି ଅଯଥାର୍ଥ ବୋଲି କହିଥିଲେ ।

ଏକ୍ସରେ ଏକ ପୋଷ୍ଟ କରି ସେ କହିଥିଲେ କିଛି ବିନ୍ଦୁରେ ଜାତିସଂଘରେ ସଂଶୋଧନର ଆବଶ୍ୟକତା ରହିଛି । ବଡ ସମସ୍ୟା ହେଉଛି ଯାହା ପାଖରେ ଅତିରିକ୍ତ ଶକ୍ତି ରହିଛି ସେ ଏହା ଛାଡିବାକୁ ଚାହୁଁନାହିଁ । ଭାରତ ବିଶ୍ୱର ସର୍ବାଧିକ ଜନବହୁଳ ରାଷ୍ଟ୍ର ହୋଇଥିବା ବେଳେ ଏହା ପାଖରେ ଜାତିସଂଘର ସ୍ଥାୟୀ ସଦସ୍ୟତା ନ ରହିବା ନିହାତି ଅଯଥାର୍ଥ । ସେହିପରି ଆଫ୍ରିକାକୁ ବି ଜାତିସଂଘରେ ଏକ ସ୍ଥାୟୀ ସିଟ୍ ମିଳିବା ଉଚିତ ବୋଲି ସେ କହିଛନ୍ତି । ଜାତିସଂଘ ସୁରକ୍ଷା ପରିଷଦ ୧୫ ସଦସ୍ୟ ବିଶିଷ୍ଟ ଦେଶକୁ ନେଇ ଗଠିତ ହୋଇଛି । ଏଥିରେ ଭିଟୋ ଶକ୍ତି ବାଲା ୫ ସ୍ଥାୟୀ ସଦସ୍ୟ ଅଛନ୍ତି । ସେମାନେ ହେଉଛନ୍ତି ଚୀନ୍‌, ବ୍ରିଟେନ୍‌, ଫ୍ରାନ୍ସ, ରୁଷ ଓ ଆମେରିକା ।

Get real time updates directly on you device, subscribe now.